ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ଗିରଫ, ଘରୁ ମିଳିଲା ନଗଦ ୧୫ ଲକ୍ଷ ଟଙ୍କା

୪୦ ସରକାରୀ ଘର ବିକି ଦେଇଛନ୍ତି, ଜଗତପୁର, ମଧୁପାଟଣାରେ ଦୁଇଟି ଠକେଇ ମାମଲା

କଟକ : କଟକ ମହାନଗର ନିଗମ ୫୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ରଂଜିତା କରଣଙ୍କ ସ୍ବାମୀ ରାଜା କରଣଙ୍କୁ ଶନିବାର ଦିନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାଲିଆତି କରି ସରକାରୀ ଘର ବିକ୍ରି କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସୁଦ୍ଧା ୪୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ବସ୍ତିବାସିନ୍ଦାଙ୍କ ପାଇଁ ଅନ୍ଦରପୁରରେ ସିଏମସି ପକ୍ଷରୁ ନିର୍ମାଣ ହୋଇଥିବା ଘର ବିକ୍ରି ହୋଇଥିବାର ପ୍ରମାଣ ମିଳିଛି। ଅନ୍ଦରପୁରରେ ଥିବା ରାଜାର ଘରେ ମଧୁପାଟଣା ଥାନା ପୁଲିସ ଦୁଇ ଦିନ ଧରି ଚଢ଼ଉ କରିବା ପରେ ମୋଟ ୧୪ ଲକ୍ଷ ୯୦ ହଜାର ଟଙ୍କା ସମେତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଜଗତପୁର ଓ ମଧୁପାଟଣା ଥାନାରେ ଏହି ଘର ବିକ୍ରି କେଳେଙ୍କାରୀ ବାବଦରେ ଦୁଇଟି ଠକେଇ ମାମଲା ରାଜା ବିରୋଧରେ ପୁଲିସ ରୁଜୁ କରିଛି।

ସୂଚନା ଅନୁଯାୟୀ, ଜଗତସିଂହପୁର ବାଲିକୁଦା ଅଞ୍ଚଳର ଜଣେ ଫ୍ରିଜ ଓ ଏସି ମିସ୍ତ୍ରି ସମୀର୍ ପାଲ୍ ରାଜା କରଣଙ୍କ ଘରକୁ ନିୟମିତ ମରାମତି କରିବାକୁ ଆସୁଥିଲେ। ଏହି ଯିବା ଆସିବା ଭିତରେ ସେମାନଙ୍କ ପରିଚୟ ବଢ଼ିଥିଲା। ଅନ୍ଦରପୁରରେ ସିଏମସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ଓ ବସ୍ତି ଉନ୍ନୟନ ଯୋଜନାରେ ନିର୍ମାଣ ହୋଇଥିବା କୋଠାରେ ଦୁଇ ବଖରା ଘର ଯୋଗାଇବାକୁ ସେ ରାଜାକୁ କହିଥିଲେ। ତେବେ ରାଜା ଏଥିପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ କହିଥିଲେ। ସମୀର୍ ୨ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ନୋଟାରିରେ ରାଜା ଚୁକ୍ତିନାମା କରି ଏହାର ନକଲ ସମୀରଙ୍କୁ ଦେଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ରାଜା ଘର ଦେଲାନାହିଁ କି ଟଙ୍କା ବି ଫେରସ୍ତ କଲା ନାହିଁ। ସମୀର ମଧୁପାଟଣା ଥାନାରେ ଏ ସଂକ୍ରାନ୍ତରେ ଫେବ୍ରୁଆରି ୩ ତାରିଖରେ ଫେରାଦ ହେବା ପରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆହୁରି ୪୦ ଜଣ ଲୋକଙ୍କୁ ରାଜା ଏଭଳି ଘର ଯୋଗାଇବା ଆଳରେ ୧୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ସଂପର୍କରେ ସୂଚନା ମିଳିଥିଲା। ୩୦ରୁ ଉର୍ଦ୍ଧ୍ବ ଲୋକ ଏହି ଘରେ ବି ଥଇଥାନ ବି ହୋଇଛନ୍ତି। ସେମାନଙ୍କ ଠାରୁ ଜଣକା ୩୦ରୁ ୪୦ ହଜାର ଟଙ୍କା ଲେଖାଏ ରାଜା ଆଦାୟ କରିଥିବା କୁହାଯାଉଛି।

ରାଜା ବିରୋଧରେ ଜଗତପୁର ଥାନାରେ ଗଲା ୪ ତାରିଖରେ ବି ଆଉ ଏକ ଠକେଇ ମାମଲା ରୁଜୁ ହୋଇଛି। ସେମାନଙ୍କୁ ବି ଅନ୍ଦରପୁରରେ ଥିବା ବସ୍ତିବାସିନ୍ଦାଙ୍କ ଘରେ ରଖାଇବା ବାବଦରେ ସେ ଟଙ୍କା ନେଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବରର ସୁରେନ୍ଦ୍ର ପ୍ରଧାନ ଏବେ ଜଗତପୁର ଅଢ଼େଇ ବାଟିଆରେ ରହି ଅଟୋ ଚଳାଉଥିବା ବେଳେ ସେ ରାଜାକୁ ୬୦ ହଜାର ଟଙ୍କା ଦେଇଛନ୍ତି। ସେହିପରି ତାଙ୍କ ଦେଢ଼ ଶାଶୂ ଅନିତା ମୁଦୁଲି ୮୦ ହଜାର, ଭଉଣୀ ପୁଷ୍ପଲତା ଗିରି ୫୦ ହଜାର, ବଡ଼ ଶାଳୀ ମମତା ମୁଦୁଲି ୫୦ ହଜାର, ସାନ ଭାଇ ନରେନ୍ଦ୍ର ପ୍ରଧାନ ୫୦ ହଜାର, ଭିଣୋଇ ସୁଶାନ୍ତ ନନ୍ଦୀ ୫୦ ହଜାର ଦେଇଥିବା ଅଭିଯୋଗ ହୋଇଛି। ସେମାନେ ସମସ୍ତେ ଘର ପାଇଥିବା ବେଳେ ସୁଶାନ୍ତ ଦୀର୍ଘ ଦିନ ହେବ ଟଙ୍କା ଦେଇ ସୁଦ୍ଧା ଘର ପାଇ ନଥିଲେ।

ରାଜା ବିରୋଧରେ ମଧୁପାଟଣା ଥାନାରେ ୨୦୦୫ ଓ ୨୦୦୯ ମସିହାରେ ଦୁଇଟି ଅପରାଧୀକ ମାମଲା ରହିଛି। ମଧୁପାଟଣା ଥାନା ପୁଲିସ ରାଜାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଗତପୁର ଥାନା ପୁଲିସ ତାଙ୍କୁ ପୁଲିସ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି। ରଂଜିତା ଓ ରାଜା ବିଜେଡିର ହୋଇଥିବା ବେଳେ ରାଜା ବିଜେଡି ଅଫିସ ବି ସରକାରୀ ଘରେ ଖୋଲିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର