ଅଭାବ ଯୋଗୁଁ କଳି : ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

କୁଜଙ୍ଗ : ଆର୍ଥିକ ଅନଟନ ଯୋଗୁଁ ଦାମ୍ପତ୍ୟ କଳହ କେତେ ଉଗ୍ର ହୋଇପାରେ, ତା’ର ଉଦାହରଣ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ହସିଣା(ଖ)ପଡ଼ାରେ ଦେଖିବାକୁ ମିଳିଛି। ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର କଳହ ଏବଂ ଶେଷରେ ସ୍ବାମୀଙ୍କ କଟୁରୀ ଚୋଟରେ ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

ହସିଣା(ଖ) ପଡ଼ାର ଶ୍ରୀଧର ତରାଇଙ୍କ ପୁତ୍ର ମେଘନାଥ ତରାଇ ଓରଫ ମେଘନ(୪୨) ଏବଂ ତାଙ୍କ ପତ୍ନୀ ପାର୍ବତୀ ତରାଇ ଓରଫ ମାନୁ(୩୭)ଙ୍କ ମଧ୍ୟରେ ଟଙ୍କାପଇସାକୁ ନେଇ ଅନେକ ସମୟରେ କଳିଝଗଡ଼ା ହେଉଥିଲା। ମାନୁ ଏକାଧିକ ମାଇକ୍ରୋଫାଇନାନ୍ସ ଏବଂ ମହିଳା ସ୍ବୟଂସହାୟିକା ଗୋଷ୍ଠୀରୁ ପରିବାର ପାଇଁ ଋଣ ଆଣିଥିଲେ। ଏପରିକି ବଜାଜ ଫାଇନାନ୍ସରୁ ମଧ୍ୟ ସହଜ କିସ୍ତିରେ ଘର ପାଇଁ କିଛି ଉପକରଣ କ୍ରୟ କରିଥିଲେ। ଏ ସମସ୍ତ ଋଣର କିସ୍ତି ପରିଶୋଧ ଦାୟିତ୍ବ ସ୍ବାମୀ ମେଘନଙ୍କ ଉପରେ ଥିଲା। ମେଘନ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଅଧିକ ଆୟ କରିବା ପାଇଁ ସେ ଅନେକ ସମୟରେ ଟ୍ରାକ୍ଟରରେ ଶ୍ରମିକ ଭାବେ ମଧ୍ୟ କାମ କରୁଥିଲେ। ତେବେ ଏହି ଅର୍ଥରେ ପରିବାରର ଆବଶ୍ୟକତା ପୂରଣ ହୋଇପାରୁ ନଥିବାରୁ ସେମାନଙ୍କ ଭିତରେ କଳିଝଗଡ଼ା ହେଉଥିଲା। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଏହାକୁ ନେଇ କଳିଝଗଡ଼ା ହୋଇଥିଲା। ଏହି ସମୟରେ ମେଘନ ଅତିଶୟ ରାଗି ଏକ କଟୁରୀରେ ମାନୁଙ୍କ ମୁଣ୍ଡର ପଛପଟ ଓ ବେକରେ ଏକାଧିକବାର ପ୍ରହାର କରିଥିଲେ। ଘଟଣାସ୍ଥଳରେ ହିଁ ମାନୁଙ୍କର ମୃତ୍ୟ ଘଟିଥିଲା। ଏହାପରେ ମେଘନ ଘରକୁ ବାହାରପଟୁ ତାଲା ପକାଇ ବାହାରେ ରହିଥିଲେ। ଖବର ପାଇ ପୁଲିସ ଭୋର ସମୟରେ ପଂହଚି ତାଙ୍କୁ ଗିରଫ କରିଥିଲା।

ମୃତ ମାନୁଙ୍କ ଭାଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଡ଼ାହାଳପୁର ଗ୍ରାମର ପୃଥ୍ବୀରାଜ ମାହାଳୀଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ପୁଲିସ ଏକ ମାମଲା ରୁଜୁ କରି ମେଘନଙ୍କୁ ଗିରଫ କରିଛି। ଅପରାଧରେ ବ୍ୟବହୃତ କଟୁରୀ ଓ ରକ୍ତଭିଜା ସାର୍ଟକୁ ପୁଲିସ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା କୁଜଙ୍ଗ ଥାନା ଅଧିକାରୀ ପାରାଓ ଟୁଡୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର