ବ୍ରହ୍ମପୁର: ସୁମିତ-ତପସ୍ୱିନୀ ପାରିବାରିକ କଳହରେ ନୂଆ ମୋଡ । ସ୍ୱାମୀ ସୁମିତଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ ତପସ୍ୱିନୀ । ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଚାଲିଯାଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ମେଡିକାଲରୁ ଛୁଟିରେ ଥିଲେ ବି ଏବେ ତାଙ୍କ ସ୍ୱାମୀ ତାଙ୍କ ପାଖରେ ନଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ତପସ୍ୱିନୀ କହିଛନ୍ତି, ତାଙ୍କ ବିରୋଧରେ କିଛି ଗୋଟେ ଚକ୍ରାନ୍ତ ଚାଲିଛି । ଘରୁ ଯିବା ପରେ ତାଙ୍କ ସ୍ୱାମୀଙ୍କ ନମ୍ବର ଆଉ ଲାଗୁନି । ତାଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି, ଏବଂ ତାଙ୍କୁ ନ୍ୟାୟ ମିଳୁ ବୋଲି ତପସ୍ୱିନୀ କହିଛନ୍ତି ।

Advertisment

ଗତକାଲି ଡାକ୍ତର ସୁମିତ ଓ ତପସ୍ୱନୀଙ୍କ ମାମଲାରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥିଲେ । ପରବର୍ତ୍ତୀ ଶୁଣାଣି ଯାଏଁ ପୁଣି ଗୋଟିଏ ଘରେ ରହିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଆସିକାରେ ଏକ ଘର ଭଡା ନେଇ ରହିବାକୁ କୋର୍ଟ ପରାମର୍ଶ ଦେଇଥିଲେ । ଏହି ସମୟରେ ଆସିକା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ ପ୍ରତି ସପ୍ତାହରେ ସୁମିତ ଓ ତପସ୍ୱନୀ ରହୁଥିବା ଭଡା ଘରକୁ ଯାଇ ହାଲଚାଲ ବୁଝି କୋର୍ଟକୁ ଜଣାଇବେ ବୋଲି କୁହାଯାଇଥିଲା । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୧୭ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂକୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ ।

ନ୍ୟାୟ ନମିଳିବାରୁ ଶେଷରେ ତପସ୍ବିନୀ କୋର୍ଟରେ ଆଶ୍ରୟ ନେଇଥିଲେ। ସ୍ବାମୀଙ୍କ ସହିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିସନ୍‌ରେ ଆବେଦନ କରିଥିଲେ। ଗତ ୨ତାରିଖରେ ଏହାର ଶୁଣାଣି କରି ଏସ୍‌ଡିଜେଏମ୍‌ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଡା. ସୁମିତଙ୍କ କର୍ମସ୍ଥଳ ଆସିକାରେ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ପୁଅ କି ଝିଅର ପରିବାରବର୍ଗ କେହି ସେମାନଙ୍କ ସହିତ ଦେଖା କରି ପାରିବେ ନାହିଁ କି ଫୋନ୍‌ରେ କଥା ହେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।