ବଧୂହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଓ ଜରିମାନା

ଖୋର୍ଦ୍ଧା: ୨୦୧୪ ଅଗଷ୍ଟରେ ବେଗୁନିଆ ତଣ୍ଡାଳ ଗାଁରେ ଘଟିଥିବା ବଧୂହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ପ୍ରଥମ ଆଡିସନାଲ୍ ଜିଲ୍ଲା ଦୌରାଜଜ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୫୦ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନାନୁସାରେ, ମମତାରାଣି ପାଣିଗ୍ରାହୀ ତଣ୍ଡାଳ ଗାଁର ଉଦୟନାଥ ସୁବୁଦ୍ଧିଙ୍କ ପୁତ୍ର ସରୋଜ କୁମାର ସୁବୁଦ୍ଧିଙ୍କୁ ବିବାହ କରିଥିଲେ । ବିବାହ ସମୟରେ ବରପକ୍ଷର ଦାବି ମୁତାବକ ମମତାରାଣିଙ୍କ ପିତା ନଗଦ ୫ହଜାର ଟଙ୍କା ଓ ଅନ୍ୟ ଆସବାବଦପତ୍ର ଦେଇଥିଲେ । ତେବେ ବିବାହ ପରେ ଶ୍ୱଶୁର ଘର ସଦସ୍ୟ ୧ଲକ୍ଷ ଟଙ୍କା ନଗଦ ଯୌତୁକ ଆକାରରେ ଆଣିବାକୁ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ୨୦୧୪ ଅଗଷ୍ଟ ୧୫ ତାରିଖରେ ସ୍ୱାମୀ ସରୋଜ କୁମାର ସୁବୁଦ୍ଧି, ଶାଶୁ ସୌଦାମିନୀ ସୁବୁଦ୍ଧି, ନଣନ୍ଦ ଏଲିନା ସୁବୁଦ୍ଧି ଓ ତାଙ୍କ ସ୍ୱାମୀ ରବି ସୁବୁଦ୍ଧି ତଂଟି ଚିପି ମାରି ଦେଇ ରଶିରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ମମତାରାଣିଙ୍କ ଭାଇ ପ୍ରଭାତ ପାଣିଗ୍ରାହୀ ଅଭିଯୋଗ କରିଥିଲେ । ଏନେଇ ବେଗୁନିଆ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ସ୍ୱାମୀ ସରୋଜକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲେ । ଏହି ମାମଲା (ନଂ ୯/୧୫)ର ବିଚାର କରି ପ୍ରଥମ ଅତିରିକ୍ତ ଦୌରା ଜଜ୍ ସମର ବିଳାସ ବେହେରା ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୯୮(କ), ୩୦୨, ୩୦୪, ୪୦୬ ଓ ଯୌତୁକ ନିରୋଧ ଆଇନାନୁସାରେ ସରୋଜକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଇଛନ୍ତି । ଅର୍ଥ ଦଣ୍ଡ ଅନାଦେୟରେ ଅତିରିକ୍ତ ୩ ମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକଲି ରଜନୀକାନ୍ତ ପଟ୍ଟନାୟକ ପରିଚାଳନା କରୁଥିଲେ ।

 

ସମ୍ବନ୍ଧିତ ଖବର