ଯୋଡ଼ା: କମାରଯୋଡ଼ାର ଜଣେ ନବ ବିବାହିତା ମହିଳା ପାର୍ବତୀ ପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ଆଜି ତାଙ୍କ ସ୍ବାମୀ ଟୁକୁ ପାତ୍ର ଓ ଶାଶୂ ସୋମବାରୀ ପାତ୍ରଙ୍କୁ ଗିରଫ କରିଛି। ଟୁକୁ ଓ ପାର୍ବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ମାସେ ତଳେ ପାର୍ବତୀଙ୍କୁ ସ୍ତ୍ରୀ ଭାବେ ଟୁକୁ ଘରକୁ ଆଣିଥିଲେ। ପରେ ଶାଶୂଘର ଲୋକେ ପାର୍ବତୀଙ୍କୁ ନିର୍ଯାତନା ଦେଇଥିଲେ। ପାର୍ବତୀଙ୍କ ଗର୍ଭ ନଷ୍ଟ କରିବା ପାଇଁ ଶୁକ୍ରବାର ରାତିରେ ଶାଶୂଘର ଲୋକେ ତାଙ୍କୁ ଔଷଧ ଖୁଆଇ ଦେଇଥିଲେ। ପାର୍ବତୀ ବାପଘରକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ।
ବାପଘର ଲୋକେ ତାଙ୍କୁ ବୁଝାଇ ପୁଣି ଶାଶୂଘରକୁ ପଠାଇ ଦେଇଥିଲେ। ଶାଶୂଘରକୁ ଫେରିବାର କିଛି ଘଣ୍ଟା ପରେ ଗତକାଲି ସକାଳ ପ୍ରାୟ ୮ଟା ବେଳେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଖବର ପାଇଥିଲେ। ପାର୍ବତୀ ଆତ୍ମହତ୍ୟା କରିନାହାନ୍ତି। ତାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ କେସ୍ ନମ୍ବର ୧୨୯/୨୦୨୩ରେ ହତ୍ୟା ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି।