କୋଟିଆରେ ହେବ ଜଳବିଦ୍ୟୁତ୍‌ ପ୍ରକଳ୍ପ, ଆଦାନୀ ଓ ଟାଟା ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

କୋରାପୁଟ/ପଟାଙ୍ଗି : କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଚରେ ହେବ ଜଳବିଦ୍ୟୁତ୍‌ ପ୍ରକଳ୍ପ। ଆଦାନୀ ଗ୍ରୁପ ପକ୍ଷରୁ ପମ୍ପ୍‌ ଚାଳିତ ଜଳବିଦ୍ୟୁତ୍‌ ପ୍ରକଳ୍ପ ଦ୍ବାରା ଏଠାରୁ ବିଦ୍ୟୁତ୍‌ ଉତ୍ପାଦନ କରଯିବ। ଯାହାକୁ ଟାଟା ପାୱାର ବିତରଣ କରିବ। ଏଥିପାଇଁ ପାଖାପାଖି ୫୦୦୦ କୋଟି ଟଙ୍କାର ବିନିଯୋଗ କରାଯିବା ସହିତ ଏହି ପ୍ରକଳ୍ପରୁ ୨୨୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଓଏଚ୍‌ପିସିର ସାଧାରଣ ପରିଚାଳକ ଲକ୍ଷ୍ମୀଧର ବେହେରା, ଏସ୍‌.ଏସ୍‌.ପି ରାଓ, ଏସ୍‌.ପି ପାଣିଗ୍ରାହୀଙ୍କ ସହ ଆଦାନୀ ଗ୍ରୁପର ଡିଜିଏମ୍‌ ଆବାଶ ଚିଞ୍ଚୋଲିକର ଓ ଟାଟା କନ୍ସଲଟାନ୍ସିର ଡିଜିଏମ୍‌ ଏମ୍‌. ନବୀନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହାପରେ ସେମାନେ କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌. ଅଖତରଙ୍କୁ ଭେଟିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୫ଟି ଗାଁ ବିସ୍ଥାପିତ ହେବେ ବୋଲି ଜଣାପଡ଼ିଛି।

ପୂର୍ବରୁ ଆନ୍ଧ୍ର ଉଦ୍ୟମ କରିଥିଲା, ଏବେ ଓଡ଼ିଶା
କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ଚର୍ଚ୍ଚା

କୋଟିଆରେ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ ନେଇ କିଛିମାସ ଧରି ଛକାପଞ୍ଝା ଲାଗିରହିଛି। ଗତବର୍ଷ ଡିସେମ୍ବର ମାସରେ ଏଠାରେ ଆନ୍ଧ୍ର ସରକାର ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ରାଜ୍ୟର ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରି ସରକାରଙ୍କୁ ଦେଇଥିଲେ। ଏପରିକି, ପରୀକ୍ଷା ପାଇଁ ମାଟି ମଧ୍ୟ ପଠାଯାଇଥିଲା। ସେହିପରି, କୁରକୁଟିଠାରେ ପମ୍ପ୍‌ ‌ଷ୍ ଟୋରେଜ୍‌ ପ୍ରୋଜେକ୍ଟ (୧୨୦୦ ମେଗାୱାଟ)ର ଏକ ଫିଜିବିଲିଟି ରିପୋର୍ଟ ଟାଟା କଂପାନି ଦ୍ବାରା ପ୍ରସ୍ତୁତ କରାଯାଇ ପରିବେଶ ମଞ୍ଜୁରୀ ବିଭାଗକୁ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପକୁ କିଭଳି ତ୍ବରାନ୍ବିତ କରାଯାଇପାରିବ, ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଆନ୍ଧ୍ର ସରକାର ଯୋଗାଯୋଗରେ ରହିଥିବା ଜଣାପଡ଼ିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସହାୟତାରେ ଓଡ଼ିଶା ସରକାର ଏଠାରେ ଜଳବିଦ୍ୟୁତ୍‌ ପ୍ରକଳ୍ପ କରିବାକୁ ଆଗ୍ରହ ଦେଖାଇଛନ୍ତି। ତେଣୁ, ସୋମବାର ଦିନ କୋଟିଆର ନାରେଡିବାଲସା ଓ ତାଡିବାଲସା, ଆରଜୁବାଲସା ଅଞ୍ଚଳ ଟାଟା ଓ ଆଦାନୀ ଗ୍ରୁପ୍‌ ଅଧିକାରୀଙ୍କ ସହ ଓଏଚ୍‌ପିସି ଅଧିକାରୀ ଏଠାକାର ପରିବେଶକୁ ଅନୁଧ୍ୟାନ କରିଛନ୍ତି। ହସ୍ତଗତ ସୂଚନା ଅନୁସାରେ, ପଟାଙ୍ଗି ତହସିଲ ସୁପରଭାଇଜର ଓ ବ୍ଲକ୍‌ ଏପିଓଙ୍କ ଉପସ୍ଥିତିରେ ମ୍ୟାପ୍‌ ଦେଖି କ୍ଷୟକ୍ଷତିର ଆକଳନ କରିଥିଲେ। ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ଏବଂ ଭିତ୍ତିଭୂମି ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହିସମୟରେ ଆନ୍ଧ୍ର ଅଧିକାରୀ ଜାଣିଶୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ। ଟିମ୍‌ ନାରେଡିବାଲସାରେ ବୁଲିବା ସମୟରେ କୋଟିଆ(ଆନ୍ଧ୍ର)ର ପୁଲିସ ସିଆଇ ରୋହିଣୀ ପତି ବାଟ ଓଗାଳିଥିଲେ। ତେଣୁ କିଛିସମୟ ପାଇଁ ସେଠାରେ ପାଟିତୁଣ୍ଡ ହୋଇଥିଲା। ଏପରିକି, ଓଡ଼ିଶାର ଏହି ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ସରକାରଙ୍କ ସ୍ପନ୍ଦନା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ, ଓଡ଼ିଶାର ସରକାରୀ କର୍ମଚାରୀ ସଂପୂର୍ଣ୍ଣ ଅଣଦେଖା କରିଥିଲେ। ତେବେ, କେନ୍ଦ୍ର ସରକାର ହସ୍ତକ୍ଷେପ କରି ଗୋଟିଏ ପ୍ରକଳ୍ପ ସ୍ଥାପନ କରିବେ ନା ଦୁଇ ରାଜ୍ୟ ପୃଥକ୍‌ ପୃ୍‌ଥକ ପ୍ରକଳ୍ପ କରିବେ ସ୍ପଷ୍ଟ ହୋଇପାରି ନାହିଁ। ଯଦି ପୃଥକ ପ୍ରକଳ୍ପ ପାଇଁ ଯୋଜନା ଚାଲିଛି, ତେବେ ଆଗକୁ ବଡ଼ ବିବାଦ ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର