ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ତାରାଗାଁରେ ସ୍ବାମୀର କୋଦାଳ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ଆଜି ସଂଧ୍ୟାରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ତାରାଗାଁ ଗ୍ରାମର ମୋହନ ହରିଜନର ସ୍ତ୍ରୀ ନବୀନା ହରୀଜନ(୨୮)। ମୃତକ ନବୀନାର ପରିବାର ବର୍ଗଙ୍କ କହିବା ଅନୁଯାୟୀ ମୋହନ ସେହି ଗାଁର ବିଜୟ ହରୀଜନଙ୍କ ଝିଅ ନବୀନାଙ୍କୁ ପ୍ରାୟ ୧୦ ବର୍ଷ ପୂର୍ବେ ବିବାହ କରିଥିଲେ । ଉଭୟଙ୍କ କୌଣସି ସନ୍ତାନ ନଥିବା ବେଳେ ପ୍ରାୟ ୧ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ମନମାଳିନ୍ୟ ରହିଥିଲା । ୬ମାସ ପୂର୍ବେ ଏହି ମାମଲା ଥାନାରେ ପହଞ୍ଚିଥିଲା। ଥାନାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବ‌ା କଳିକୁ ସମାଧାନ କରିଥିଲେ। ତେବେ ମୋହନର ଥିବା ୨ ବଖରା ଘରକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଭଦ୍ର ଲୋକଙ୍କ ଉପସ୍ଥିତି ରେ ବଣ୍ଟାଯାଇଥିଲା। ସେହି ଦିନ ଠାରୁ ସ୍ତ୍ରୀ ନବୀନା ବାପା ଘରେ ରହି ଆସୁଥିଲେ। ଆଜି ନବୀନାଙ୍କ ଭାଗ ରେ ପଡିଥିବା ଘରକୁ ଭଡା ଦେବା ପାଇଁ ମୋହନ ଉଦ୍ୟମ କରୁଥିବାର ଖବର ପାଇ ନବୀନା ସଂଧ୍ୟାରେ ଘରକୁ ଯାଇଥିଲେ ।

Advertisment

ଏଥିରେ ମୋହନ ଉତକ୍ଷିପ୍ତ ହୋଇ ଏକ କୋଦାଳରେ ନବୀନାଙ୍କ କାନ ନିକଟରେ ଚୋଟ ମାରିଥିଲେ। ନବୀନା ରକ୍ତ ଜୁଡୁବୁଡୁ ହୋଇ ଗୁରୁତର ହୋଇଥିଲେ। ନବୀନାର ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ନବୀନାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥା ରେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତୀ କରାଇଥିଲେ। ନବରଙ୍ଗପୁର ଡାକ୍ତରଖାନାରେ ଡାକ୍ତର ନବୀନାଙ୍କୁ ମୃତ ଘୋଷଣା କରିଥିଲେ। ନବୀନାଙ୍କ ମୃତ ଦେହ ଶବ ଗୃହ ମଧ୍ୟରେ ରଖାଯାଇଛି। ଆସନ୍ତା କାଲି ସକାଳୁ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି। ଘଟଣା ସଂକ୍ରାନ୍ତରେ ମୃତକ ନବୀନାଙ୍କ ପରିବାର ବର୍ଗ ନବରଙ୍ଗପୁର ଥାନା ରେ ଏତଲା ଦେଇଛନ୍ତି। ନବରଙ୍ଗପୁର ଥାନା ପୁଲିସ ତାରାଗାଁ ଓ ମେଡିକାଲକୁ ଆସି ତଦନ୍ତ କରି ଯାଇଛନ୍ତି। ମୋହନ ଫେରାର ଥିବାର ପୁଲିସ ପକ୍ଷରୁ ସୂଚନା ମିଳିଛି।