ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ: ନିଶାସକ୍ତ ଅବସ୍ଥାରେ ପତ୍ନୀଙ୍କୁ ଛୁରାମାଡ଼

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜଗତିପୁର ପଞ୍ଚାୟତ ଅଣଦେଉଳା ଗ୍ରାମରେ ଆଜି ଜଣେ ମଦ୍ୟପ ସ୍ୱାମୀ ସ୍ତ୍ରୀଙ୍କୁ ଛୁରାରେ ଆକ୍ରମଣ କରି ଗୁରୁତର କରିଛି। ସୂଚନା ମୁତାବକ, ଅଣଦେଉଳା ଗ୍ରାମର ଚନ୍ଦନ ମହୁରୀ ଆଜି ଦ୍ବିପ୍ରହର ସମୟରେ ପ୍ରବଳ ମଦ୍ୟପାନ କରି ଘରେ ପହଞ୍ଚି ସ୍ତ୍ରୀ କନକଙ୍କୁ ଖାଇବାକୁ ମାଗିଥିଲା। ତେବେ ଖାଇବା ଦେବାରେ ବିଳମ୍ବ ହେବାରୁ କନକଙ୍କୁ ଗାଳିଗୁଲଜ କରିବା ସହିତ ପ୍ରବଳ ମାଡ଼ ମାରିଥିଲା। ଏଥିସହିତ ଛୁରୀରେ ତାଙ୍କ ହାତକୁ ଭୁସି ଦେଇଥିଲା। କନକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଧାଇଁଆସି ତାଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ। ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚନ୍ଦନକୁ ଧରି ବାଲିଆପାଳ ଥାନା ଜିମାରେ ଦେବା ସହ ଗୁରୁତର କନକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ଚନ୍ଦନ ପୂର୍ବରୁ ଏହିଭଳି ଅନେକଥର କନକଙ୍କୁ ମାରପିଟ କରୁଥିବା ବେଳେ ଉଭୟ ପରିବାର ମଧ୍ୟରେ ଆପୋସ ସମାଧାନ କରାଯାଇଥିଲା। ତେବେ ଆଜିର ଘଟଣା ପରେ ଚନ୍ଦନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ପୁଲିସ ଚନ୍ଦନକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

ସମ୍ବନ୍ଧିତ ଖବର