ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ୧୩ ବର୍ଷ ପରେ ଜାମିନ୍‌ ପାଇଲେ ରାମା ରାଓ

ଆଜୀବନ ସଜା କାଟୁଥିଲେ

ବ୍ରହ୍ମପୁର : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାରେ ଗିରଫ ହୋଇଥିବା ମାଓ ଅଭିଯୁକ୍ତ ପି. ରାମା ରାଓ ଓରଫ୍‌ ଉଦୟ ଓରଫ୍‌ ଶ୍ୟାମ(୪୫)ଙ୍କୁ ଦୀର୍ଘ ୧୩ବର୍ଷ ପରେ ଜାମିନ୍‌ ମିଳିଛି। ହତ୍ୟା ମାମଲାରେ ଫୁଲବାଣୀ ଜିଲ୍ଲା କୋର୍ଟ ତାଙ୍କୁ ଆଜୀବନ କାରାଦାଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ସର୍ତମୂଳଜ ଜାମିନ୍‌ ପ୍ରଦାନ କରିଥିବା ତାଙ୍କର ଓକିଲ ଡି. ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗୁଣପୁର କୋର୍ଟରେ ତାଙ୍କ ନାମରେ ଆଉ ଏକ ମାମଲା ବିଚାରାଧୀନ ରହିଛି। ସେହି ମାମଲାରେ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିବା ପରେ ସେ ଗତକାଲି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

୨୦୦୯ରେ ମାଓ କାର୍ଯ୍ୟକଳାପ ଅଭିଯୋଗରେ ରାମାଙ୍କୁ ପଦ୍ମପୁର ଥାନା ପୁଲିସ ଗିରଫ କରିଥିଲା। ପରେ ପୁଲିସ ବାଲିଗୁଡ଼ା କୋର୍ଟରେ ତାଙ୍କୁ ହାଜର କରି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲାରେ ଯୋଡ଼ିଥିଲା। ସେ ଗୁଣପୁର ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ। ଫୁଲବାଣୀ ଜିଲ୍ଲାଜଜ୍‌ ତାଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସୁରକ୍ଷା ଦୃଷ୍ଟିକୋଣରୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ଫୁଲବାଣୀ ଜିଲ୍ଲାଜଜ୍‌ କୋର୍ଟର ରାୟକୁ ଚାଲେଞ୍ଜ କରି ତାଙ୍କର ଓକିଲ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହା ସହିତ ଜାମିନ୍‌ ପାଇଁ ଆବେଦନ କରିଥିଲେ। ହେଲେ ଜାମିନ୍‌ ମଂଜୁର ହୋଇ ନଥିଲା। ଏଣୁ ସେ ସୁପ୍ରିକୋର୍ଟରେ ଆବେଦନ କରିଥିଲେ। ଗତ ୨୦୨୧ ଡିସେମ୍ବର ମାସରେ ତାଙ୍କର ଜାମିନ୍‌ ମଂଜୁର ହୋଇଥିଲା। ହେଲେ ଗୁଣପୁର ଆଡିସନାଲ୍‌ ସେସନ୍ସ ଜଜ୍‌ କୋର୍ଟରେ ବିଚାରାଧୀନ ଥିବା ମାମଲାରେ ଜାମିନ୍‌ ମିଳି ନଥିଲା। ଏଣୁ ତାଙ୍କର ଓକିଲ ହାଇକୋର୍ଟରେ ଆ‌ବେଦନ କରିଥିଲେ। ହାଇକୋର୍ଟ ଜାମିନ୍ ପ୍ରଦାନ କରିବା ପରେ ଗୁଣପୁର କୋର୍ଟରେ କାଗଜପତ୍ର ଦାଖଲ କରାଯାଇଥିଲା। ଏହାପରେ ଗତକାଲି ରାମା ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସର୍ତମୂଳଜ ଜାମିନ୍‌ରେ ବାହାରିଥିବା ତାଙ୍କର ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର