ରାୟଗଡ଼ା: ପରିବାର ପ୍ରତିପୋଷଣ ପାଇଁ ବାପା ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇ ଆଉ ପତ୍ତା ମିଳୁନଥିବା ବେଳେ ଏପଟେ ଖେଳି ବୁଲି ପାଠ ପଢିବା ସମୟରେ ପୁଅକୁ ହରାଇବାକୁ ପଡିଛି ଗୋଟିଏ ହାତ ଓ ଗୋଟିଏ ଗୋଡ। ଏହାରି ଭିତରେ ଅଭାବି ପରିବାର କେବେ ଗାଁରେ ତ ଆଉ କେବେ ବାହାର ଗାଁରେ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଏଭଳି କିଛି ଘଟଣା ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ମୁଳିପୁଟ ଗାଁରେ ଦେଖିବାକୁ ମିଳିଛି। ଗୋଟିଏ ଡାହାଣ ହାତ ନାହିଁ ଆଉ ଆଉ ଗୋଟିଏ ବାମ ଗୋଡ ନାହିଁ। ତଥାପି ବଞ୍ଚିବା ପାଇଁ ନାବାଳକ ଦିବ୍ୟାଙ୍ଗ ଜଣଙ୍କ ସଂଗ୍ରାମ କରୁଛନ୍ତି। ପରିବାରକୁ ପେଟ ପୁରା ଦାନା ଯୋଗାଡ କରିବାକୁ ଶଙ୍କରର ବାପା ବୈଷ୍ଣବ ଶବର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଗଲେ। ହେଲେ ଆଜି କୁ ୭ରୁ ୮ ବର୍ଷ ବିତିଯାଇଥିଲେ ମଧ୍ୟ ତାଂକର କୌଣସି ଖୋଜଖବର ନାହିଁ।
ଏପଟେ ପତ୍ନୀ ପଦ୍ମାବତୀଙ୍କ ଚାରି ପୁଅକୁ ନେଇ ଦୁଃଖ କଷ୍ଟରେ ଚଳୁଥିଲେ। ପିଲାଙ୍କ ପାଇଁ ଦାନା ଯୋଗାଡ କରିବାକୁ ସେ ଅସମର୍ଥ ହେଲେ। ତେଣୁ ବଡ ପୁଅକୁ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ କଲେ। ଆଉ ଛୋଟ ଦୁଇ ପୁଅ ପ୍ରାଥମିକ ସ୍କୁଲରେ ପାଠ ପଢୁଛନ୍ତି। ଘରେ ଖାଇବା ପାଇଁ ଅସୁବିଧା ଯୋଗୁଁ ନାବାଳକ ଦିବ୍ୟାଙ୍ଗ ପୁଅ ଶଙ୍କର ସହ ମିଶି ମାଆ କେବେ ଗାଁରେ ତ ଆଉ କେବେ ବାହାର ଗାଁରେ ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଏଭଳି କ୍ଷେତ୍ରରେ ପ୍ରଶାସନ ଦିବ୍ୟାଙ୍ଗ ପାଖରେ ପହଞ୍ଚି ସହୋଯୋଗର ହାତ ବଢାଇଛି।
ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଅସଡା ପଞ୍ଚାୟତ ଅନ୍ତର୍ଗତ ମୁଳିପୁଟ ଗାଁର ଶଙ୍କର ଶବର। ଶଙ୍କର ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ଏକ ଗଛରେ ଚଢି ଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପ୍ରଥମେ ଗୁଡାରୀ ଡାକ୍ତରଖାନା ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାହାଣ ହାତ ଓ ବାମ ଗୋଡ ହରାଇବାକୁ ପଡିଥିଲା ଶଂକରକୁ। ଗାଁରେ ଥିବା ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ଗାଁରେ ଆଉ ପଢିବା ପାଇଁ ଉଚ୍ଚ ଶ୍ରେଣୀ ନଥିବା ଓ ଗାଁ ଠାରୁ ଦୂରକୁ ଯାଇ ପଢିବା ସମ୍ଭବ ହୋଇନଥିଲା। ପଢ଼ିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ଅନାଟନ ଯୋଗୁ୍ଁ ଆଉ ପଢି ନଥିବା କହିଛନ୍ତି ଶଙ୍କର।
ମଧୁବାବୁ ଭତ୍ତା ମାସିକ ସାତଶହ ଟଙ୍କା ମିଳୁଥିବା ବେଳେ ରାସନ କାର୍ଡରେ ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ମିଲୁଛି। ବର୍ତ୍ତମାନ ଗୁଡାରି ବ୍ଲକ୍ ପ୍ରଶାସନର ହସ୍ତକ୍ଷେପରେ ଆଜି ଦିବ୍ୟାଙ୍ଗମାନଙ୍କ ପାଇିଁ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାମ୍ପରେ ଶଙ୍କରଙ୍କ କୁତ୍ରିମ ବାମ ଗୋଡ ଲଗାଇବା ପାଇିଁ ତାର ମାପ ନିଆଯାଇଛି। ତାର ସ୍ବତନ୍ତ୍ର ଡିଜାଇନର ଆର୍ଟିଫିସିଆଲ୍ ଲିଙ୍କ୍ ଓ ଜୋତା ତିଆରି କରାଯିବ ତାର ପରେ ସେ ଭଲ ଭାବେ ଚଳପଚଳ କରିପାରିବ। ଏହାପରେ କ୍ୟାମ୍ପ ଡାକ୍ତର ଶଙ୍କରକୁ ଦେଖିବା ପରେ ପ୍ରଥମେ ତାର ଗୋଡ ଠିକ୍ କରାଯିବ ପରେ ଡାହାଣ ହାତକୁ ମଧ୍ୟ ଠିକ୍ କରିବା ନେଇ କହିଥିଲେ। ଦୁଇଟି ଅଙ୍ଗ ଗୋଟିଏ ଥରରେ ହୋଇପାରିବ ନାହିଁ ବୋଲି ଡାକ୍ତର କହିଥିଲେ। ପୁଣି ଶଂକର ସ୍କୁଲକୁ ଯାଇପାରିବ ବୋଲି କୁହାଯାଇଛି।