ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ପୂର୍ବତନ ରେଞ୍ଜର୍‌ ଓ ପତ୍ନୀଙ୍କୁ ୩ ବର୍ଷ ଜେଲ୍‌ ଓ ୧ଲକ୍ଷ ଜରିମାନା

ଫୁଲବାଣୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକର ପୂର୍ବତନ ଫରେଷ୍ଟ ରେଞ୍ଜ ଅଧିକାରୀଙ୍କୁ ଫୁଲବାଣୀ ଭିଜିଲାନ୍‌ସ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିବା ବେଳେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ରହ‌ିଲେ ଅତିରିକ୍ତ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ପୂର୍ବତନ ରେଞ୍ଜ୍‌ ଅଧିକାରୀ ଦିଲ୍ଲୀପ କୁମାର ଦିଗାଳଙ୍କ ସମେତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତାଙ୍କ ପତ୍ନୀ ସୁଜାତା ନାଏକଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରାଯାଇଛି। ୪୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍‌ ସନ୍ତୋଷ କୁମାର ଜେନା ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍‌ସ ପିପି ଭି.ଭି. ରାମଦାସ ପରିଚାଳନା କରିଥିଲେ।
ସୂଚନା ପ୍ରକାରେ, ୨୦୧୧ ମସିହାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକର ପୂର୍ବତନ ଫରେଷ୍ଟ ରେଞ୍ଜ୍‌ ଅଧିକାରୀ ଦିଲ୍ଲୀପଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍‌ସ ପକ୍ଷରୁ ଚଢ଼ଉ କରାଯିବା ସହ କେସ୍‌ ନଂ ୪୨/୨୦୧୧ରେ ମାମଲା ରୁଜୁ କରିଥିଲା। ଚଢ଼ଉ ବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବ୍ରିକା ଗାଁରେ ତାଙ୍କ ନିଜ ଘର ଏବଂ ଫୁଲବାଣୀର କବରଖାନା ସାହିରେ ଏକ ବିଶାଳ ଦ୍ବିତଳ ପ୍ରାସାଦ ଥିବାବେଳେ ଭୁବନେଶ୍ବର ନୀଳାଦ୍ରିବିହାରରେ ଏକ ୩ ମହଲା‌ କୋଠା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା।
ସମ୍ବନ୍ଧିତ ଖବର