ଛାଡ଼ପତ୍ରକୁ ନେଇ ହାଇଡ୍ରାମା: ଜିଲ୍ଲାପାଳ ଅଫିସ୍‌ରେ ସ୍ବାମୀ-ସ୍ତ୍ରୀ ମାରପିଟ୍‌

ବିଧାଗୋଇଠା, ଚାପୁଡ଼ା ବର୍ଷା

ବାଲେଶ୍ବର : ବିବାହକୁ ୩ ବର୍ଷ ପୂରିନି, ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଲା ଝଡ଼। ମତାନ୍ତରରୁ ମନାନ୍ତର ଆଉ ତା ପରେ ବିବାହ ବିଚ୍ଛେଦ ପାଇଁ ଚରମ ନିଷ୍ପତ୍ତି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷର ଉଗ୍ରରୂପ ସୋମବାର ଦେଖିବାକୁ ମିଳିଥିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ। ଶହ ଶହ ଲୋକଙ୍କ ଉପସ୍ଥିତିରେ ସ୍ବାମୀ-ସ୍ତ୍ରୀ ଝଗଡ଼ା ଲାଗିବା ପରେ ଗୋଡ଼ାଗୋଡ଼ି ହୋଇ ପିଟାମରା ହୋଇଥିଲେ। ପ୍ରାୟ ଅଧଘଣ୍ଟା ଧରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏମିତି ହାଇଡ୍ରାମା ଦେଖିବାକୁ ମିଳିଥିଲା।

ବାଲେଶ୍ବର ଟାଉନ୍ ଥାନା ହେମ୍‌କାପଦା ଅଞ୍ଚଳର ସିଦ୍ଧାର୍ଥ ନାୟକ ୨୦୧୮ରେ ବାହାନଗା ବ୍ଲକ ଗଣ୍ଡସ୍ତପୁର ଅଞ୍ଚଳର ସୁବାସିନୀ ନାୟକଙ୍କୁ ବିବାହ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣକୁ ନେଇ ସିଦ୍ଧାର୍ଥ ଓ ସୁବାସିନୀଙ୍କ ମଧ୍ୟରେ ଦୂରତା ବଢ଼ିଲା। ଛୋଟମୋଟ କଥାକୁ ନେଇ ଦୁହେଁ ପାଟିତୁଣ୍ଡ କରିବା ସହ ଝଗଡ଼ା କରୁଥିଲେ। ଏ ସଂପର୍କରେ ସୁବାସିନୀ ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆପୋସ ସମାଧାନ ବି ହୋଇଥିଲା। ତେବେ ସିଦ୍ଧାର୍ଥ ଆଉ ବୁଝିବା ଅବସ୍ଥାରେ ନଥିଲେ। ପତ୍ନୀ ସୁବାସିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ। ସୋମବାର କୋର୍ଟ ତାରିଖ ଥିବାରୁ ଉଭୟ ଆସି ପହଞ୍ଚିଥିଲେ। ସୁବାସିନୀ ଛାଡ଼ପତ୍ର ନେବାକୁ ରାଜି ନଥିବା ବେଳେ ସିଦ୍ଧାର୍ଥ ଛାଡ଼ପତ୍ର ଦେବାକୁ ଚାହିଁଥିଲେ। ଫଳରେ ଉଭୟଙ୍କୁ ଏକାଠି ବସାଇ ବୁଝାଇବାକୁ ଅଦାଲତ ଅନ୍ୟ ଏକ ଦିନ ଧାର୍ଯ୍ୟ କରିଥିଲେ।

ତେବେ ଅଦାଲତରୁ ବାହାରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି କଥାକୁ ନେଇ ବଚସା ହୋଇଥିଲା। ପତ୍ନୀଙ୍କୁ ଏଡ଼ାଇ ସିଦ୍ଧାର୍ଥ ଓ ତାଙ୍କ ଭଉଣୀ ସ୍କୁଟରରେ ପଳାଇଯିବାକୁ ଉଦ୍ୟମ କରିବା ବେଳେ ସୁବାସିନୀ ଓ ତାଙ୍କ ଭାଇ ସେମାନଙ୍କ ପଥରୋଧ କରିଥିଲେ। ବାସ୍ ଏହା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ମାରପିଟ୍। ଠେଲାପେଲାରୁ ଆରମ୍ଭ ହୋଇ ଦୁହେଁ ବିଧାଗୋଇଠା, ଚାପୁଡ଼ା ମରାମରି ହୋଇଥିଲେ। କଥା ଏତିକିରେ ସରିନଥିଲା। ରାସ୍ତାରେ ଗୋଡ଼ାଗୋଡ଼ି ହୋଇ ସ୍ବାମୀ-ସ୍ତ୍ରୀ ଜିଲ୍ଲାପାଳଙ୍କ ଅଫିସ୍ ବାରଣ୍ଡାରେ ବାଡ଼ିଆପିଟା ଲାଗିଥିଲେ। ଉଭୟଙ୍କୁ ଗଣ୍ଡଗୋଳରୁ ନିବୃତ୍ତ କରିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରେ ବହୁ ଲୋକ ଜମା ହୋଇ ମୋବାଇଲରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ସୂଚନାଥାଉକି, ସିଦ୍ଧାର୍ଥ ଓ ସୁବାସିନୀଙ୍କର ଏକ ଦୁଇବର୍ଷର ପୁତ୍ର ସନ୍ତାନ ରହିଛି।

ସମ୍ବନ୍ଧିତ ଖବର