କେନ୍ଦ୍ରାପଡ଼ା : ପତ୍ନୀଙ୍କୁ ହତ୍ୟା କରି ବିଷ ପିଇ ଦେଲା ସ୍ୱାମୀ

କେନ୍ଦ୍ରାପଡ଼ା : ପତ୍ନୀଙ୍କୁ ହତ୍ୟା କରି ବିଷ ପିଇଦେଇଛି ସ୍ବାମୀ। ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଗରାପୁର ଗାଁରେ ଦେଖିବାକୁ ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି ଘୁଙ୍ଗୁରି ମଳିକ(୫୫)। ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଝଜିନ୍ଦ୍ର ମଳିକ(୬୦)କୁ ସଦର ପୁଲିସ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳ‌ୟରେ ଭର୍ତ୍ତି କରିଛି। ତାର ଅବସ୍ଥା ସଂକଟାପନ୍ନ ରହିଛି।

ପୁଲିସ ସୂଚନାନୁଯାୟୀ, ଗତ କିଛି ଦିନ ହେବ ଅଭିଯୁକ୍ତ ଝଜିନ୍ଦ୍ରଙ୍କର ପତ୍ନୀଙ୍କ ସହିତ ମନୋମାଳିନ୍ୟ ଲାଗି ରହିଥିଲା। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବି ନ ଥିଲା। ଗତକାଲି ରାତିରେ କୌଣସି କାରଣକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ପତ୍ନୀଙ୍କୁ ଜୀବନରୁ ମାରିଦେବା ପାଇଁ ଅଭିଯୁକ୍ତ ସ୍ବାମୀ ଯୋଜନା କରିଥିଲା। ଯୋଜନା ମୁତାବକ ପତ୍ନୀ ଶୋଇପଡ଼ିବା ପରେ ବିଳମ୍ବିତ ରାତିରେ ସ୍ବାମୀ ଭୁଜାଲିରେ ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲା। ଫଳରେ ବିଛଣାରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା।। ପତ୍ନୀ ମରିଯିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲା ସ୍ବାମୀ। ଅନ୍ୟ କିଛି ଉପାୟ ନ ପାଇ ଘରେ ରଖିଥିବା କୀଟନାଶକ ଔଷଧ ପିଇ ଦେଇଥିଲା। ସାରା ରାତିରେ ବିଷ ଜ୍ବାଳାରେ ଛଟପଟ ହୋଇଥିଲା। ସକାଳେ ଚିତ୍କାର ଶୁଣି ପଡ଼ୋଶୀ ଲୋକ କବାଟ ବାଡ଼େଇଥିଲେ। ମାତ୍ର ଭିତରୁ ବନ୍ଦ ଥିବାରୁ ପୁଲିସକୁ ଖବର ଦେଇଥିଲେ। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝଜିନ୍ଦ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳ‌ୟରେ ଭର୍ତ୍ତି କରିଥିଲା। ଘର ଭିତରୁ ପୁଲିସ ମହିଳାଙ୍କ ମୃତଦେହ ଜବତ କରିଥିଲା। ପାରିବାରିକ କଳହ ପାଇଁ ଏଭଳି ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର