ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ରୋକିବ କରୋନା!

ବ୍ୟବହାର କରିପାରିବେ ରେ‌ାଗୀଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ସାର୍ବଜନୀନ ବ୍ୟବହାର ପାଇଁ ନୁହେଁ, ଡାକ୍ତରଙ୍କ ପରାମର୍ଶ ଜରୁରି

କଟକ : କରୋନା ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ଟିକା ବା ଔଷଧ ବାହାରିପାରିନି। ଅନ୍ୟପଟେ ‘ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌’କୁ କରୋନା ରୋଗ ପାଇଁ ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ଏହା ‘କରୋନା’ରୁ କେତେ ମୁକ୍ତି ଦେବ ତାହାକୁ ନେଇ ସନ୍ଦେହ ରହିଥିଲେ ବି ଏହା ସାର୍ବଜନୀନ ବ୍ୟବହାର ପାଇଁ ନୁହେଁ। କେବଳ ଡାକ୍ତରଙ୍କ ପରାମର୍ଶରେ ରୋଗୀଙ୍କ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏହାକୁ ବର୍ତ୍ତମାନ ବ୍ୟବହାର କରିପାରିବେ।

‘ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌’ ହେଉଛି ଏମିତି ଏକ ଔଷଧ ଯାହା ଗଣ୍ଠିବାତ ରୋଗ, ମ୍ୟାଲେରିଆ ଓ ମଧୁମେହ ରୋଗୀଙ୍କୁ ଦିଆଯାଏ। ଏହାର ବ୍ୟବହାର ଦ୍ବାରା ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏବେ ଏହି ‘ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌’ ଔଷଧ ‘କରୋନା ଆଣ୍ଟି ଭାଇରାଲକୁ ମୁକାବିଲା କରିପାରିବ। କିନ୍ତୁ ଏହି ଔଷଧ ସାର୍ବଜନୀନଭାବେ ବ୍ୟବହାର ହୋଇପାରିବ ନାହିଁ। ସମସ୍ତେ ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ ନାହିଁ। ଯେଉଁମାନେ କରୋନା ରୋଗୀଙ୍କ ସିଧାସଳଖ ସଂସ୍ପର୍ଶରେ ଆସିବେ ଅର୍ଥାତ୍‌ ତାଙ୍କ ପରିବାର ସଦସ୍ୟ, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ ପ୍ରତିଷେଧକ ଭାବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରିପାରିବେ। ଏହି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ରହିଛି। ଏହି ଔଷଧ ଖାଇଲେ ମୁଣ୍ଡ ବୁଲାଇବ, ଆଖିକୁ ଠିକ୍‌ଭାବରେ ଦେଖାଯିବ ନାହିଁ। ଏପରିକି ହୃଦ୍‌ରୋଗ ସମସ୍ୟା ମଧ୍ୟ ଦେଖାଯିବାର ସମ୍ଭାବନା ରହିଛି। ଯଦିଓ ଏହାର ବ୍ୟବହାର ନେଇ ଇଣ୍ଡିଆନ ମେଡିକାଲ ରିସର୍ଚ୍ଚ କାଉନସିଲ ପରାମର୍ଶ ଦେଇଛି, ତା’ସହିତ ଏହାର ବ୍ୟବହାର କେଉଁ କ୍ଷେତ୍ରରେ ହୋଇପାରିବ ସେ ସଂପର୍କରେ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ବୋଲି କହିଛନ୍ତି ଏଣ୍ଡୋକ୍ରୋଇନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଅନୁଜ କୁମାର ବଳିୟାରସିଂହ।

ଅନ୍ୟପଟେ ଏ ସଂପର୍କରେ ଏସ୍‌ସିବିର ଅବସରପ୍ରାପ୍ତ ଡିନ୍‌ ତଥା ବିଶିଷ୍ଟ ବିଶେଷଜ୍ଞ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଔଷଧ ଗଣ୍ଠିବାତ ଡିଏମ୍‌ଆର୍‌ଡିଭାବେ ରୋଗର ଚିକିତ୍ସାରେ ବ୍ୟବହାର ହୁଏ। କିନ୍ତୁ ଏହାର ଅଧିକ ବ୍ୟବହାର କଲେ ରେଟିନା ନଷ୍ଟ ହେବାର ସମ୍ଭାବନା ଅଧିକ। ଯେଉଁ ରୋଗୀମାନେ ଏହାକୁ ବ୍ୟବହାର କରୁଛନ୍ତି, ସେମାନେ ନିୟମିତ ବ୍ୟବଧାନରେ ସେମାନଙ୍କର ଆଖି ପରୀକ୍ଷା କରିବା ଉଚିତ୍‌। ବିନା ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଔଷଧ ଆଦୌ ବ୍ୟବହାର କରନ୍ତୁନି। କରୋନା ରୋଗୀଙ୍କ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି, ଡାକ୍ତର, ସ୍ବାସ୍ଥ୍ୟକର୍ମୀମାନେ ପ୍ରତିଷେଧକ ଭାବେ ବ୍ୟବହାର କରିବେ ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର