୨୦୨୩ରେ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌

ବନ୍ଦେଭାରତ ଏକ୍ସପ୍ରେସ୍‌ ଉତ୍ପାଦନ ବଢ଼ିବ

ଭୁବନେଶ୍ବର : ଭାରତ ହାଇଡ୍ରୋଜେନ୍‌ ଚାଳିତ ଟ୍ରେନ୍‌ ପ୍ରସ୍ତୁତ କରୁଛି। ୨୦୨୩ ସୁଦ୍ଧା ଏହି ଟ୍ରେନ୍‌ ପ୍ରସ୍ତୁତ ହୋଇଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସୋଆ ବିଶ୍ବବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ ‘ମୋଦି@୨୦, ଡ୍ରିମ୍‌ସ ମିଟ୍ ଡେଲିଭରି’ ଶୀର୍ଷକ ବକ୍ତୃତା ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ ଗତି ଶକ୍ତି ଟର୍ମିନାଲ ନୀତି ମାଧ୍ୟମରେ ଭାରତୀୟ ରେଳ ଦୂରଗତିରେ ଆଗକୁ ବଢ଼ୁଛି। ଏହି ନୀତି ଦ୍ବାରା ଭାରତୀୟ ରେଳପଥକୁ ଦେଶର କୋଣ ଅନୁକୋଣ ତଥା ଉପାନ୍ତ ଅଞ୍ଚଳ ସହ ଯୋଡ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଦୁଇ ବର୍ଷ ହେଲା ବନ୍ଦେଭାରତ ଏକ୍ସପ୍ରେସ୍‌ ଦେଶରେ ସୁରୁଖୁରୁରେ ଚାଲିଛି। କୌଣସିଠାରେ ସେଭଳି ବଡ଼ଧରଣର ଦୁର୍ଘଟଣା ହୋଇନାହିଁ। ତାହାକୁ ନଜରରେ ରଖି ଭାରତୀୟ ରେଳ ପକ୍ଷରୁ ବନ୍ଦେଭାରତ ଏକ୍ସପ୍ରେସ୍‌ର ଉତ୍ପାଦନ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏହି ସେବା ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି।

ଶ୍ରୀ ବୈଷ୍ଣବ ୫-ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରି କହିଲେ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫-ଜିର ପ୍ରଚଳନ ଆରମ୍ଭ ହେବ। ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ। ବିଶ୍ୱର ମାତ୍ର ୫ଟି ଦେଶରେ ଏଣ୍ଡ ଟୁ ଏଣ୍ଡ ଟେକ୍ନୋଲୋଜି ସୁବିଧା ଥିବାବେଳେ ଖୁବ୍‌ଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ। ସ୍ୱାସ୍ଥ୍ୟ, କୃଷି ଓ ଶିକ୍ଷା କ୍ଷେତ୍ରରେ ୫-ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ରେ ଏକ ୫ଜି ଲ୍ୟାବ୍‌ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫-ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସେହିପରି ସୋଆରେ ଏକ ସଫ୍ଟୱେର ଡେଭେଲେପମେଣ୍ଟ ଲ୍ୟାବ ପ୍ରତିଷ୍ଠା ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହି ଦୁଇଟି ଲ୍ୟାବ ପ୍ରତିଷ୍ଠା ନେଇ ସୋଆ ମଧ୍ୟ ପଦକ୍ଷେପ ନେବାକୁ ଯାଉଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୂ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି କେ ନନ୍ଦ, ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଫେସର ବସନ୍ତ କୁମାର ପତି ଏବଂ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର