ଝାରସୁଗୁଡ଼ା/ଲଇକେରା: ଲଇକେରା ଥାନା ସାହାସପୁର ଫାଣ୍ଡି ପାକେଲପଡ଼ା ହାଇସ୍କୁଲ ପଡ଼ାରେ ଆଜି ସନ୍ଧ୍ୟାରେ ନିଜ ପତ୍ନୀର ବେକରେ ପିନ୍ଧିଥିବା ଲୁଙ୍ଗିକୁ ଗୁଡ଼ାଇ ପତ୍ନୀର ତଣ୍ଟିଚିପି ତାକୁ ହତ୍ୟା କରିଛି ସ୍ୱାମୀ। ଏହି ଘଟଣା ପରେ ଅଭୁଯୁକ୍ତ ହତ୍ୟାକାରୀ ସ୍ୱାମୀ ସାହାସପୁର ଫାଣ୍ଡିକୁ ଆସି ଆତ୍ମସମର୍ପଣ କରିଥିବା ଜାଣିବାକୁ ମିଳିଛି।
ପ୍ରାପ୍ତ ସୂଚନା ଅନୁସାରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆଜି ଝଗଡ଼ା ହୋଇଥିଲା। ଅଭିଯୁକ୍ତ ସ୍ୱାମୀ ଡିଲେଶ୍ୱର ଛୁରା (୪୭) ପତ୍ନୀ ହୀରାମତି ଛୁରା (୩୬)ଙ୍କ ବେକରେ ନିଜେ ପିନ୍ଧି ଥିବା ଲୁଂଗିକୁ ପତ୍ନୀଙ୍କ ତଣ୍ଟିରେ ଗୁଡ଼ାଇ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛି। ଏବଂ ପରେ ଥାନାରେ ଆସି ନିଜେ କରିଥିବା ଅପରାଧକୁ ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଛି। ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ କହିଛନ୍ତି, ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଛି। ଆମର ପୁଲିସ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ପରିବାର ଲୋକ ଶୁକ୍ରବାର ଦିନ ସକାଳୁ ଆସି ପହଞ୍ଚିଲା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଜିବ। ଏଥି ସହ ଏହି ଘଟଣାର ତଦନ୍ତ କାର୍ଯ୍ୟ ଅବ୍ୟାହତ ରହିଥିବା ସେ ସୂଚନା ଦେଇଛନ୍ତି।