ପରକୀୟା ପ୍ରୀତିର କରୁଣ ପରିଣତି!, ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ

ଗରଦପୁର : ପରକୀୟା ପ୍ରୀତିର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଅରଖକୁଦ ଗ୍ରାମରେ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ ଥାନାରେ ଆତ୍ମ ସମର୍ପଣ କରିଛି। ଏଭଳି ବିଭତ୍ସ କାଣ୍ଡ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି, ବଡ଼ଚଣା ଥାନା ଟୁବୁଡା ଜଇପୁର ଗ୍ରାମର କନକଲତା ଜେନାଙ୍କୁ ଅରଖକୁଦ ଗ୍ରାମର ଚନ୍ଦ୍ରଶେଖର ୫ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୪ବର୍ଷର ଶିଶୁପୁତ୍ର ଅଛି। ତେବେ, କନକଲତା ପରପୁରୁଷ ସହ ସମ୍ପର୍କ ରଖିଥିବା ନେଇ ଚନ୍ଦ୍ରଶେଖର ସବୁବେଳେ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବହୁବାର ପାଟିତୁଣ୍ଡ ହେଉଥିଲା। ଗତକାଲି ଦିନରେ ମଧ୍ୟ ଏହି ଘଟଣାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା।ରାତିରେ ଖିଆପିଆ ସାରି ସମସ୍ତେ ଶୋଇଯିବା ପରେ ପୂର୍ବ ଯୋଜନା ମୁତାବକ ଚନ୍ଦ୍ରଶେଖର ଏକ ଟାଙ୍ଗିଆରେ କନକଲତାଙ୍କ ମୁଣ୍ତକୁ ଶକ୍ତ ଚୋଟ ପକାଇଥିଲେ। ତେବେ, ସେତିକିରେ ତାଙ୍କ ମନ ବୁଝି ନ ଥିଲା। କାଳେ ସେ ବଞ୍ଚିଯିବେ ଭାବି ରକ୍ତମୁଖା ଚନ୍ଦ୍ରଶେଖର କନକଲତାଙ୍କ ତଣ୍ଟିକୁ ଦୀର୍ଘ ସମୟ ଚିପି ଧରିଥିଲେ। ଏହି ନାରକୀୟ କାଣ୍ଡ ଭିଆଇବା ପରେ ହାତରେ ଲାଗିଥିବା ରକ୍ତ ସଫା କରି ଚନ୍ଦ୍ରଶେଖର ଟାଙ୍ଗିଆ ଧରି ଏକ ସ୍କୁଟିରେ ନିକଟସ୍ଥ କୋରୁଆ ଫାଣ୍ତିରେ ପହଞ୍ଚିଥିଲେ। ସେଠାରୁ ପୁଲିସ ହେପାଜତରେ ତାଙ୍କୁ ପାଟକୁରା ଥାନାକୁ ନିଆଯାଇଥିଲା ସେଠାରେ ସେ ଆଇଆଇସି ସୁଜିତ ପ୍ରଧାନଙ୍କ ନିକଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା କଥା ସ୍ବୀକାର କରିଥିଲା। ଏହାପରେ ପୁଲିସ ତାକୁ ଗିରଫ କରିବା ସହ ଟାଙ୍ଗିଆ ଓ ସ୍କୁଟି ଜବତ କରିଥିଲା। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍‌ ଭାବେ ଉପ-ଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ। ଖବର ପାଇ କନକଲତାଙ୍କ ଭାଇ ସନାତନ ଜେନା ଘଟଣାସ୍ଥଳରେ ପହଞ୍ଚିବା ସହ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର