ହାଇଦର୍‌ର ୪୦ରୁ ଅଧିକ ଧରମ ସମ୍ପର୍କୀୟ

କଟକ : ଗ୍ୟାଙ୍ଗଷ୍ଟର‌ ହାଇଦର‌ର ସହଯୋଗୀ ତାଲିକାର ଥିବା ସୋନାଲି ସ୍ବାଇଁଙ୍କ ମା ହେଉଛନ୍ତି ହାଇଦର‌ର ଧରମ ମା। ହାଇଦର‌ ବଡ଼ ଡାକ୍ତରଖାନାରେ ଥିବା ବେଳେ ଅନେକ ଥର ଉଭୟ ସୋନାଲି ଓ ତାଙ୍କ ମା ଡାକ୍ତରଖାନାକୁ ଆସୁଥିଲେ। ସୋନାଲି ହାଇଦର‌ ପାଇଁ କାମ କରୁଥିଲା। ହାଇଦର‌୍‌ କଥାରେ ହିଁ ସୋନାଲି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ତାଇର ବ୍ୟବସାୟୀ ଶରତ ନାୟକଙ୍କ ନିକଟରୁ ୫ ଲକ୍ଷ ଟଙ୍କା ବଟି ଆଣିଥିଲା। ସୋନାଲି ଏକ ରାଜନୈତିକ ପରିବାରର ଝିଅ ହୋଇଥିବା ବେଳେ ତାଙ୍କ ମା କେନ୍ଦ୍ରାପଡ଼ାର ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜନପ୍ରତିନିଧିଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିଛନ୍ତି। ହାଇଦର‌ ଗିରଫ ହେବା ପରେ ବି ସୋନାଲିଙ୍କ ମା ସମ୍ପୃକ୍ତ ରାଜନେତାଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିଥିବା କୁହାଯାଉଛି। ପରୋକ୍ଷରେ ହାଇଦର‌ ରାଜନେତାଙ୍କ ଲିଙ୍କ୍‌ରେ ଥିବା ଚର୍ଚ୍ଚା ହେଉଛି। ହାଇଦର‌ ମାର୍ଚ୍ଚ ୨୩ ତାରିଖରେ ବଡ଼ ଡାକ୍ତରଖାନା ଆସିବା ପରେ ସୋନାଲି ଓ ତାଙ୍କ ମା ହାଇଦର‌୍‌କୁ ଭେଟିବାକୁ ଆସୁଥିଲେ। ସୋନାଲି ହାଇଦର‌ ରହୁଥିବା କ୍ୟାବିନ୍‌ରେ ଅନେକ ସମୟରେ ରହିଥିବା କୁହାଯାଉଛି।

ହାଇଦର‌୍‌ର ଏବେ ପ୍ରାୟ ୪୦ରୁ ୫୦ ଜଣ ଧରମ ସମ୍ପର୍କୀୟ ଥିବା କୁହାଯାଉଛି। ଝାରପଡ଼ା ଓ ସମ୍ବଲପୁର ଜେଲ୍‌ ଡାକ୍ତରଖାନା ସମେତ କଟକ ବଡ଼ ଡାକ୍ତରଖାନାରେ ପ୍ରାୟ ୧୦ରୁ ଅଧିକ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ହାଇଦର‌ ଧରମ ବାପା, ବୋଉ, ଭାଇ, ଭଉଣୀ ସମ୍ପର୍କରେ ଯୋଡ଼ିଛି। ସେଥିପାଇଁ ହାଇଦର‌୍‌ର ଆବଶ୍ୟକତା ନଥାଇ ବି ଜେଲ୍‌ରୁ ବିଭିନ୍ନ ସମୟରେ ବାହାର ଡାକ୍ତରଖାନାକୁ ବାରମ୍ବାର ପଠାଇବା ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କୁହାଯାଉଛି। ଅବଶିଷ୍ଟ ମହିଳା ଓ କଲେଜ ଛାତ୍ରୀଙ୍କୁ ବି ହାଇଦର‌ ଧରମ ମା ଓ ଗାର୍ଲଫ୍ରେଣ୍ତ କରିଛି। ଏମାନଙ୍କ ମୋବାଇଲ୍‌ ବ୍ୟବହାର କରି ହାଇଦର‌‌ ବଟି ଆଦାୟ କରୁଥିଲା। ନିଜେ ଫୋନ୍‌ ବ୍ୟବହାର କଲେ ପୁଲିସ ସ୍କାନର‌୍‌ରେ ପଡ଼ିବାର ଆଶଙ୍କା ଥିବାରୁ ଏଭଳି ଧରମ ସମ୍ପର୍କୀୟଙ୍କ ମୋବାଇଲ୍‌ ଫୋନ୍‌ ହାଇଦର‌ ବ୍ୟବହାର କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର