ଯାଜପୁରସଦର : ଘରଜ୍ୱାଇଁ ନହେବାରୁ ପର ହେଇଗଲା ପତ୍ନୀ। ସ୍ୱାମୀକୁ ଛାଡ଼ି ଅନ୍ୟଜଣକୁ ବିବାହ କରିବାକୁ ଠିକ୍ କରିନେଲା। ଏଣେ ସ୍ୱାମୀଠାରୁ ସେ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ସୁନାଗହଣା ସାଙ୍ଗରେ ନେଇଯାଇଥିବା ଅଭିଯୋଗ ହୋଇଛି। ଶେଷରେ ନ୍ୟାୟ ପାଇବାକୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ସ୍ୱାମୀ। ଏପରି ଏକ ଅଭିଯୋଗ ଆସିବା ପରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଅସହାୟ ସ୍ୱାମୀ କୋର୍ଟରେ ମାମଲା ରୁଜୁ କରିବା ସହ ଯାଜପୁର ପୁଲିସର ସହାୟତା ଲୋଡ଼ିଛନ୍ତି।
ଧର୍ମଶାଳା ଥାନା କଣ୍ଟିଗଡ଼ିଆ ଅଞ୍ଚଳର ଭାଗ୍ୟଧର ଦାସ। ସେ ଟାଉନ ଥାନା ଅଧୀନ ଚଇନପୁର ପଞ୍ଚାୟତ ଲକ୍ଷ୍ମଣପୁର ଅଞ୍ଚଳର ସୁଚିତ୍ରା ମିଶ୍ରଙ୍କୁ କୋର୍ଟରେ ଓ ମନ୍ଦିରରେ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିଥିଲେ। ପତ୍ନୀ ଯାଜପୁର ମହିଳା କଲେଜରେ ପାଠ ପଢ଼ୁଥିବା ବାହାନାରେ ଅଧା ସମୟ ବାପଘରେ ରହୁଥିଲେ। ମଝିରେ ମଝିରେ ଶାଶୂଘରେ ମଧ୍ୟ ରହି ଆସୁଥିଲେ। ୨୦୨୧ ଫେବ୍ରୁଆରି ମାସରୁ ପତ୍ନୀ ଆଉ ଶାଶୂଘରକୁ ଯାଇ ନାହାନ୍ତି। ଭାଗ୍ୟଧର ଶଶ୍ବରଘରକୁ ଯାଇ ତାଙ୍କ ସ୍ତ୍ରୀକୁ କାହିଁକି ଛାଡୁନାହାନ୍ତି ବୋଲି ପଚାରିଥିଲେ। ତାଙ୍କୁ ଉତ୍ତର ମିଳିଥିଲା, ଶଶୁର ଘରେ ଘରଜ୍ବାଇଁ ହୋଇ ନ ରହିଲେ ଝିଅକୁ ଛାଡ଼ିବେ ନାହିଁ। ବର୍ତ୍ତମାନ ଝିଅ ବାପଘର ଛାଡ଼ୁନାହିଁ। ଅନ୍ୟପଟେ ତାଙ୍କଠାରୁ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ସୁନାଗହଣା ପତ୍ନୀ ନେଇ ଯାଇଥିବା ଭାଗ୍ୟଧର ଅଭିଯୋଗ କରିଛନ୍ତି।
ଏଭଳି ସ୍ଥିତିରେ ଆସନ୍ତା ୫ ତାରିଖରେ ସୁକିନ୍ଦା ମାନପୁର ଅଞ୍ଚଳରେ ଝିଅକୁ ଦ୍ୱିତୀୟ ବିବାହ ଦେବାକୁ ଘରଲୋକ ସ୍ଥିର କରିଛନ୍ତି। ତେଣୁ ଭାଗ୍ୟଧର ଏନେଇ ପରିବାର ଅଦାଲତରେ ଅଭିଯୋଗ କରିବା ସହ ଟାଉନ ଥାନାରେ ଏତଲା ଦେଇଛନ୍ତି। ପତ୍ନୀ ଓ ଶ୍ବଶୁର ଘର ଲୋକ ରଖିଥିବା ଟଙ୍କା, ସୁନାକୁ ଉଦ୍ଧାର କରିବାକୁ ଯାଜପୁର ପୁଲିସକୁ ନିବେଦନ କରିଛନ୍ତି। ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Jajpur1.jpg)