୧୬ ବର୍ଷ ତଳେ ନାଗପୁରରୁ ଧରାପଡ଼ିଥିଲା ହାଇଦର

୪ ରାଜ୍ୟରେ ଦରାଣ୍ଡିଥିଲେ ୧୧ ଅଫିସର, ଚୁନା ହତ୍ୟାକାଣ୍ଡ ପରେ ଫେରାର ହୋଇ ଯାଇଥିଲା

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଶେଷ ଥର ପାଇଁ ୨୦୦୫ ମସିହାରେ ପୁଲିସ ହାତରେ ଗିରଫ ହେବାର ପ୍ରାୟ ୧୬ ବର୍ଷ ପରେ ଫେରାର ହୋଇଯାଇଛି। ହାଇଦର ଫେରାର ହେବା ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ବେଳେ ପୁଲିସର ଦୋଷ ଦୁର୍ବଳତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ୨୦୦୫ରେ ଅନ୍ୟତମ ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଶେଖ୍ ଚୁନା ହତ୍ୟା ମାମଲାରେ ହାଇଦରକୁ ଗିରଫ କରିବା ସେତେବେଳେ ପୁଲିସ ପାଇଁ ଅତ୍ୟନ୍ତ କଷ୍ଟକର ସାବ୍ୟସ୍ତ ହୋଇଥିଲା। ଏକାଧିକ ରାଜ୍ୟରେ ହାଇଦରର ନେଟଵର୍କ ଥିବାରୁ ୧୧ ଅଫିସରଙ୍କୁ ନେଇ ଗଠିତ ପୁଲିସର ସ୍ପେସାଲ ସ୍କ୍ବାଡ୍‌ ଚାରି ରାଜ୍ୟରେ ଛାନଭିନ୍ କରିବା ପରେ ଶେଷରେ ମହାରାଷ୍ଟ୍ରର ନାଗପୁରରୁ ଧରାପଡ଼ିଥିଲା ହାଇଦର। ଆଉ ସେବେଠାରୁ ଜେଲ୍ ଭିତରେ ଆ‌ଜୀବନ କାରାଦଣ୍ତର ସଜା କାଟୁଥିଲା ହାଇଦର। ସେତେବେଳେ କେମିତି ଧରାପଡ଼ିଥିଲା ହାଇଦର? ପୁଲିସ ପାଇଁ କେତେ ଆହ୍ବାନପୂର୍ଣ୍ଣ ଓ କଷ୍ଟକର ଥିଲା? ସେ ସମ୍ପର୍କରେ ସ୍ବତନ୍ତ୍ର ରିପୋର୍ଟ।

ଭୁବନେଶ୍ବର : ୨୦୦୫ ମେ’ ୩୧ ତାରିଖ। ଗ୍ୟାଙ୍ଗଷ୍ଟର ସୁଲେମାନର ଭାଇ ଶେଖ୍ ଚୁନାକୁ ଷ୍ଟିଵାର୍ଟ ସ୍କୁଲ ନିକଟରେ ହାଇଦରର ସହଯୋଗୀମାନେ ଗୁଳି କରି ହତ୍ୟା କରିଥିଲେ। ସୁଲେମାନ ଏକ ହତ୍ୟା ମାମଲାରେ ନୟାଗଡ଼ ଜେଲରେ ଥିବାରୁ ତାର ବଡ଼ ଭାଇ ଚୁନା ଟେଣ୍ଡର କାରବାର ସମ୍ଭାଳୁଥିଲା। ହାଇଦର ଟିଟୋ ସହ ହାତ ମିଳାଇ ସୁଲେମାନ ଗ୍ୟାଙ୍ଗକୁ ମୂଳପୋଛ କରି ଟେଣ୍ଡର ସାମ୍ରାଜ୍ୟକୁ ନିଜ ହାତକୁ ନେବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ଚୁନାକୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସହଯୋଗୀ। ହତ୍ୟା କରିବା ପରେ ସହଯୋଗୀ ସୁଦାମ ଶତପଥୀ, ଟୁକୁ, ରୁମାନ, ବବୁଲ ଓ ଲାଲା ପ୍ରଥମେ କଟକ ପଳାଇଥିଲେ। ସେଠାରୁ କେନ୍ଦ୍ରାପଡ଼ା ଯାଇ ବସ୍‌ ଯୋଗେ ସମ୍ବଲପୁର ଚାଲି ଯାଇଥିଲେ। ସମ୍ବଲପୁରରୁ ଭିଲାଇ ଯିବା ପରେ ପୂର୍ବରୁ ବୋଲେରୋ ଧରି ଅପେକ୍ଷା କରିଥିଲେ ହାଇଦର ଓ ତାର ଦୁଇ ସହଯୋଗୀ ଲାଲା ଓ ମୀର। ସେଠାରୁ ସେମାନେ ନାଗପୁର ପଳାଇଥିଲେ। ହାଇଦର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବନି ଯାଇଥିବାରୁ ଏକାଧିକ ରାଜ୍ୟରେ ନିଜର ନେଟଵର୍କ ବିଛାଇଥିଲା। ସବୁଠି ତାର ସହଯୋଗୀ ରହିଥିଲେ। ତେଣୁ ସେତେବେଳେ ହାଇଦରକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।

ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ସେତେବେଳର ସିଟି ଡିଏସ୍‌ପି ଶରତ ସାହୁ ଓ ସ୍ପେଶାଲ ସ୍କ୍ବାଡ୍ ଇନ୍ସପେକ୍ଟର ତଥା ସହିଦନଗର ଆଇଆଇସି ବୃନ୍ଦାବନ ଘଡ଼େଇ ଏବଂ ବଛା ବଛା ୧୧ ଜଣ ଅଫିସରଙ୍କୁ ନେଇ ତିଆରି ହୋଇଥିଲା ସ୍ବତନ୍ତ୍ର ଟିମ୍। ଏହି ଟିମ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ରେ ଛାନଭିନ୍ କରିବା ପରେ ନାଗପୁରରେ ପହଞ୍ଚିଥିଲେ। କିନ୍ତୁ ହାଇଦରକୁ ଧରିବା ଅଧିକ କଷ୍ଟକର ହୋଇ ପଡ଼ିଥିଲା। ତତ୍କାଳୀନ ଏସ୍‌ପି ଅମିତାଭ ଠାକୁର ନାଗପୁର ପୁଲିସ ସହ ଯୋଗାଯୋଗରେ ରହିଥିଲେ। ସେଠାକାର ସିଆଇଡି ଏସ୍‌ପି ହାଇଦର ଗ୍ୟାଙ୍ଗ ଉପରେ ନଜର ରଖିଥିଲେ। ହାଇଦର ବ୍ୟବହୃତ କରୁଥିବା ଗାଡ଼ି ଖରାପ ହେବାରୁ ଏକ ଗ୍ୟାରେଜରେ ଦୁଇ ସହଯୋଗୀ ଏହାର ମରାମତି କରୁଥିଲେ। ଖବର ପାଇ ପୁଲିସ ପ୍ରଥମେ ଏ ଦୁଇ ଜଣଙ୍କୁ ଗିରଫ କରିଥିଲା। ଦୁଇ ଜଣଙ୍କ ତଥ୍ୟକୁ ଆଧାର କରି ଏକ ଲଜ୍‌ରୁ ହାଇଦର ଓ ଅନ୍ୟ ସହଯୋଗୀମାନେ ଧରାପଡ଼ିଥିଲେ।

ରାତି ରାତି ଅନିଦ୍ରା ରହିଥିବା ପୁଲିସ ହାଇଦରକୁ ଭୁବନେଶ୍ବର ଆଣିବା ପାଇଁ ନାଗପୁରରେ ପହଞ୍ଚିଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍ ଯୋଗେ ନ ଆଣି ସଡ଼କ ପଥରେ ଆଣିବା ପାଇଁ ଯୋଜନା ହୋଇଥିଲା। ସ୍ଥାନୀୟ କୋର୍ଟରେ ହାଜର ପରେ ହାଇଦର ଓ ଅନ୍ୟ ୬ ସହଯୋଗୀଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଅଣା ଯାଇଥିଲା। ହାଇଦର ବ୍ୟବହାର କରୁଥିବା ବୋଲେରୋ ଏବଂ ଏଠାରୁ ଏକ ଗାଡ଼ି ନାଗପୁରକୁ ଯାଇଥିଲା। ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ସେଠାରୁ ହାଇଦରକୁ ଆଣିବା ପାଇଁ ଦୁଇ ଦିନ ଲାଗିଥିଲା। ଯେଉଁ ଯେଉଁ ଥାନା ଇଲାକା ଦେଇ ହାଇଦରକୁ ଅଣାଯାଉଥିଲା ସେହି ଥାନାର ଏସକର୍ଟ ଗାଡ଼ି ଅନ୍ୟ ଏକ ଥାନାର ସୀମାରେଖା ପର୍ଯ୍ୟନ୍ତ ଆସୁଥିଲା। ଖାଇବା ପାଇଁ ରାସ୍ତାକଡ଼ରେ ଥିବା ନିର୍ଦ୍ଦିଷ୍ଟ ଢାବାକୁ ବଛା ଯାଉଥିଲା। ସେହି ଢାବାରେ ସ୍ଥାନୀୟ ପୁଲିସ ପକ୍ଷରୁ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କରା ଯାଉଥିଲା। ଗାଡ଼ି ପହଞ୍ଚିବା ପୂର୍ବରୁ ଖାଦ୍ୟ ପ୍ରସ୍ତୁତ ହୋଇ ସାରିଥିଲା। ଢାବା ଭିତରେ ଖାଇବାକୁ ସୁରକ୍ଷିତ ମନେ ହେଉ ନ ଥିବାରୁ ଗାଡ଼ିର ବନେଟ୍ ଉପରେ ମଧ୍ୟ ଖାଇବାକୁ ପଡ଼ୁଥିଲା। ଯେହେତୁ ହାଇଦର ଜଣେ ଅନ୍ତଃରାଜ୍ୟ ଅପରାଧୀ ଥିଲା ଏବଂ ୩ଟି ରାଜ୍ୟ ଦେଇ ଓଡ଼ିଶାକୁ ଅଣାଯାଉଥିଲା; ତତ୍କାଳୀନ ଡିଜି ଏ ସମସ୍ତ ରାଜ୍ୟର ଡିଜିଙ୍କ ସହ ଯୋଗାଯୋଗରେ ରହିଥିଲେ। ସବୁ ରାଜ୍ୟ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଜୁନ୍ ୮ ତାରିଖରେ ହାଇଦର ଓ ସହଯୋଗୀମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ସେବେଠାରୁ ହାଇଦର ଜେଲ୍‌ରେ ରହିଥିଲା।

ତେବେ ହାଇଦରର ଅପରାଧ ଏତିକିରେ ସୀମିତ ନ ଥିଲା। ଯେହେତୁ ଅନ୍ୟ ରାଜ୍ୟରେ ସହଯୋଗୀମାନେ ରହିଥିଲେ ସେଥିପାଇଁ ସେ ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ବ୍ଲୁ ପ୍ରିଣ୍ଟ ତିଆରି କରିଥିଲା। ସହଯୋଗୀଙ୍କ ଦ୍ବାରା ରଶ୍ମିରଞ୍ଜନଙ୍କୁ ଅପହରଣ ଓ ହତ୍ୟା କରାଇବା ସହ ମୁଣ୍ଡଜାମିନ ବାବଦରେ କୋଟି କୋଟି ଟଙ୍କା ନେଇଥିଲା। ଏହି ମାମଲାରେ ମଧ୍ୟ ହାଇଦର ଓ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା‌।

ଦୁଃଖ ଲାଗୁଛି, କଷ୍ଟ ବି: ତତ୍କାଳୀନ ସିଟି ଡିଏସପି ଶରତ ସାହୁ
ସେତେବେଳେ ହାଇଦରକୁ ଧରିବା ଲାଗି ସ୍ପେସାଲ୍ ଟିମ୍‌ର ନେତୃତ୍ବ ନେଉଥିବା ତତ୍କାଳୀନ ସିଟି ଡିଏସପି ଶରତ ସାହୁ ହାଇଦର ଫେରାର ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ୧୬ ବର୍ଷ ତଳର କଥା ମନେ ପକାଇ ସେ କହିଛନ୍ତି, ହାଇଦର ସମେତ ୭ ଜଣ କୁଖ୍ୟାତ ଅପରାଧୀ ଥିବାରୁ ସେମାନେ ବାଟରେ କୌଣସି ଅଘଟଣ ଘଟାଇବାର ଆଶଙ୍କା ରହିଥିଲା। ସବୁ ରାଜ୍ୟରେ ସହଯୋଗୀମାନେ ଥିବାରୁ ସେମାନେ ମଧ୍ୟ ଆକ୍ରମଣ କରି ଛଡ଼ାଇ ନେବାର ଆଶଙ୍କା ମଧ୍ୟ ଥିଲା। ଆମେ ୧୧ ଜଣିଆ ଟିମ୍ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ନାଗପୁର ଯାଇଥିଲୁ। ଯେମିତି କୌଣସି ଅଘଟଣ ନ ଘଟିବ ତାହା ଉପରେ ସତର୍କ ଦୃଷ୍ଟି ରଖା ଯାଇଥିଲା। ଏବେ ହାଇଦର ଫେରାର ହୋଇଯିବା ବହୁତ ଦୁଃଖ ଦେଉଛି ଓ କଷ୍ଟ ମଧ୍ୟ ଲାଗୁଛି। ଏଥିରେ ପୁଲିସର ନିଶ୍ଚିତ ଅବହେଳା ରହିଛି। ହାଇଦର ଖୁବଶୀଘ୍ର ଧରାହେଲେ ପୁଲିସ ଉପରେ ଲୋକଙ୍କ ଆସ୍ଥା ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର