ସମ୍ବଲପୁର: ହୀରାକୁଦ ଥାନା ଅଞ୍ଚଳରେ ଏକ ଅନୁଷ୍ଠାନରେ ଚାକିରି କରୁଥିବା ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଚାଟ୍‌କୁ ତାଙ୍କ ସ୍ବାମୀ ଭାଇରାଲ୍‌ କରୁଛି। ତାହା ପୁଣି ମହିଳା ଚାକିରି କରୁଥିବା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଖକୁ ପଠାଉଛି। ହୀରାକୁଦ ଥାନାରେ ନିଜ ସ୍ବାମୀ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମହିଳା। ଏଭଳି ମାନସିକ ନିର୍ଯାତନା ଆଗକୁ କରାଗଲେ ସେ ଆତ୍ମହତ୍ୟା କରିବେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ରେ କଟକର ସୋଲୋମାନଙ୍କୁ ସେ ବିବାହ କରିଥିଲେ। ବିବାହର ୧୫ ଦିନ ପରେ ତାଙ୍କ ସ୍ବାମୀ ନିର୍ଯାତନା ଦେବା ଆରମ୍ଭ କରିଦେଲା। ଶେଷରେ ମହିଳା ଜଣକ ତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ। ଉଭୟଙ୍କର ଛାଡ଼ପତ୍ର ମାମଲା ଏବେ ବିଚାରାଧୀନ ରହିଛି। କିନ୍ତୁ ସୋଲୋମାନ ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ପୂର୍ବରୁ କରିଥିବା କିଛି ଚାଟ୍‌କୁ ଭାଇରାଲ୍‌ କରିବାରେ ଲାଗିଛି। ସେ ମହିଳା ଚାକିରି କରୁଥିବା ଅନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ଫଟୋ ଆଦି ପଠାଉଛନ୍ତି। ଏ ବିଷୟରେ ଜାଣିବା ପରେ ମହିଳା ଜଣକ ବିରୋଧ କିରଥିଲେ। କିନ୍ତୁ ତାଙ୍କ ସ୍ବାମୀ କିଛି ଶୁଣି ନଥିଲେ। ଏ ବିଷୟରେ ମହିଳା ଜଣକ ତାଙ୍କ ଭାଇଙ୍କୁ ଯେତେବେଳେ ଜଣାଇଥିଲେ, ସେ ମଧ୍ୟ ସୋଲୋମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତା ପରେ ମଧ୍ୟ ସେ କିଛି ନଶୁଣି ଭାଇରାଲ୍‌ କରୁଥିବା ମହିଳା ଅଭିଯୋଗ କରିଛନ୍ତି। କୌଣସି ଉପାୟ ନପାଇ ଶେଷରେ ମହିଳା ହୀରାକୁଦ ଥାନାରେ ଅଭିଯୋଗ କରିଥିଲେ।

ଯୁବତୀଙ୍କ ନାଁରେ ଫେକ୍‌ ଆଇଡି

ବୁର୍ଲା ଥାନା ଅଞ୍ଚଳର ଆଉ ଜଣେ ଯୁବତୀଙ୍କ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଯୁବତୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରୁ ଫଟୋ ନେଇ କେହି ଦୁର୍ବୃତ୍ତ ତାଙ୍କ ନାଁରେ ଏକ ଫେକ୍‌ ଆଇଡି ଖୋଲିଛି। ସେହି ଫେକ୍‌ ଆଇଡିରେ ଯୁବତୀଙ୍କ ଫଟୋ ଛାଡ଼ି ଅଶ୍ଳୀଳ ବାର୍ତ୍ତା ଲେଖୁଛି। ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଯୁବତୀ ଜଣକ ବୁର୍ଲା ଥାନାରେ ଶନିବାର ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।