‘କାଳିଆ’ ସହାୟତା ହାତେଇବାକୁ ସ୍ବାମୀ-ସ୍ତ୍ରୀ ଭିନ୍ନେ

ରାଜନଗର: କେନ୍ଦ୍ରାପଡ଼ାର ରାଜନଗରରେ କାଳିଆ ଦୁର୍ନୀତିକୁ ନେଇ ନୂଆ ନୂଆ ତଥ୍ୟ ସାମ୍‌ନାକୁ ଆସିବାରେ ଲାଗିଛି। ପୂର୍ବରୁ ଜଣେ ପୂର୍ବତନ ବିଧାୟକ ଏବଂ ସମବାୟ ସମିତି ସଭାପତିଙ୍କ ପରିବାର ବେଆଇନ ଭ‌ାବେ ଏହି ସରକାରୀ ଯୋଜନା ହାତେଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଏବେ ମିଳିଥିବା ଆଉ ଏକ ତଥ୍ୟ ଅନୁଯାୟୀ, ‘କାଳିଆ’ ଯୋଜନା ବାବଦ ଅର୍ଥ ହାତେଇବା ପାଇଁ ସ୍ବାମୀ-ସ୍ତ୍ରୀ ବି ଭିନ୍ନେ ବୋଲି ଦର୍ଶାଇବାକୁ ପଛାଇ ନାହାନ୍ତି। କେତେଜଣ ସ୍ବାମୀ-ସ୍ତ୍ରୀ ଉଭୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ସ୍ଥାନ ପାଇଥିବାବେଳେ ଆଉ କେଉଁଠି ସ୍ବାମୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ଏବଂ ସ୍ତ୍ରୀ ଭୂମିହୀନ ଚାଷୀ ତାଲିକାରେ ସ୍ଥାନ ପାଇଛନ୍ତି। ସହାୟତା ରାଶି ହାତେଇବାକୁ ସ୍ବାମୀ-ସ୍ତ୍ରୀ ପୃଥକ ହେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗ ମୁତାବକ, ଓସ୍ତିଆ ପଂଚାୟତ ବାଲିକଣା ଗାଁର ଦୟାନିଧି ରାଉତ ‘କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି। ଏଥିସହ ତାଙ୍କ ସ୍ତ୍ରୀ ମଂଜୁଲତା ରାଉତ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ରାଶି ହାତେଇଛନ୍ତି। ସ୍ବାମୀ-ସ୍ତ୍ରୀ କିପରି ପୃଥକ ପରିବାରର ମୁଖ୍ୟ ହୋଇ ସହାୟତା ରାଶି ହାତେଇଲେ, ସେ ନେଇ ପ୍ରଶ୍ନ ଉଠିଛି। ଈଶ୍ବରପୁର ପଂଚାୟତ ଜୁନୁସନଗର ଗାଁର ସିଦ୍ଧେଶ୍ବର ଗିରିଙ୍କ ପୁଅ ଭୀମସେନ ଗିରିଙ୍କ ନାଁ ‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀ ତାଲିକାର କ୍ରମିକ ନମ୍ବର ୪୧୭ରେ ରହିଛି। ସେହି ତାଲିକାର ୪୦୫ ନମ୍ବର ସିରିୟଲରେ ଉଷାରାଣୀ ଗିରି (ପିତା–ବାସୁଦେବ ପ୍ରଧାନ)ଙ୍କ ନାଁ ରହିଛି। ଉଷାରାଣୀ ଭୀମସେନଙ୍କ ପତ୍ନୀ । ମାତ୍ର ଆବେଦନ ସମୟରେ ସ୍ବାମୀ ଭୀମସେନଙ୍କ ନାଁ ନଲେଖି ପିତା ବାସୁଦେବ ଲେଖି ଆବେଦନ କରିଥିଲେ। ସେହିପରି ଓସ୍ତିଆ ପଂଚାୟତ ଜଗନ୍ନାଥପୁର ଶାସନ ଗାଁର ବିନାୟକ ମିଶ୍ର କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାର କ୍ରମିକ ନମ୍ବର ୪୮୫ରେ ବିନାୟକଙ୍କ ନାଁ ରହିଛି। ମାତ୍ର ଭୂମିହୀନ ଚାଷୀ ତାଲିକାର ୨୧୨ନମ୍ବରରେ ବିନାୟକଙ୍କ ପତ୍ନୀ କୁମୁଦିନୀଙ୍କ ନାଁ ରହିଛି। ସେହି ପଂଚାୟତ ବାଲିକଣା ଗାଁର ରମେଶ ଚନ୍ଦ୍ର ରାଉତଙ୍କ ନାଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ରହିଛି। ମାତ୍ର ପତ୍ନୀ ଦମୟନ୍ତୀଙ୍କ ନାଁ ଭୂମିହୀନ ଚାଷୀ ତାଲିକାରେ ରହିଛି। ସ୍ବାମୀଙ୍କ ନାଁରେ ଜମି ଥିବାବେଳେ ସ୍ତ୍ରୀ କିପରି ଭୂମିହୀନ ହେଲେ ଓ ସ୍ବାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ କିପରି ସହାୟତା ରାଶି ହାତେଇଲେ, ସେ ନେଇ ପ୍ରଶ୍ନ ଉଠିଛି। ରାଜନଗର ବ୍ଲକରେ ଶହ ଶହ ପରିବାରର ସ୍ବାମୀ, ସ୍ତ୍ରୀ ହାତେଇବାକୁ କାଗଜ କଲମରେ ଭିନ୍ନେ ହୋଇଯାଇଛନ୍ତି। ଏହାର ତଦନ୍ତ କରାଗଲେ, ରାଜନଗରରେ ‘କାଳିଆ’ ନାଁରେ କିପରି କେଳେଙ୍କାରୀ ହୋଇଛି, ତାହା ସମ୍ନାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର