ହାଇଡ୍ରାମା ଶେଷ: ପୁଲିସ ରିମାଣ୍ଡରେ ୭ ଦିନ ହାଇଦର୍‌

ଫେରାର୍‌ ଘଟଣାର ବିବରଣୀ ଦେଲେ ପୁଲିସ କମିସନର
ତେଲେଙ୍ଗାନା ସଙ୍ଗାରେଡ୍ଡିରୁ ଧରାପଡ଼ିଥିଲା
ଆକ୍ଟିଭାରେ ଅନ୍ୟ ଜଣଙ୍କ ସହ ଯାଉଥିବାବେଳେ କାବୁ ହେଲା
ହାଇଦର୍‌ ଓ ୨ ସହଯୋଗୀଙ୍କୁ କୋର୍ଟ ଚାଲାଣ
୨ ମହିଳାଙ୍କ ସମେତ ୭ ସହଯୋଗୀଙ୍କୁ ଜେରା

କଟକ : ଏସ୍‌ସିବିରୁ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦର୍‌ର ହାଇଡ୍ରାମା ଶେଷ ହୋଇଛି। ମଝିଆ ପୁଅ ସେକ୍ ଆଜାରୁଦ୍ଦିନ ସହିତ ଗୋଟିଏ ବାଇକ୍‌ରେ ବସି ଗ୍ୟାଙ୍ଗଷ୍ଟର୍ ହାଇଦର‌ କଟକ ବଡ଼ ମେଡିକାଲରୁ ଫେରାର ହୋଇଯାଇଥିଲା। ବାଇକ୍‌ରେ ସେ ଖୋର୍ଦ୍ଧା ଯାଏ ଯାଇଥିଲା। ଖୋର୍ଦ୍ଧାରୁ ଏକ କାର୍‌ରେ ତେଲେଙ୍ଗାନା ଯାଇ ଏପ୍ରିଲ ୧୧ ତାରିଖରେ ପହଞ୍ଚିଥିଲା। ସେଠାରେ ଆଉ କାର‌୍‌ ବ୍ୟବହାର ନ କରି ସ୍କୁଟି ଆଉ ବାଇକ୍‌ ଧରି ବିଭିନ୍ନ ସ୍ଥାନକୁ ଯାଇଥିଲା। ସେ କେଉଁଠିକୁ ଯିବ, କେଉଁଠି ରହିବ, ଗାଡ଼ି କେଉଁଠୁ ଆସିବ, ସେ ସବୁ ମଝିଆ ପୁଅ ଆଜାରୁଦ୍ଦିନ ଓ ତା’ର ସହଯୋଗୀମାନେ ପୂର୍ବରୁ ବ୍ୟବସ୍ଥା କରି ରଖିଥିଲେ। ‌ଜେରା ସମୟରେ ହାଇଦର୍‌ ଏଭଳି କିଛି ସୂଚନା ପୁଲିସକୁ ଦେଇଛି। ପୁଲିସ ଏବେ ତା’ର ୨ ମହିଳା ସହଯୋଗୀଙ୍କ ସମେତ ୭ ଜଣଙ୍କୁ ଜେରା କରୁଥିବାବେଳେ ହାଇଦର ସମେତ ୩ ଜଣଙ୍କୁ କୋର୍ଟଚାଲାଣ କରିଛି। ଆଜି ସଂଧ୍ୟାରେ ସେମାନଙ୍କୁ କଟକ ଜେଏମ୍‌ଏଫ୍‌ସି(ସିଟି) କୋର୍ଟରେ ହାଜର କରାଯାଇଥିଲା। ହାଇଦରକୁ ୧୦ ଦିନିଆ ରିମାଣ୍ତରେ ନେବାକୁ ପୁଲିସ ଆବେଦନ କରିଥିବାବେଳେ ୭ ଦିନ ପାଇଁ ଅନୁମତି ମିଳିଛି। ହାଇଦର ଆଜି ଚୌଦ୍ବାର ଜେଲ୍‌ରେ ରହିଛି। ଅନ୍ୟପଟେ, ତା’ର ୨ ସହଯୋଗୀ ଯୋବ୍ରାର ମହମ୍ମଦ ଇତିଆଜ୍‌ ଓ ପଟ୍ଟାମୁଣ୍ଡାଇର ଚିକୁ ଓରଫ୍‌ ଇବ୍ରାହିମ୍‌ ଖଁାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ହାଇଦର‌୍‌କୁ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦ୍‌ ହୁଦନୁଲ୍‌ ଅଞ୍ଚଳରୁ ଗିରଫ କରାଯାଇଥିବା ଆଜି ପୁଲିସ ପକ୍ଷରୁ କୁହାଯାଇଛି। ହୁଦନୁଲ୍‌ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏହା କର୍ଣ୍ଣାଟକ ସୀମାରେ ବୋଲି ପୁଲିସ କହିଛି। ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ହାଇଦର ଫେରାର ଠାରୁ ଧରାପଡ଼ିବା ପର୍ଯ୍ୟନ୍ତ ଘଟଣାକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୩ ତାରିଖରେ ହାଇଦର ସମ୍ବଲପୁର ଜେଲ୍‌ରୁ ଆସି କଟକ ବଡ଼ ଡାକ୍ତରଖାନାର ସର୍ଜରି ଵାର୍ଡର କ୍ୟାବିନ୍‌ ନ˚ ୫ରେ ଭର୍ତ୍ତି ହୋଇଥିଲା। ଏପ୍ରିଲ ୧୦ ତାରିଖ ଅପରାହ୍ନରେ ସେ ବଡ଼ ମେଡିକାଲରୁ ଚମ୍ପଟ୍‌ ମାରିବା ପରେ କମିସନରେଟ୍‌ ପୁଲିସ ତାକୁ ଧରିବାକୁ ୫ଟି ଟିମ୍‌ ଗଠନ କରିଥିଲା। ବଡ଼ ଡାକ୍ତରଖାନାରୁ ସିସି କ୍ୟାମେରା ଫୁଟେଜ୍‌ ଜବତ କରି ଛାନଭିନ୍ ଆରମ୍ଭ କରିଥିଲା। ହାଇଦର‌୍‌ ନିଜେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନଥିବାରୁ ପୁଲିସ ପ୍ରଥମେ ହାଇଦର‌୍‌ର ପୁରୁଣା ସହଯୋଗୀଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରାକ୍‌ କଲା ପରେ ହାଇଦର‌୍‌ ନିୟମିତ ସେମାନଙ୍କ ସହିତ ଯୋଗାଯୋଗରେ ଥିବା ଜଣାପଡ଼ିଥିଲା। ମୋବାଇଲ୍‌ ନମ୍ବର ଟ୍ରାକ୍‌ କଲା ପରେ ୧୧ ତାରିଖରେ ପୁଲିସ ହାଇଦର ଆନ୍ଧ୍ର-ତେଲେଙ୍ଗାନା ଆଡ଼କୁ ଯାଇଥିବା ସୂଚନା ପାଇଥିଲା। ମହାନଦୀବିହାରରୁ ଧରାପଡ଼ିଥିବା ୟାକୁବ୍‌ ବି ପୁଲିସକୁ ହାଇଦର‌୍‌ର ଗତିବିଧି ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲା। ୧୧ ତାରିଖ ରାତିରେ ହିଁ ତେଲେଙ୍ଗାନାରେ କଟକ ପୁଲିସର ଗୋଟିଏ ଟିମ୍‌ ପହଞ୍ଚିଥିଲା। ୧୨ ତାରିଖରେ ଆଉ ଏକ ଟିମ୍‌ ତେଲେଙ୍ଗାନାରେ ପହଞ୍ଚିଥିଲା। ୧୩ରୁ ୧୫ ତାରିଖ ତିନିଦିନ ଧରି ସେଠାରେ ପୁଲିସର ଅପରେସନ୍‌ ଚାଲିଥିଲା। ତେଲେଙ୍ଗାନା ପୁଲିସର ଦୁଇଟି ଟିମ୍‌ କମିସନରେଟ୍‌ ପୁଲିସକୁ ସହଯୋଗ କରିଥିଲେ। ୧୬ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ପୁଲିସ ହାଇଦର‌୍‌କୁ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାର ଜାହିରାବାଦ୍‌ରୁ ଗିରଫ କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହିତ ଏକ ଆକ୍ଟିଭା ସ୍କୁଟିରେ ଯାଉଥିବା ବେଳେ ପୁଲିସ ତାକୁ ପିଛା କରି ଗିରଫ କରିଥିଲା। ଯେଉଁ ବ୍ୟକ୍ତି ତାକୁ ବାଇକ୍‌ରେ ନେଉଥିଲେ ସେ ହାଇଦର‌୍‌ର ଏଭଳି ଅପରାଧ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ନଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଗୁରୁବାର ବିଳମ୍ବିତ ରାତିରେ କଟକ କମିସନରେଟ୍‌ ପୁଲିସ ହାଇଦ୍‌କୁ ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଜାହିରାବାଦ୍‌ର ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରି ଟ୍ରାନ୍‌ଜିଟ୍‌ ରିମାଣ୍ତରେ ବିମାନ ଯୋଗେ ଓଡ଼ିଶା ଆଣିଥିଲା। ଆଜି ସକାଳ ପ୍ରାୟ ୯ଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପୁଲିସ ହାଇଦର‌୍‌କୁ ଧରି ପହଞ୍ଚିଥିଲା। ଗୋଟିଏ ଗାଡ଼ିରେ ହାଇଦ୍‌ର ଆସିଥିବା ବେଳେ ଅନ୍ୟ ଦୁଇଟି ଗାଡ଼ି ଆଗପଛ ହୋଇ ହାଇଦର‌୍‌କୁ ଏସକର୍ଟ କରି ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ହାଇଦର‌୍‌ ବାରମ୍ବାର ଗାଡ଼ି ବଦଳାଉଥିବାରୁ ପୁଲିସକୁ ଅଡ଼ୁଆ ହୋଇଥିଲା। ହାଇଦର‌୍‌ ବିରୋଧରେ ପୁଲିସ ଦଫା ୨୨୪, ୩୨୮, ୧୨୦(ବି)ରେ ଏକ ମାମଲା(କେସ୍‌ ନ˚ ୧୦୧/୨୦୨୧) ମଙ୍ଗଳାବାଗ ଥାନାରେ ରୁଜୁ କରିଛି। ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମ୍‌ର ଏତଲା ଆଧାରରେ ମଙ୍ଗଳାବାଗ ଥାନା ପୁଲିସ ଏହି ମାମଲା ରୁଜୁ କରିଥିଲା।

ପୁଲିସ କମିସନର କହିବା ଅନୁଯାୟୀ ଡିସିପି ପ୍ରତୀକ ସି˚ହଙ୍କ ତତ୍ତ୍ବାବଧାନରେ ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଏବ˚ ଚାଉଳିଆଗଞ୍ଜ ଥାନା ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଗଠିତ ଟିମ୍‌ ସାଙ୍ଗାରେଡ୍ଡି ଅଞ୍ଚଳରୁ ଗତକାଲି ସନ୍ଧ୍ୟାରେ ହାଇଦର‌୍‌କୁ କାବୁ କରିବାରେ ସଫଳ ହୋଇଥିଲେ। ହାଇଦର ଗଲା ୧୦ ତାରିଖ ଦିନ ବଡ଼ ଡାକ୍ତରଖାନାରୁ ଫେରାର ହେବାର ୩ ଘଣ୍ଟା ପରେ ପୁଲିସକୁ ଖବର ମିଳିଲା। ତେଣୁ ସେ ରାଜ୍ୟ ବାହାରକୁ ଯିବାରେ ସଫଳ ହୋଇଥିଲା। ଗ୍ୟାଙ୍ଗଷ୍ଟର‌୍‌ ହାଇଦର‌୍‌ର ପୂର୍ବ ଫେରାର ରେକର୍ଡ ଅନୁଧ୍ୟାନ କରାଯାଇଥିଲା। ପୂର୍ବରୁ ସେ ମହାରାଷ୍ଟ୍ରରୁ ଧରାପଡ଼ିଥିବାରୁ ଏଥର ସେ ରାଜ୍ୟ ବାହାରକୁ ଯାଇଥିବା ସନ୍ଦେହ କରାଯାଇଥିଲା। ସେଥିପାଇଁ କମିସନରେଟ୍‌ ପୁଲିସ ଟିମ୍‌ ପ୍ରଥମେ ପଶ୍ଚିମବଙ୍ଗ, ଝାଡ଼ଖଣ୍ତ, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲା। ତେଲେଙ୍ଗାନାରେ ଥିବା ଜଣାପଡ଼ିବା ପରେ ପୁଲିସ ଟିମ୍‌ ଅନ୍ୟ ରାଜ୍ୟରୁ ଫେରି ଆସିଥିଲା। ଟେକନିକାଲ୍‌ ଆନାଲିସିସ୍‌ କରାଯାଇଥିଲା। ଏସବୁ ପରେ ହାଇଦର‌୍‌କୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ହାଇଦର‌୍‌କୁ ଫେରାର କରିବାରେ ତା ପୁଅ ଓ ଅନ୍ୟ ସହଯୋଗୀ ତାକୁ ସାହାଯ୍ୟ କରିଥିଲେ। ହାଇଦର‌୍‌ ନିକଟରୁ କୌଣସି ମାରଣାସ୍ତ୍ର ପୁଲିସ ଜବତ କରି ନ ଥିବାବେଳେ ସେ ଯେଉଁ କାର‌୍‌ ବ୍ୟବହାର କରିଥିଲା, ସେହି କାର‌୍‌ ବି ଜବତ ହୋଇନାହିଁ ବୋଲି କମିସନର ସୂଚନା ଦେଇଛନ୍ତି। ଅନ୍ୟପଟେ ହାଇଦର‌୍‌ ଅପରେସନ୍‌ରେ ସାମିଲ ହୋଇଥିବା ପୁଲିସ କମିସନରଙ୍କଠାରୁ ଆରମ୍ଭ କରି ଡିସିପି ପ୍ରତୀକ ସି˚ହ, ଏଡିସିପି ତ୍ରିନାଥ ମିଶ୍ର, ଏଡିସିପି ପ୍ରମୋଦ ରଥ ଓ ଅନ୍ୟ ଅଧିକାରୀମାନେ ପୁଲିସ ଡିଜି ଅଭୟଙ୍କୁ ପୁଲିସ ମୁଖ୍ୟାଳୟରେ ଭେଟିଛନ୍ତି। ଏଭଳି ସଫଳତା ପାଇଁ ଡିଜି ସମସ୍ତ ଅଫିସରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର