ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କରାଯାଇ ନଥିବାରୁ ମୋତେ ବ୍ୟଥିତ କରିଛି: ପଦ୍ମନାଭ ବେହେରା

ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେପି ଓ କଂଗ୍ରେସ

ବୀରମହାରାଜପୁର: ରାଜ୍ୟ ସରକାର ଶନିବାର ୫ଟି ମ୍ୟୁନିସିପାଲିଟି ଓ ୩୪ଟି ନୂଆ ଏନ୍‌ଏସି ଘୋଷଣା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ସ୍ଥାନୀୟ ଅଞ୍ଚଳର ଲୋକେ ଏହି ତାଲିକାରେ ଦେଖିବାକୁ ଚାହିଁଥିଲେ ମଧ୍ୟ ତାହା ହୋଇପାରି ନାହିଁ। ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ନମିଳିବା ନେଇ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବୀରମହାରାଜପୁରକୁ ଏନ୍‌ଏସି ଭାବେ ଘୋଷଣା କରିବା ନେଇ ମୁଁ ବହୁତ ଦିନରୁ ଦାବି କରିଆସୁଛି। ଗତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ପ୍ରଶ୍ନ ମଧ୍ୟ ପଚାରିଛ। ବୀରମହାରାଜପୁରକୁ ଏନ୍ଏସି ମାନ୍ୟତା ମିଳିବ ବୋଲି ବିଭାଗୀୟ ମନ୍ତ୍ରୀ ମଧ୍ୟ କହିଥିଲେ। କିନ୍ତୁ ଆଜି ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କରାଯାଇ ନଥିବାରୁ ମୋତେ ବ୍ୟଥିତ କରିଛି। ମୁଁ ମୋ’ର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ଏବେ ଭୁବନେଶ୍ବର ଯାଉଛି। ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ରଘୁନାଥ ଜଗଦଲା କହିଛନ୍ତି, ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା ନକରିବା ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି। ରାଜ୍ୟରେ ଗଣତାନ୍ତ୍ରିକ ଶାସନ ଚାଲୁ ନାହିଁ। ଏଥିପାଇଁ ଏଠାକାର ବିଧାୟକଙ୍କ ଆନ୍ତରିକତା ନାହିଁ। ଏଥିପାଇଁ ବିଜେପି ଆଗାମୀ ଦିନରେ ଆନ୍ଦୋଳନ କରିବ। ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ବିନୋଦ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ର ସବୁଠାରୁ ବଡ଼ ପରିହାସ କରିଛନ୍ତି। ରାଜ୍ୟ ସରକାର ବୀରମହାରାଜପୁର ଉପଖଣ୍ଡକୁ ଏନ୍‌ଏସି ଘୋଷଣା ନକରି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିଦ୍ରୁପ କରିଛନ୍ତି। ଏନ୍‌ଏସି ପାଇଁ କଂଗ୍ରେସ ଦଳ ଅନେକଥର ଅନଶନ ସହିତ ବନ୍ଦ ପାଳନ ମଧ୍ୟ କରିଛି। ସୋମବାର ଦିନ କଂଗ୍ରେସ ବୀରମହାରାଜପୁର ବନ୍ଦ ଡାକରା ଦେଇଛି।

 

ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ (୨୦୨୪ ଫେବ୍ରୁଆରି ୨୪)ରେ ରାଜ୍ୟରେ ୩୪ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ବୀରମହାରାପୁରକୁ ଏହି ତାଲିକାରେ ସାମିଲ କରି ନାହାନ୍ତି। ୧୯୯୩ ଏପ୍ରିଲ ୧ ତାରିଖରେ ବଲାଙ୍ଗୀର ଠାରୁ ଅଲଗା ହୋଇ ସୁବର୍ଣ୍ଣପୁର ନୂଆ ଜିଲ୍ଲାର ମାନ୍ୟତା ପାଇଥିଲା। ସୋନପୁର ଓ ବୀରମହାରାଜପୁର ଉପଖଣ୍ଡକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଗଠନ ହୋଇଥିଲା। ୩୦ଟି ଜିଲ୍ଲାକୁ ନେଇ ଗଠିତ ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ୍ ୫୮ଟି ଉପଖଣ୍ଡ ରହିଛି। ଏଥିରୁ ୫୭ଟି ଉପଖଣ୍ଡରେ ପୌରଶାସନ ବ୍ୟବସ୍ଥା ଥିବା ବେଳେ ବୀରମହାରାଜପୁରରେ ନାହିଁ। ୨୪ ବର୍ଷ ହେଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ ରହିଛି। ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ବିଧାୟକ ପଦ୍ମନାଭ ବେହେରା କ୍ରମାଗତ ୩ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଅଛନ୍ତି। ସେ ଜଣେ ଅଭିଜ୍ଞ ନେତା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୁଇ ଦୁଇଥର ମନ୍ତ୍ରୀ ହୋଇଛନ୍ତି। ବୀରମହାରାଜପୁରକୁ ଏନ୍‌ଏସି କରିବା ପାଇଁ ବିଧାନସଭାରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ତା ପରେ ବି ଏନ୍‌ଏସି ମାନ୍ୟତା ମିଳିପାରିଲା ନାହିଁ। 

ସେହିପରି ବିଶିଷ୍ଟ ଶିକ୍ଷାବିତ ତଥା ବୀରମହରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ କହିଛନ୍ତି, ବୀରମହାରାଜପୁରକୁ କେଉଁ କାରଣରୁ ରାଜ୍ୟ ସରକାର ଏନ୍‌ଏସି ଘୋଷଣା କରିନାହାନ୍ତି, ନାହିଁ ତାହା ସମଗ୍ର ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଏଣୁ ରାଜ୍ୟ ସରକାର ଏହାର ପୁନଃ ବିଚାର କରି ଶୀଘ୍ର ଏନ୍‌ଏସି ଘୋଷଣା କରନ୍ତୁ।

ସମ୍ବନ୍ଧିତ ଖବର