ଝାରସୁଗୁଡ଼ା/ ଭଦ୍ରକ: ଗତ ମାସରେ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଜଣେ ମହିଳା ପୁଲିସ୍ଠାରୁ ନ୍ୟାୟ ନ ପାଇ ଥାନା ସମ୍ମୁଖରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳାଙ୍କ ସ୍ବାମୀ ପ୍ରାୟ ୫ କୋଟି ଟଙ୍କା ନେଇଯିବା ପରେ ସ୍ତ୍ରୀ-ପୁଅକୁ ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲେ। ତେବେ ତାଙ୍କ ସ୍ବାମୀ ଝାରସୁଗୁଡ଼ାରେ ଥିବା ସୂଚନା ପାଇବା ପରେ ମହିଳାଜଣକ ଝାରସୁଗୁଡ଼ା ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ଝାରସୁଗୁଡ଼ା ପୁଲିସ୍ ଏକ ଟିମ୍ ଗଠନ କରି ବେଙ୍ଗାଲୁରୁର ଏକ କମ୍ପାନିରୁ ଅଭିଯୁକ୍ତ ମନୋଜ ନାୟକଙ୍କୁ ଗିରଫ କରି ଝାରସୁଗୁଡ଼ା ଆଣିଥିଲା। ଆଜି ବନ୍ତ ପୁଲିସ୍ ଅଭିଯୁକ୍ତକୁ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି।
ଗୁଜୁରାଟ ଅହମ୍ମଦାବାଦର ହିରଲବେନ୍ ମୋଦି (୩୩) ଓ ଭଦ୍ରକର ମନୋଜ ନାୟକ (୩୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୯ରେ ଉଭୟ ବିବାହ କରିଥିଲେ। ମନୋଜଙ୍କ ଜେଜେ ବାପା ବିଜେଡିର ସଭାପତି ଥିବା ବେଳେ ତାଙ୍କ ପାଖରେ ଅମାପ ସମ୍ପତ୍ତି ଥିବା କହି ବିବାହ କରିଥିବା ହିରଲବେନ୍ ଅଭିଯୋଗ କରିଛନ୍ତି। ବିବାହ ପରେ ତାଙ୍କଠାରୁ ବ୍ୟବସାୟ ନାଁରେ ପାଖାପାଖି ୫ କୋଟି ଟଙ୍କା ଆଣି ମନୋଜ ଫେରାର ହୋଇଯାଇଥିଲେ। ସେପଟେ ମନୋଜଙ୍କୁ ଖୋଜି ଖୋଜି ମହିଳାଜଣକ ୬ ମାସ ତଳେ ଭଦ୍ରକ ବନ୍ତସ୍ଥିତ ଶ୍ବଶୁର ଘରେ ପହଞ୍ଚିଥିଲେ। ବହୁ ବାଦ ବିବାଦ ମଧ୍ୟରେ ହିରଲବେନ୍ ନିଜ ଶିଶୁପୁତ୍ରକୁ ଧରି ଶ୍ବଶୁର ଘରେ ସ୍ବାମୀ ଅପେକ୍ଷାରେ ରହିଥିଲେ। କିନ୍ତୁ ସ୍ତ୍ରୀ ଥିବା ଜାଣି ସ୍ବାମୀ (ମନୋଜ) ଆଉ ଘରକୁ ଆସିଲେ ନାହିଁ। ଏ ନେଇ ହିରଲ୍ବେନ୍ ବନ୍ତ ଥାନା ଓ ଭଦ୍ରକ ଏସ୍ପିଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଭଦ୍ରକ ପୁଲିସ୍ ମନୋଜଙ୍କୁ ଧରି ନ ଥିଲା। ଏହା ପରେ ମନୋଜ ଝାରସୁଗୁଡ଼ାରେ ଥିବା ସୂଚନା ପାଇ ହିରଲ୍ବେନ୍ ଏଠାକୁ ଆସି ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ।