ନିଆଳି : ଆନ୍ତର୍ଜାତିକ ମହିଳା ଦିବସରେ ସ୍ତ୍ରୀକୁ ଜାଳିଦେଲା ପିଶାଚ ସ୍ୱାମୀ

ନିଆଳି : ସାରା ବିଶ୍ବ ଆଜି ପାଳନ କରୁଛି ଆନ୍ତର୍ଜାତିକ ମହିଳା ଦିବସ। ଏଭଳି ଏକ ଦିନରେ ଜଣେ ପିଶାଚ ସ୍ବାମୀ ଘଟାଇଛି ଅମାନବୀୟ କାଣ୍ଡ। ଝିଅର ପ୍ରେମ ବିବାହରେ କ୍ଷୁବ୍ଧ୍‌ ହୋଇ ପତ୍ନୀଙ୍କୁ କୋଠରୀରେ ବନ୍ଦ କରି ଜାଳି ଦେଇଛି। ଫଳରେ, ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାଠାରେ ପ୍ରାଣ ହରାଇଛନ୍ତି କବିତା କୁମାରୀ ଦାସ (୪୮)। କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କାନପୁର-ଖରିଗର ଗ୍ରାମରେ ଘଟିଛି ଏହି ଅମାନବୀୟ ଘଟଣା। ମୃତ କବିତାଙ୍କ ଭାଇ ଏ ନେଇ ନିଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ, ଏହିଭଳି କାଣ୍ଡ ଘଟାଇବା ପରେ ଫେରାର୍‌ ହୋଇଯାଇଛି ସ୍ବାମୀ ଜ୍ୟୋତିରଂଜନ ଦାସ।

ଅଭିଯୋଗ ଅନୁସାରେ, ନିଆଳି ବ୍ଲକ୍‌ କାନପୁର-ଖରିଗର ଗ୍ରାମର ଜ୍ୟୋତିରଂଜନ ଦାସ ରବିବାର ସକାଳ ପ୍ରାୟ ସାଢେ ୯ଟାରେ ନିଜ ପତ୍ନୀ କବିତାଙ୍କୁ ଘର ଭିତରେ ବନ୍ଦ କରି କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା। ସେଇ ବାଟ ଦେଇ ଯାଉଥିବା ମା’ ଘର ନିଆଳି ଶାଖା ସଭାନେତ୍ରୀ କନକଲତା ସାହୁ ଓ ସ୍ଥାନୀୟ କିଛି ପଡ଼ିଶା ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ଡାକ ପକାଇଥିଲେ। ଘର କବାଟ ଖୋଲିବା ପରେ ଭିତରେ କବିତା ପୋଡ଼ି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ତାଙ୍କୁ ନିଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କବିତାଙ୍କ ମୃତ୍ୟୁ ଘଟିଛି। କବିତାଙ୍କ ମୃତ୍ୟୁ ପରେ ଭାଇ ଧରଣୀଧର ନିଆଳି ଥାନାରେ ତାଙ୍କ ଭଉଣୀଙ୍କୁ ପୋଡ଼ି ମାରି ଦିଆଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି। ସପ୍ତାହେ ତଳେ ତାଙ୍କ କବିତାଙ୍କ ଝିଅ ପ୍ରେମ କରିବା ସହ କୋର୍ଟରେ ରେଜେଷ୍ଟ୍ରି ବିବାହ ମଧ୍ୟ କରିଛନ୍ତି। ଏହାର ପଛରେ କବିତାଙ୍କ ହାତଥିବା ସନ୍ଦେହ କରି ସ୍ବାମୀ ଜ୍ୟୋତିରଂଜନ ଶାରିରୀକ ମାନସିକ ନିର୍ଯାତନା ଦେବା ସହ ଆଜି ତାଙ୍କ ଭଉଣୀଙ୍କୁ ପୋଡ଼ି ମାରି ଦେଇଥିବା ନେଇ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇଲା ପରେ ପୁଲିସ୍‌ ଏକ ମାମଲା (୫୪/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀ ଫେରାର୍ ଥିବା ନେଇ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ୍ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର