କଟକ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ନିର୍ଦ୍ଦିଷ୍ଟ ଯୋଜନା ଆଉ ବଡ଼ଧରଣର ଷଡ଼୍ଯନ୍ତ୍ର ଥିବା ପୁଲିସ ଆଶଙ୍କା କରୁଛି। ହାଇଦରର ପୁଅ ସେକ୍ ଆଜାରୁଦ୍ଦିନ୍ ତାକୁ ଫେରାର କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ଆଜାରୁଦ୍ଦିନର ଦୁଇ ପ୍ରେମିକାଙ୍କୁ ମାଧ୍ୟମ କରି ପୁଲିସ ହାଇଦରକୁ ଠାବ କରିପାରିଥିବା ଜଣାପଡ଼ିଛି। ଆଜାରୁଦ୍ଦିନ୍ ଜାହିରାବାଦରେ ଥାଇ ତା’ର ଦୁଇ ପ୍ରେମିକାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୋବାଇଲରୁ ନିୟମିତ ଫୋନ୍ରେ ଯୋଗାଯୋଗ କରୁଥିଲା। ପୁଲିସ ଦୁଇ ପ୍ରେମିକାଙ୍କ ଫୋନ୍ ଟ୍ରାକ୍ କରି ହାଇଦର୍ ନିକଟରେ ପହଞ୍ଚିଥିଲା। ଆଜାରୁଦ୍ଦିନ ଯଦିଓ ଏଯାଏ ଧରାପଡ଼ିନି, ପୁଲିସ କିନ୍ତୁ ତା’ର ଦୁଇ ପ୍ରେମିକାଙ୍କୁ ଜେରା କରି ଅଧିକ ଖୋଳତାଡ଼ ଜାରିରଖିଛି।
ଗତକାଲି କରୋନା ପଜିଟିଭ୍ ହେବାପରେ ହାଇଦରକୁ ଚୌଦ୍ବାର ଜେଲ୍ର ୧ ନମ୍ବର ୱାର୍ଡ ୩ ନମ୍ବର ଆଇସୋଲେସନ୍ ସେଲ୍ରେ ରଖାଯାଇଛି। ଜେଲ୍ ଭିତରେ ହିଁ ତା’ର ଆବଶ୍ୟକ ଚିକିତ୍ସା କରାଯିବ। ହାଇଦର ଏବେ ଡାଇବେଟିସ୍, ଚକ୍ଷୁ ସମସ୍ୟା, ଗୋଟିଏ କିଡ୍ନି ଖରାପ ଭଳି ଏକାଧିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। କୌଣସି ପରିସ୍ଥିତିରେ ଯଦି ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୁଏ ତେବେ ତାକୁ କଟକ ବଡ଼ଡାକ୍ତରଖାନା କୋଭିଡ୍ ୱାର୍ଡକୁ ସ୍ଥାନାନ୍ତର କରାଯିବ। ସାତ ଦିନ ପରେ ପୁଣିଥରେ ହାଇଦରର କୋଭିଡ୍ ପରୀକ୍ଷା ହେବ। ରିପୋର୍ଟ ନେଗେଟିଭ୍ ହେବାପରେ ତାକୁ ରିମାଣ୍ଡରେ ଆଣି ଜେରା ସଂପର୍କରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ହାଇଦରକୁ ଆସନ୍ତା ୨୩ ତାରିଖ ଯାଏ ୭ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଗତକାଲି ଅନୁମତି ଦେଇଥିଲେ। କିନ୍ତୁ ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାକୁ ଏବେ ଆଉ ରିମାଣ୍ଡରେ ନିଆଯାଇପାରିବ ନାହିଁ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ଆଜି କୋର୍ଟକୁ ଅବଗତ କରିଛନ୍ତି।
ଗ୍ୟାଙ୍ଗଷ୍ଟର ହାଇଦରକୁ ଶୁକ୍ରବାର ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀମାନେ ପଚରାଉଚରା କରିଥିଲେ। ହାଇଦର୍ ସହିତ ପୁଲିସ ଅଧିକାରୀମାନେ ସିଧାସଳଖ ଯୋଗାଯୋଗରେ ଆସିଥିବାରୁ କରୋନା ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ଗ୍ୟାଙ୍ଗଷ୍ଟର ହାଇଦର୍ ସହିତ ସିଧାସଖଳ ସଂସ୍ପର୍ଶରେ ଆସିଥିବା ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ପ୍ରାୟ ୧୨ ଜଣ ପୁଲିସ କନଷ୍ଟେବଳଙ୍କୁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ହାଇଦରକୁ ବଡ଼ ମେଡିକାଲରେ ଯେଉଁ ୮ ଜଣ ନିୟମିତ ଭେଟିବାକୁ ଆସୁଥିଲେ ସେମାନଙ୍କ ମଧ୍ୟରୁ ୩ ଜଣ ୟାକୁବ୍, ଚିକୁ ଓରଫ ଇବ୍ରାହିମ୍ ଖାଁ ଓ ମହମ୍ମଦ ଇସ୍ତିଆଜ୍ ଗିରଫ ହୋଇଥିବା ବେଳେ ପୁଲିସ ଏବେ ଆହୁରି ୫ ଜଣଙ୍କୁ ଜେରା କରୁଛି। ପୁଲିସ ରିମାଣ୍ଡରେ ଥିବା ୟାକୁବକୁ ସେମାନଙ୍କ ସହିତ ମୁହାଁମୁହିଁ ଜେରା କରାଯାଉଛି। ହାଇଦରର ମଝିଆ ପୁଅ ଆଜାରୁଦ୍ଦିନ ସମେତ ଅନ୍ୟ ପରିବାର ସଦସ୍ୟଙ୍କୁ ଗିରଫ ପାଇଁ ଚାଉଳିଆଗଞ୍ଜ ଥାନା ଆଇଆଇସି ତାପସ ପ୍ରଧାନଙ୍କ ନେତୃତ୍ବରେ ଆଉ ଏକ ଟିମ୍ ତେଲେଙ୍ଗାନାରେ ଏବେ ବି ରହିଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ପୁଲିସ ହାତରେ ଧରାପଡ଼ିବା ପରେ ହାଇଦର କହିଥିଲା, 'ମୋ ପରିସ୍ରାରେ ରକ୍ତ ପଡ଼ିଥିଲା। ରକ୍ତ ପଡ଼ିବାରୁ ଭଲ ଚିକିତ୍ସା ଆଶାରେ ରାଜ୍ୟ ବାହାରକୁ ପଳାଇଥିଲି...।' କିନ୍ତୁ ପୁଲିସ ହାଇଦରର ଏଭଳି କଥାକୁ ସହଜରେ ଗ୍ରହଣ କରିପାରୁନାହିଁ। ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିବା ପୁଲିସ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/hyder-4.jpg)