ଦୁର୍ଦ୍ଦାନ୍ତ ଶିକାରୀର ଟାର୍ଗେଟରେ ନିଜ ପତ୍ନୀ: ସ୍ତ୍ରୀକୁ ମାରି ଶବ ନେଇ ଫେରାର୍‌! ଘଟଣାସ୍ଥଳରୁ ଖାଲି ହାତରେ ଫେରିଲା ପୁଲିସ

ନୂଆଗାଁ : ବର୍ଷ ବର୍ଷଧରି ଶିକାର କରି ପେଟ ପୋଷୁଥିବା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ କରଚୁଲି ଅଞ୍ଚଳର ଦୁର୍ଦ୍ଦାନ୍ତ ଶିକାରୀ ପ୍ରହଲ୍ଲାଦ ଗୁରୁ ଗତକାଲି ରାତିରେ ତା’ର ସ୍ତ୍ରୀ ଅବନ୍ତି ଗୁରୁକୁ ମାରି ଶବ ଗାଏବ କରି ନିଜେ ଫେରାର୍‌ ହୋଇଯାଇଥିବା ଘଟଣା ବର୍ତ୍ତମାନ ସମୟରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଅନୁସନ୍ଧାନ କରିବା ସହ ବହୁ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ଖାଲି ହାତରେ ଫେରିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆଗାଁ ବ୍ଲକ୍‌ ଜାକେଡ଼ା ଗ୍ରାମ ପଞ୍ଚାୟତ କରଚୁଲି ଗ୍ରାମର ପହଲ୍ଲାଦ ଗୁରୁ ୨୦ ବର୍ଷ ତଳେ ବୌଦ୍ଧ ଜିଲ୍ଲା ତଳଗାଁ ଗ୍ରାମପଞ୍ଚାୟତର ଲୁଣ୍ତୁରିଝରୀ ଗ୍ରାମର ଅବନ୍ତି ଗୁରୁକୁ ବିବାହ କରିଥିଲା। ଏହି ବିବାହର ୧୦ ବର୍ଷ ପରେ ନୂଆଗାଁ ବ୍ଲକ୍‌ ଗୁମୀ ପଞ୍ଚାୟତ ଅନ୍ତର୍ଗତ ପୁଷ୍ପ ଗୁରୁକୁ ବିବାହ ନ କରି ଘରେ ଆଣି ରଖୁଥିଲା। ପୁଷ୍ପ ପ୍ରହଲ୍ଲାଦର ସମ୍ପର୍କରେ ଆସିବା ପୂର୍ବରୁ ନୂଆଗାଁ ପଞ୍ଚାୟତର ଭେଟପଲ୍ଲୀ ଗ୍ରାମରେ ବିବାହ କରିଥିଲେ। ତେବେ ପୁଷ୍ପ ଏବଂ ପ୍ରହଲ୍ଲାଦର ଏକତ୍ର-ବାସକୁ ଅବନ୍ତି ବିରୋଧ କରୁଥିଲେ। ଏଥି ଯୋଗୁ ପରେ ପୁଷ୍ପ ପ୍ରହଲାଦକୁ ଛାଡ଼ି ଚାଲିଯାଇଥିଲେ। ପ୍ରହଲ୍ଲାଦ ପ୍ରତିଦିନ ମଦ ପିଇ ନିଶାରେ ରହୁଥିବା ବେଳେ ପୁଷ୍ପା ଫେରିଯିବା ପରଠାରୁ ତା’ର ମଦ ପିଇବା ଯଥେଷ୍ଟ ବଢ଼ିଯାଇଥିବା ବେଳେ ସ୍ତ୍ରୀ ଅବନ୍ତି ସହ ମଧ୍ୟ ଝଗଡ଼ା ଓ ମାରପିଟ ମଧ୍ୟ ବଢ଼ିଯାଇଥିଲା। ପ୍ରତିଦିନ ସ୍ବାମୀ-ସ୍ତ୍ରୀ ଜଙ୍ଗଲକୁ ଶିକାର କରିବାକୁ ଯିବା ସେମାନଙ୍କର ନିତିଦିନିଆ କାର୍ଯ୍ୟ ହୋଇଥିବା ବେଳେ, ପ୍ରହଲ୍ଲାଦ ଗ୍ରାମରେ ପ୍ରାୟ ଲୋକଙ୍କ ସହ ଝଗଡ଼ା ଓ ମାରପିଟ କରିଥାଏ। ଏଥିଲାଗି ଗ୍ରାମର ଲୋକମାନେ କେହି ତାକୁ ଭଲ ପାଉ ନଥିବା ବେଳେ ସେ ଗାଁ ଛାଡ଼ି ୧୨ ବର୍ଷ ହେଲା ପାହାଡ଼ ତଳେ ପାଲ ଟାଣି ନିଜ ସ୍ତ୍ରୀ ଓ ପୁଅଝିଅଙ୍କ ସହ ରହୁଥିଲା।

ଗତକାଲି ରାତିରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାପା-ମା’ଙ୍କ ଝଗଡ଼ା ଦେଖି ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅଝିଅ ରାତି ୧୧ଟା ସମୟରେ ଗାଁ ଭିତରକୁ ଚାଲି ଆସିଥିଲେ। ତେବେ ଏହା ସେମାନଙ୍କର ନିତିଦିନିଆ ଅଭ୍ୟାସ ହୋଇଥିବାରୁ ଗାଁ ଲୋକେ ଏବଂ ପିଲାମାନେ କେହି ଘଟଣାକୁ ଗୁରୁତ୍ବ ଦେଇ ନଥିଲେ। ତେବେ ଗତକାଲି ରାତି ୧୨ଟାରେ ଅବନ୍ତିର ଚିତ୍କାର ଗାଁ ଲୋକ ଶୁଣିଥିଲେ ମଧ୍ୟ କେହି ଘଟଣାସ୍ଥଳକୁ ଭୟରେ ଯାଇନଥିଲେ। ପ୍ରତିଦିନ ଭଳି ଅବନ୍ତି ଗାଁ ଭିତରକୁ ପାଣି ନେବାକୁ ନ ଆସିବାରୁ ଗାଁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ପରେ ମା’ କ’ଣ ପାଇଁ ପାଣି ନେବାକୁ ଆସିନାହାନ୍ତି ବୋଲି ପିଲାମାନଙ୍କୁ ପଚାରିବାରୁ ସେମାନେ ଜାଣିନଥିବା କହି ନିଜ ଘର ଅଭିମୁଖେ ଚାଲିଯାଇଥିଲେ। ସେଠାରେ ପହଞ୍ଚିବା ପରେ ମା’ ମରିଯାଇଥିବା କଥା ସେ ପିଲାମାନଙ୍କୁ କହିଥିଲା। ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚହଳ ଖେଳିଯାଇଥିଲା। ଖବର ଶୁଣି ଅବନ୍ତିଙ୍କ ବାପଘର ଲୋକ କରଚୁଲି ଗ୍ରାମରେ ପହଞ୍ଚି ଘଟଣା ବିଷୟରେ ଶୁଣି ଫେରିଯାଇଥିଲେ। ନୂଆଗାଁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ପ୍ରହଲ୍ଲାଦ ଏବଂ ଅବନ୍ତିଙ୍କୁ ଖୋଜିଥିଲେ ମଧ୍ୟ କୌଣସି ସୁରାକ ବା ସୂଚନା ମିଳିନଥିଲା। ତେବେ ସେମାନଙ୍କ ଘର ଅଗଣା ଲିପାଯାଇଥିବା ଓ କାନଫୁଲ ଛିଣ୍ଡି ପଡ଼ିଥିବା ଦେଖିବାକୁ ମିଳିଥିଲା।

କରଚୁଲି ଗ୍ରାମ ସଭାପତି ତଥା ପ୍ରହଲ୍ଲାଦର ଭାଇ ପ୍ରମୋଦ ଗୁରୁଙ୍କ କହିବା ମୁତାବକ, ଆଗରୁ ୧୨ ଥରରୁ ଅଧିକ ପ୍ରହଲ୍ଲାଦ ନାମରେ ଅପରାଧିକ ମାମଲା ରୁଜୁ ହୋଇଛି। ଗତ ୧୫ ଦିନ ତଳେ ଜଣକ ସହ ମାର୍‌ପିଟ୍‌ କରି ଜେଲ୍‌ ଯାଇଥିଲା। ତେବେ ଅବନ୍ତି ମରିଛନ୍ତି ବୋଲି ଶୁଣିବା ପରଠାରୁ ଗ୍ରାମରେ କାହାରି ଘରେ ଚୁଲି ଜଳି ନଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରହଲ୍ଲାଦ ଜଙ୍ଗଲ ଭିତରେ ଲୁଚି ରହିଥିବା ଗ୍ରାମବାସୀ ପ୍ରକାଶ କରିବା ସହିତ ଭୟଭୀତ ହୋଇପଡ଼ିଥିବା କହିଛନ୍ତି।

ସମ୍ବନ୍ଧିତ ଖବର