ପିଲାମାନେ ଆମ୍ବ ଖାଇଦେଲେ ବୋଲି… ସ୍ତ୍ରୀକୁ ବାଡ଼େଇ ମାରିଦେଲା ସ୍ବାମୀ

ଧାମନଗର: ପିଲାମାନେ ଆମ୍ବ ଖାଇ ଦେଇଛନ୍ତି, ଆଉ ନାହିଁ। ଏ କଥା ଶୁଣି ସ୍ବାମୀ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ଆଉ ସ୍ତ୍ରୀକୁ ବାଉଁଶ ଫାଳିଆରେ ପିଟି ପିଟି ମାରିଦେଲା ନୃଶଂସ ସ୍ବାମୀ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଜଳମଣ୍ଡୁଆ ଗାଁର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଘଟଣାରୁ ପ୍ରକାଶ, ଜଳମଣ୍ଡୁଆ ଗାଁର କାର୍ତ୍ତିକ ଯେନା (୪୦) ତାଙ୍କ ସ୍ତ୍ରୀ ସସ୍ମିତା (୩୪)ଙ୍କୁ ଗତକାଲି ସନ୍ଧ୍ୟାରେ ଆମ୍ବ ଖାଇବାକୁ ମାଗିଥିଲେ। ମାତ୍ର ପିଲାମାନେ ଆମ୍ବ ଖାଇ ଦେଇଛନ୍ତି ବୋଲି ସସ୍ମିତା କହିବାରୁ ମଦ ପିଇଥିବା କାର୍ତ୍ତିକ ଏକ ବାଉଁଶ ଫାଳିଆରେ ସସ୍ମିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସସ୍ମିତା ଅଚେତ ହୋଇଯିବାରୁ କାର୍ତ୍ତିକ ତାଙ୍କୁ ଏକ ଅଟୋରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ହେଲେ ଡାକ୍ତର ସେଠାରେ ସସ୍ମିତାଙ୍କୁ ମୃତ ଘୋଷଣା କରିବା ପରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା କାର୍ତ୍ତିକ। ଡାକ୍ତରଙ୍କଠାରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରୁ କାର୍ତ୍ତିକକୁ ଧରି ଧାମନଗର ପୁଲିସ ଜିମା ଦେଇଥିଲା। ନିଶାସକ୍ତ ଅବସ୍ଥାରେ ପତ୍ନୀକୁ ବାଉଁଶ ଫାଳିଆରେ ପିଟିପିଟି ମାରି ଦେଇଛି ବୋଲି ଅଭିଯୁକ୍ତ ପୁଲିସ ଆଗରେ ପ୍ରକାଶ କରିଛି। ଥାନା କେସ୍ ନଂ ୧୩୪/୨୦, ଆଇପିସି ୩୪୧,୩୦୨, ୩୪ ଧାରାରେ ଅଭିଯୁକ୍ତ କାର୍ତ୍ତିକକୁ ଗିରଫ କରାଯାଇଥିବା ଧାମନଗର ଥାନା ଆଇଆଇସି ରତିକାନ୍ତ ଗିରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର