ପତ୍ନୀଙ୍କ ଉଦ୍ଧାର ପାଇଁ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ: ପତ୍ନୀଙ୍କ ଉଦ୍ଧାର ପ୍ରସଂଗରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବେଆଇନ୍‌ ଭାବେ ଅଟକ ଥିବା ପତ୍ନୀଙ୍କୁ ଉଦ୍ଧାର ପାଇଁ ନୟାଗଡ ଏସ୍‌ପି ଓ ଇଟାମାଟି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ପ୍ରାର୍ଥନା କରି ଖଣ୍ଡପଡା ଥାନା ଅନ୍ତର୍ଗତ ଗଡିସାହିର ସଦାଶିବ ନାୟକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଇଟାମାଟି ଅଞ୍ଚଳର ଜଣେ ଯୁବତୀଙ୍କୁ ସେ ଭଲ ପାଇ ବିବାହ କରିଥିଲେ। କିନ୍ତୁ ଦୁଇ ଜଣଙ୍କ ଜାତି ଅଲଗା ହୋଇଥିବାରୁ ଯୁବତୀଙ୍କ ବାପା ଇଟାମାଟି ଥାନାରେ ତାଙ୍କ ବିରୋଧରେ ମିଛ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଯୁବତୀ ସେମାନଙ୍କ ସଂପର୍କ ଓ ପରିବାରର ବିରୋଧ ପ୍ରସଂଗରେ ପୁଲିସକୁ ମଧ୍ୟ ଲିଖିତ ଭାବେ ଅବଗତ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ସହାୟତାରେ ଯୁବତୀଙ୍କୁ ତାଙ୍କ ବାପା ଆବେଦନକାରୀଙ୍କ ଘରୁ ନେଇ ଯାଇଥିଲେ। ଏପରି ଘଟଣାର ଆବେଦନକାରୀ ପ୍ରତିବାଦ କରିଥିଲେ ମଧ୍ୟ କିଛି ଫଳ ମିଳି ପାରି ନଥିଲା। ପତ୍ନୀଙ୍କୁ ବେଆଇନ୍‌ ଭାବେ ଅଟକ ରଖାଯାଇଛି ଓ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଦର୍ଶାଇ ପୁଲିସର ହସ୍ତକ୍ଷେପ ଲୋଡି ସଦାଶିବ ଡିସେମ୍ବର ୨୧ରେ ନୟାଗଡ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏପରି ପରିସ୍ଥିତିରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରେ ଗୃହ ସଚିବ, ନୟାଗଡ ଏସ୍‌ପି, ଇଟାମାଟି ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ ଜୟଦେବ ବେହେରା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର