ଝାରସୁଗୁଡ଼ା: ଗୋଁଣ୍ଡମାନଙ୍କ ଆରାଧ୍ୟ ଦେବତା ଜଙ୍ଘା ବଡ଼ଦେଓଙ୍କୁ ଯାହା ମାଗିଲେ ତାହା ନିଶ୍ଚିତ ମିଳେ। ଗତବର୍ଷ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ପାଇଁ ଜଙ୍ଘା ବଡ଼ଦେବଙ୍କୁ ମାଗିଥିଲି ଓ ତାହା ପ୍ରାପ୍ତ ହୋଇଥିଲା। ଏପରି ଅନେକ ନିର୍ବାଚନରେ ବିଜୟୀ ହେବା ତାଙ୍କ ଆଶୀର୍ବାଦ ଅଟେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ଶୁକ୍ରବାର ଦଲକି ଗ୍ରାମରେ ଜିଲ୍ଲାସ୍ତରୀୟ ଷଡ଼ବଂଶୀୟ ଗୋଁଣ୍ଡ ମହାସଭାରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ସେ ଗୋଁଣ୍ଡ ଜାତିର ହୋଇନଥିଲେ ମଧ୍ୟ ଜଙ୍ଘା ବଡ଼ବେଓଙ୍କ ସେ ପରମ ଭକ୍ତ ଅଟନ୍ତି। ପ୍ରତିବର୍ଷ ସେ ଜଙ୍ଘାଲିଙ୍ଗାଙ୍କୁ କାନ୍ଧରେ ଧରି ନୃତ୍ୟ ମଧ୍ୟ କରନ୍ତି। ଏହାକୁ ଅନେକେ ଟିଭି ପର୍ଦ୍ଦାରେ ଦେଖାଇ ତାଛଲ୍ୟ କରୁଥିଲେ ମଧ୍ୟ ସେ ଆଦୌ ବିଚଳିତ ହୋଇନଥାନ୍ତି।

Advertisment

publive-image

କାରଣ ଜଙ୍ଘା ବଡ଼ଦେଓ ତାଙ୍କୁ ଅଜସ୍ର କୃପା ପ୍ରଦାନ କରିଛନ୍ତି। ତାଙ୍କୁ କାନ୍ଧରେ ଧରିଲେ ପାପ କ୍ଷୟ ହେଉଥିବା ବେଳେ ବେଶୀ ପାପ କରୁଥିବା ବ୍ୟକ୍ତି ତାକୁ କାନ୍ଧରେ ଧରି ପାରିବ ନାହିଁ ବୋଲି ତାଙ୍କର ବିଶ୍ବାସ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ। ଆଜି ଭୁବନେଶ୍ବରଠାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ଥିଲେ ମଧ୍ୟ ସେ ତାକୁ ଛାଡ଼ି ଜଙ୍ଘା ବଡ଼ଦେଓଙ୍କ ପୂଜାକୁ ଆସିଥିବା କହିଥିଲେ ଓ ତାଙ୍କୁ ଏହି ସୁଯୋଗରେ ସାମିଲ କରିଥିବାରୁ ଗୋଁଣ୍ଡ ସମାଜକୁ କୃତଜ୍ଞତା ଜଣାଇଥିଲେ। ଦଲକୀ ଗ୍ରାମରେ ୩ ଦିନ ଧରି ହେବାକୁ ଥିବା ଷଡ଼ବଂଶୀୟ ‌ଔଟଘର ଗୋଁଣ୍ଡ ଜାତି ସମାଜର ସହାସଭାରେ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ନୂଆଁପଡ଼ା, ମୟୁରଭଞ୍ଜ, ସୋନପୁର, ନବରଙ୍ଗପୁର, କନ୍ଧମାଲ, ଅନୁଗୁଳ, ପଶ୍ଚିମ ସିଂହଭୂମ (ଝାରଖଣ୍ଡ) ଜିଲ୍ଲାର ସଭାପତି, ସଂପାଦକ ତଥା ଗୋଣ୍ଡ ସମାଜର କର୍ମକର୍ତ୍ତା ଯୋଗ ଦେଇ ସମାଜର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିବେ ବୋଲି ସଭାପତି ଜଗନ୍ନାଥ ଭୋଇ, ଯୁବଗୋଷ୍ଠୀ ସଭାପତି ସତ୍ୟପ୍ରକାଶ ନାଏକ, ସଂପାଦକ ତପି ମରେଇ ଜଣାଇଛନ୍ତି।