ଭୁବନେଶ୍ବର : ଆଜି ସକାଳେ ହାଇଦ୍ରାବାଦରୁ ଗୌହାଟୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯୁବକଙ୍କ ପାଗଳାମୀ ପାଇଁ ବିମାନଟିକୁ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି।
ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ବିମାନ ୬ଇ୪୬୨ ଗୌହାଟୀ ଅଭିମୁଖେ ଉଡ଼ାଣ କରିଥିଲା। କିନ୍ତୁ ବିମାନ ଉଡ଼ାଣ କରିବାର କିଛି ସମୟ ପରେ ଇରସାଦ ଅଲ୍ଲୀ ନାମକ ଜଣେ ୨୦ବର୍ଷୀୟ ଯୁବକ ହଠାତ୍ ସିଟ୍ ଉପରେ ଛିଡ଼ା ହୋଇ ଚିତ୍କାର କରିଥିଲେ। ତୁରନ୍ତ ବିମାନ ଅବତରଣ କରିବାକୁ ଏୟାର ହୋଷ୍ଟେସ୍ଙ୍କୁ କହିଥିଲେ। ଏହାପରେ ବିମାନର କ୍ରିଉ ସଦସ୍ୟମାନେ ଆସି ତାଙ୍କୁ ବୁଝାସୁଝା କରିଥିଲେ ହେଁ ସେ ବୁଝିନଥିଲେ। ବେଳକୁ ବେଳ ତାଙ୍କ ଉତ୍ପାତ ବଢ଼ିବାରେ ଲାଗିଥିଲା। ଏପରିକି େସ କିଛି ଯାତ୍ରୀଙ୍କୁ ଠେଲାପେଲା କରି ବିମାନର ଜରୁରୀକାଳୀନ ଫାଟକ ନିକଟରେ ପହଞ୍ଚି ଯାଇଥିଲେ। ଆଉ ଜରୁରୀକାଳୀନ ଫାଟକକୁ ଖୋଲି ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ। ଇରସାଦଙ୍କ ଏହିଭଳି ଉତ୍ପାତ ଦେଖି ବିମାନର ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ। କିଛି ଯାତ୍ରୀ ଆସି ତାଙ୍କୁ ବୁଝାସୁଝା କରିଥିଲେ ହେଁ ସେ କାହା କଥା ଶୁଣି ନଥିଲେ। ଏପରିକି ତାଙ୍କ ସହ ଆସିଥିବା ଆଉ ଜଣେ ଯୁବକ ତାଙ୍କୁ ବୁଝାଇଥିଲେ ବି ସେ ଶାନ୍ତ ପଡ଼ିନଥିଲେ। ଯୁବକ ଜଣଙ୍କ ଉତ୍ପାତ ବଢ଼ିବାରୁ ଯାତ୍ରୀମାନେ ତାଙ୍କୁ କାବୁ କରିନେଇଥିଲେ। ତିନିରୁ ଚାରି ଜଣ ଯାତ୍ରୀ ତାଙ୍କୁ ଗୋଟିଏ ସିଟ୍ରେ ବସାଇ ମାଡ଼ି ବସିଥିଲେ। ଏହାପରେ ବି ସେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଛାଟିପିଟି ହେବାରୁ ପାଇଲଟ୍ ବିମାନର ଜରୁରୀ ଅବତରଣ ପାଇଁ ଭୁବନେଶ୍ବର ବିମାନବନ୍ଦର ଏଟିସିକୁ ଅନୁମତି ମାଗିଥିଲେ। ଏଟିସି ଅନୁମତି ମିଳିବା ପରେ ବିମାନଟି ସକାଳ ୬ଟା ୧୦ରେ ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା। ଏହାପରେ ସିଆଇଏସ୍ଏଫ୍ ଯବାନମାନେ ଆସି ତାଙ୍କୁ ବିମାନରୁ ଉଠାଇ ନେଇଥିଲେ। ବିମାନଟି ପୁଣି ସକାଳ ୭ଟା ୧୩ରେ ଗୌହାଟୀ ଅଭିମୁଖେ ଉଡ଼ାଣ କରିଥିଲା।
ଇରସାଦ୍ଙ୍କ ସହ ଯାତ୍ରୀମାନଙ୍କର ବିମାନ ଭିତରେ େଠଲାପେଲା ହୋଇଥିବାରୁ ତାଙ୍କ ଦେହରେ ଆଘାତ ଲାଗିଥିଲା। ତେଣୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ଡାକ୍ତରମାନେ ରିପୋର୍ଟ ଦେଇଥିଲେ ଯେ, ଇରସାଦ୍ ମାନସିକ ବିକାରଗସ୍ତ। ଯେଉଁଥିପାଇଁ ସେ ବିମାନ ଭିତରେ ଏପରି ବ୍ୟବହାର କରୁଥିଲେ। କିନ୍ତୁ ଇରସାଦ୍ଙ୍କ ସହ ଆସିଥିବା ଯୁବକ ଜଣଙ୍କ କହିଥିଲେ ଯେ, ଇରସାଦ୍ ଘରକୁ ଯିବାକୁ ଚାହୁଁନଥିଲେ। ତେଣୁ ସେ ବିମାନରୁ ଓହ୍ଲାଇବାକୁ ଜିଦ୍ କରୁଥିଲେ। ଇଣ୍ଡିଗୋ କର୍ତ୍ତୃପକ୍ଷ ବିମାନବନ୍ଦର ପୁଲିସ ସହାୟତାରେ ଇରସାଦ୍ଙ୍କ ପରିବାର ଲୋକଙ୍କୁ ଏନେଇ ଖବର ପଠାଇଛନ୍ତି। ଆଉ ଭୁବନେଶ୍ବରରୁ ନେଇଯିବାକୁ କହିଛନ୍ତି। ଇରସାଦ୍ ଏବେ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/m3f.jpg)