ପତ୍ନୀ, ପ୍ରେମିକକୁ ହତ୍ୟା

ବାଲେଶ୍ବର,: ସୋମବାର ବିଳମ୍ବିତ ରାତିରେ ବାଲେଶ୍ବର ସହଦେବଖୁଣ୍ଟା ଆଦର୍ଶ ଥାନା ଅଧୀନ ରାଣୀପାଟଣା ସ୍ଥିତ ବ୍ୟାଙ୍କ କଲୋନିରେ ଡବଲ ମର୍ଡର ହୋଇଛି। ଘର ଭିତରେ ନିଜ ପତ୍ନୀକୁ ଅନ୍ୟଜଣେ ଯୁବକଙ୍କ ସହ ଗୋଟିଏ ବିଛଣାରେ ଦେଖି ସ୍ବାମୀ ଉଭୟଙ୍କୁ ଲୁହାରଡ଼ରେ ପିଟି ପିଟି ହତ୍ୟା କରିଛି। ପରେ ଅଭିଯୁକ୍ତ ସ୍ବାମୀ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିବା ସହ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ନେଇ ପୁଲିସ୍‌ ଆଗରେ ସବୁକିଛି ସ୍ବୀକାର କରିଛି। ମୃତ ମହିଳା ଜଣକ ହେଉଛନ୍ତି ବ୍ୟାଙ୍କ କଲୋନିର କୈଳାସ ଚନ୍ଦ୍ର ସାହୁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା(୩୪) ଓ ମୃତ ଯୁବକ ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅଧୀନ ନୁଣକୁଆ ଗ୍ରାମର ସୋମ‌ନାଥ ଦେଙ୍କ ସାନପୁଅ ପ୍ରଦୀପ ଓରଫ୍‌ ଟିକ୍‌ଲୁ(୩୫)। ପ୍ରାୟ ୧୫ ବର୍ଷ ତଳେ କୈଳାସ ଓ ଲକ୍ଷ୍ମୀପ୍ରିୟାଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ୧୨ ବର୍ଷର ଏକ ପୁଅ ଅଛି। ଅନ୍ୟପକ୍ଷରେ ଅବିବାହିତ ଥିବା ପ୍ରଦୀପ ବାଲେଶ୍ବରରେ ଏକ ମୋବାଇଲ କମ୍ପାନିରେ ଡିଷ୍ଟ୍ରିବ୍ୟୁଟର କାମ କରୁଥିବାବେଳେ ଲକ୍ଷ୍ମୀପ୍ରିୟା ମଧ୍ୟ ରେମୁଣା ସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ କୈଳାସ ଜଣେ ମାନସିକ ଓ ଶାରୀରିକ ଦୁର୍ବଳ ବ୍ୟକ୍ତି ହୋଇଥିବାରୁ ଏହାର ସୁଯୋଗ ନେଇ ପ୍ରଦୀପ ଲକ୍ଷ୍ମୀପ୍ରିୟାଙ୍କ ଘରକୁ ଯିବାଆସିବା କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲା। ଏପରିକି ପ୍ରଦୀପ ଅଧିକାଂଶ ଦିନ କୈଳାସଙ୍କ ଘରେ ରହୁଥିଲା। ଗତକାଲି ରାତିରେ କୈଳାସ ଓ ତାଙ୍କ ପୁଅ ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ ଲକ୍ଷ୍ମୀ ଆଉ ଏକ ରୁମ୍‌ରେ ଶୋଇଥିଲେ। ବିଳମ୍ବିତ ରାତିରେ କୈଳାସ ନିଦରୁ ଉଠି ତାଙ୍କ ପତ୍ନୀ ଶୋଇଥିବା ରୁମ୍‌କୁ ଯାଇଥିଲେ। ଆଉ ସେଠାରେ ଲକ୍ଷ୍ମୀପ୍ରିୟା ଓ ପ୍ରଦୀପ ଗୋଟିଏ ବିଛଣାରେ ଅସଂଯତ ଅବସ୍ଥାରେ ଶୋଇଥିବା ଦେଖିଥିଲେ। ଏହାପରେ ଏକ ଶକ୍ତ ଲୁହାରଡ଼ରେ ସେ ଉଭୟଙ୍କୁ ଶୋଇଥିବା ଅବସ୍ଥାରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଆଜି ସକାଳେ ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ କୈଳାସ ପୁଲିସ୍‌ ଆଗରେ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧିତ ଖବର