ଚିତ୍ରଡା : ଘରେ ସଉଦାପତ୍ର ନଥିଲା। ଯାହାକୁ କେନ୍ଦ୍ର କରି ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଲା। ପତିିର ମୁଣ୍ଡକୁ ଏମିତି ରାଗ ଚଢ଼ିଲା ଯେ ‌ସେ ହିତାହିତ ଜ୍ଞାନ ଭୁଲି ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା। ‌ଆଉ ପ୍ରମାଣା ଲୁଚାଇବାକୁ ଶବକୁ ଜଙ୍ଗଲରେ ପକାଇଦେଇ ଆସିଲା। ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ମୟୂରଭଂଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଲୋଧା ଗ୍ରାମରେ। ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ସ୍ବାମୀ ଜେନା ଭକ୍ତାକୁ ଗିରଫ କରିଛି।

Advertisment

ଗତ ରବିବାରର ଘଟଣା। ଘରେ ଡାଲି ଓ ତେଲ ନଥିଲା। ଫଳରେ ଜେନା ଭକ୍ତା (୩୦) ଓ ତାଙ୍କ ପତ୍ନୀ ଗୋଲାପି ଭକ୍ତା (୨୮)ଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହି ସମୟରେ ନିଶାରେ ଥିବା ଜେନା ଉତ୍ତ୍ୟକ୍ତ ହୋଇ ଗୋଲାପିଙ୍କୁ ପିଟିପିଟି ହତ୍ୟା କରିଥିଲା। ତେବେ ଆଜି ଜଙ୍ଗଲରେ ଏକ ଶବ ପଡ଼ିଥିବା ଖବର ପ୍ରଚାରିତ ହୋଇଯିବା ପରେ ମୋରଡ଼ା ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ, ବେତନଟୀ ଏସ୍‌ଡିପିଓ ଲଳିତ କୁମାର ପଟ୍ଟନାୟକ ଓ ମାଜିଷ୍ଟ୍ରେଟ୍‌ ଭାବେ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଶବଟି ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଗୋଲାପିଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ ୭୬/୧୯ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ପଠାଇଥିଲା। ଅନ୍ୟପଟେ ମୃତ ମହିଳାଙ୍କ ପତି ଜେନାଙ୍କୁ ଥାନାରେ ଅଟକ ରଖି ଜେରା କଲ‌ା ପରେ ସେ ହତ୍ୟା କରିଥିବା ମାନି ଯାଇଥିଲା। ଫଳରେ ପୁଲିସ ତାକୁ ଗିରଫ କରିଥିଲା।

ସୂଚନାଯୋଗ୍ୟ; ମୃତ ଗୋଲାପିଙ୍କ ବାପଘର ପାରାଦୀପ ଅଞ୍ଚଳରେ। ସେଠାରେ ଜେନା ଶ୍ରମିକ ଭାବେ କାର୍ଯ୍ୟ କରିବା ସମୟରେ ଗୋଲାପିଙ୍କୁ ପ୍ରେମ ବିବାହ କରି ପୂର୍ଣ୍ଣଚନ୍ଦ୍ରପୁରକୁ ନେଇ ଆସିଥିଲା।