ଅଗଷ୍ଟ ୨ରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍

ଉଭୟ ‘ଭର୍ଚୁଆଲ୍’ ଓ ‘ଫିଜିକାଲ୍‌’ ମୋଡ୍‌ରେ ମାମଲା ଶୁଣାଣି

କଟକ : ଅଗଷ୍ଟ ୨ରୁ ହାଇକୋର୍ଟରେ ଉଭୟ ଭର୍ଚୁଆଲ୍ ଓ ଫିଜିକାଲ୍‌ ମୋଡ୍‌ରେ ମାମଲା ଶୁଣାଣି ହେବ। ୨୦୨୧, ଅଗଷ୍ଟ ୨ରୁ ହାଇବ୍ରିଡ ମୋଡ୍‌ରେ ମାମଲା ଶୁଣାଣି ହେବା ନେଇ ଆଜି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇବ୍ରିଡ୍ ମୋଡରେ ମାମଲା ଶୁଣାଣି ନେଇ ୨୦୨୧, ଫେବ୍ରୁଆରି ୧୧ରେ ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର(ଏସ୍ଓପି) ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏହି ଏସଓପି ଅନୁସାରେ ଖଣ୍ଡପୀଠଙ୍କ ନିକଟରେ ମାମଲା ଶୁଣାଣି ସମୟରେ ଆଇନଜୀବୀ ଓ ପକ୍ଷମାନେ ବ୍ୟକ୍ତିଗତ ଭାବେ ବା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ ସେ ନେଇ ବିକଳ୍ପ ବ୍ୟବସ୍ଥା ରହିବ। ବ୍ୟକ୍ତିଗତ ଉପସ୍ଥିତି ଓ ଭିଡିଓ କନ‌ଫରେନ୍ସିଂ ବ୍ୟବସ୍ଥା ଉଭୟ ମାଧ୍ୟମରେ ଏକ ସଂଗେ ମାମଲା ଶୁଣାଣି ହେବ।

ଅଗଷ୍ଟ ୨ରୁ କମ୍ପ୍ୟୁଟର ଫାଇଲିଂ ସେକ୍ସନର ଫାଇଲିଂ କାଉଣ୍ଟର ଜରିଆରେ ଦିନ ୧୦ଟାରୁ ୪ଟା ୩୦ ମଧ୍ୟରେ ଡକୁମେଣ୍ଟ ଓ ଆବେଦନ ଦାଖଲ କରାଯିବ। ଏ ସବୁ ଇ-ମେଲ ବା ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ଦାଖଲ କରାଯାଇ ପାରିବ। ମେନସନ୍ ମେମୋ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ବ୍ୟକ୍ତିଗତ ଭାବେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଦାଖଲ କରି ହେବ ବା ଇ-ମେଲ ମାଧ୍ୟମରେ ସକାଳ ୯ଟାରୁ ୧୦ ମଧ୍ୟରେ ଦେଇ ହେବ। ସାର୍ଟିଫାଏଡ୍‌ କପି ଦରଖାସ୍ତ ଗ୍ରହଣ ଓ ପ୍ରଦାନ କାର୍ଯ୍ୟ ନିୟମିତ ବ୍ୟବସ୍ଥାରେ ଚାଲିବ। ମୁଖ୍ୟ ବିଚାରପତିଙ୍କ କୋର୍ଟର ସୀମିତ ସଂଖ୍ୟକ ମାମଲାର ଶୁଣାଣି ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କିଛି ଘଣ୍ଟା ପାଇଁ ପରୀକ୍ଷାମୂଳକ ଭାବେ ଅଗଷ୍ଟ ୨ରୁ ଆରମ୍ଭ ହେବ। କୋର୍ଟଙ୍କ ଅଫିସିଆଲ ୟୁଟ୍ୟୁବ୍ ଚାନେଲ ଜରିଆରେ ସିଧା ପ୍ରସାରଣ ବ୍ୟବସ୍ଥା ସହିତ ସଂଯୋଗ କରି ହେବ। ଏଥି ପାଇଁ ୱେବସାଇଟ୍‌ ଓ କଜ୍ ଲିଷ୍ଟ୍‌ ନୋଟିସରେ ଲିଙ୍କ୍ ଉପଲବ୍ଧ ହେବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର