ସମ୍ବଲପୁର : ହାଇଦର୍‌ ଫେରାର୍‌ ଏକ ବହୁତ ବଡ଼ ଘଟଣା। ଏହାର ଅନେକ ଦିଗ ରହିଛି। ଏହା ଉପରେ ବିସ୍ତୃତ ତଦନ୍ତ ଚାଲିଛି। ତେବେ ସବୁ କିଛି ତଦନ୍ତ କଟକରେ ଚାଲିଛି। ଆମେ କେବଳ ସହାୟକ ଭୂମିକାରେ ଅଛୁ। ତେଣୁ ଏହା ଉପରେ ମୁଁ କିଛି କହିବି ନାହିଁ। ଯାହା କହିବ କମିସନରେଟ୍ ପୁଲିସ୍ କହିବ। ଏହା କହି ହାଇଦର୍‌ ଫେରାର୍‌ ପ୍ରସଂଗକୁ ଏଡ଼ାଇବାକୁ ଉଦ୍ୟମ କରିଥିଲେ ସମ୍ବଲପୁର ଏସ୍‌ପି ବି ଗଂଗାଧର।

Advertisment

ଗତ ୧୦ ତାରିଖରେ ସମ୍ବଲପୁର ପୁଲିସ୍‌ର ଗାର୍ଡ ପାର୍ଟିକୁ ଚକ୍‌ମା ଦେଇ କଟକର ଏସ୍‌ସିବି ବଡ଼ ଡାକ୍ତରଖାନାରୁ ହାଇଦର୍‌ ଫେରାର୍ ହେବା ପରଠାରୁ ଏସ୍‌ପି ପ୍ରଥମଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ମୁହାଁମୁହିଁ ହୋଇଥିଲେ। ଏକ ଭିନ୍ନ ପ୍ରସଂଗରେ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲେ ବି ଏସ୍‌ପିଙ୍କୁ ସାମ୍‌ନାରେ ପାଇ ଗଣମାଧ୍ୟମ ପ୍ରତିନିଧି ମାନେ ହାଇଦର୍‌ ଘଟଣାରେ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଥିଲେ। ଏସ୍‌ପି କହିଲେ ମାମଲା କଟକରେ ହୋଇଛି। ମଙ୍ଗଳାବାଗ ପୁଲିସ୍‌ ଷ୍ଟେସନ୍‌ରେ ମାମଲା ହୋଇଥିବାରୁ ସେଠାକାର ପୁଲିସ୍ ଘଟଣାର ତଦନ୍ତ କରୁଛି। ତେଣୁ ସେଠାକାର ପୁଲିସ୍‌ ଅଧିକାରୀ ବା କଟକ ଡିସିପି ଏ ପ୍ରସଂଗରେ ଗଣମାଧ୍ୟମକୁ କହିବେ। ଯାହା ଅଧିକ ସୂଚନା ଥିବ ସେମାନେ ଦେବେ। ହାଇଦର୍‌କୁ କଟକ ନେଇ ଯାଇଥିବା ସମ୍ବଲପୁର ପୁଲିସ୍‌ର ୬ ଜଣ ସଦସ୍ୟ ନିଲମ୍ବିତ ହୋଇଛନ୍ତି ଓ ଏବେ କଟକରେ ଅଛନ୍ତି। ସେଠାରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସମ୍ବଲପୁର ଜେଲ୍‌ରେ ବିଭିନ୍ନ ପ୍ରକାର ତଦନ୍ତ କରାଯାଉଛି। ହାଇଦର୍‌ର ମେଡିକାଲ୍ ଇତିହାସ ସମେତ ଅନେକ କିଛି ଯାଞ୍ଚ ହେଉଛି। ତେବେ ଆମେ ଏକ ଦରଖାସ୍ତ ଉପରେ ହିଁ ତଦନ୍ତ କରୁଛୁ। ମୂଳ ତଦନ୍ତ କଟକ‌ରୁ କରାଯାଉଛି ବୋଲି ଏସ୍‌ପି କହିଥିଲେ।

publive-image

ହାଇଦର୍‌ ସହ ଜଣେ ପୁଲିସ୍‌ କର୍ମୀଙ୍କୁ ବାରମ୍ବାର ପଠା ଯାଉଥିଲା କି ବୋଲି ପ୍ରଶ୍ନର ଉତ୍ତ‌ରରେ ଏସ୍‌ପି ଗଂଗାଧର କହିଲେ, ଯେହେତୁ ତଦନ୍ତ ଚାଲିଛି ଏହା ଉପରେ ଏବେ ମୁଁ କିଛି କହିପାରିବି ନାହିଁ। ହାଇଦର୍‌କୁ ଭେଟିବା ପାଇଁ ଜେଲ୍‌କୁ କେଉଁ ମାନେ ଆସୁଥିଲେ, ସେମାନଙ୍କ ସହ ଗାର୍ଡ ପାର୍ଟି ସଦସ୍ୟଙ୍କର କିଛି ସଂପର୍କ ଥିଲା କି ବୋଲି ପ୍ରଶ୍ନର ଉତ୍ତରରେ ଏସ୍‌ପି ଏହା ଏକ ବଡ଼ ଘଟଣା ହୋଇଥିବାରୁ ସବୁ ଦିଗରୁ ତଦନ୍ତ କରାଯାଉଛି ଓ ଅଧିକୃତ ତଦନ୍ତକାରୀ ସଂସ୍ଥାଭାବେ କଟକ ପୁଲିସ୍ ହିଁ କିଛି କହିପାରିବ ବୋଲି ଦୋହରାଇ ଥିଲେ। ସମ୍ବଲପୁର ପୁଲିସ୍‌କୁ କୌଣସି ସୂଚନା ମଗାଗଲେ, ସ୍ଥାନୀୟ ତଦନ୍ତ ନିମନ୍ତେ କିଛି ସହାୟତା ମାଗିଲେ ଆମେ ସବୁ ସହଯୋଗ ଯୋଗାଇ ଦେବୁ ବୋଲି ଏସ୍‌ପି କହିଥିଲେ।

ତେବେ ଯେହେତୁ ଆମ କର୍ମଚାରୀ ଦାୟିତ୍ବରେ ଥିଲେ, ତେଣୁ ଆମ ପାର୍ଶ୍ବରୁ କଣ ତ୍ରୁଟି ରହିଥିଲା, ଏଥି ପାଇଁ ଆଗରୁ ଯୋଜନା ହୋଇଥିଲା କି, ଆମର କେହି ସାମିଲ ଥିଲେ କି ନାହିଁ ସେ ସଂପର୍କରେ ଆମେ ତଦନ୍ତ କରୁଛୁ ବୋଲି ଏସ୍‌ପି ମାନିଥିଲେ। ତେବେ ହାଇଦର୍‌ ଭଳି ଜଣେ ବଡ଼ ଅପରାଧୀ ସହ ଯାଇଥିବା ପୁଲିସ୍‌ କର୍ମୀଙ୍କ ସଂଖ୍ୟା ଯଥେଷ୍ଟ ଥିଲା କି ନାହିଁ, ସେଥିରେ ଥିବା ଜଣେ ନିର୍ଦ୍ଦିଷ୍ଟ କର୍ମଚାରୀଙ୍କ ଭୂମିକା ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏସ୍‌ପି ସମାନ କଟକ ପୁଲିସ୍ କହିବ ବୋଲି କହି ଏଡ଼ାଇ ଯାଇଥିଲେ।