ମୁଁ ଗୋବିନ୍ଦପାଲ୍ଲୀ ପୀଡ଼ିତା କହୁଛି

ମାଲକାନଗିରି: ଗରିବ ପରିବାରରେ ମୋର ଜନ୍ମ। ବାପା ଭିନ୍ନକ୍ଷମ। ବହୁ କଷ୍ଟରେ ବଢିଛି। ଅର୍ଥ ଅଭାବରୁ ବାଧ୍ୟ ହୋଇ ଗୋବିନ୍ଦପାଲ୍ଲୀ ଆସି ମାମୁଙ୍କ ଘରେ ରହି ପାଠ ପଢୁଥିଲି। କେବେ କଳ୍ପନା କରିନଥିଲି ନରରୂପୀ ରାକ୍ଷସଙ୍କୁ ସାମ୍ନା କରିବାକୁ ପଡିବ। ହେଲେ ଥରେ କିମ୍ବା ଦୁଇ ଥର ନୁହଁ ବାରମ୍ବାର ସାମ୍ନା କରିବାକୁ ପଡିଲା। ମୋ ଶରୀର ଓ ଆତ୍ମା ସହ ସେମାନେ ଖେଳିଲେ। ଲୋକଲଜ୍ଜା ଭୟରେ ଚୁପ୍‌ ରହିଲି। ହେଲେ ସେମାନେ ଚୁପ୍‌ ରହିଲେ ନାହିଁ। ବାରମ୍ବାର ପାଶବିକ ଅତ୍ୟାଚାର କଲେ। ମୋ ଇଜ୍ଜତକୁ କ୍ୟାମେରାରେ କଏଦ କରି ନିଲାମ କରିବାକୁ ଧମକ ଦେଲେ। ଏମିତି ନିର୍ଯାତନା ଆଉ କେତେ ଦିନ ସହିଥାନ୍ତି। ବାଧ୍ୟ ହୋଇ ମୁହଁ ଖୋଲିଲି। ତଥାପି ଉପଯୁକ୍ତ ନ୍ୟାୟ ମିଳିବ ନା’ ନାହିଁ ଜାଣିପାରୁ ନାହିଁ। ପ୍ରମାଣ ରହିଥିବା ଦର୍ଶାଇ ପୁଲିସ ଅଧ୍ୟାପକଙ୍କୁ ଗିରଫ କଲା। ଅନ୍ୟ ଦୁଇ ଜଣଙ୍କୁ କାହିଁକି ଛାଡିଦେଲା? ବୋଲି ଆଜି ପ୍ରଶ୍ନ ଉଠାଇଛନ୍ତି ଗୋବିନ୍ଦପାଲ୍ଲୀ ଏସଏସଡି ମାଧ୍ୟମିକ ବିଦ୍ୟାଳୟର ଦୁଷ୍କର୍ମ ପୀଡିତା ଛାତ୍ରୀ।

ପୁଲିସର ବିଳମ୍ବିତ ତଦନ୍ତ ପ୍ରକ୍ରିୟା ଉପରେ ପୀଡିତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କେବଳ ନ୍ୟାୟ ଚାହୁଁଛନ୍ତି। ଅଧ୍ୟାପକ ଯେତିକି ଦୋଷୀ ଅନ୍ୟ ୩ଜଣ ମଧ୍ୟ ସେତିକି ଦୋଷୀ। ପୁଲିସ ଜାଣିଶୁଣି ସେମାନଙ୍କୁ ପ୍ରମାଣ ଅଭାବ ଦର୍ଶାଇ ଛାଡି ଦେଇଥିବା ଭଳି ସଂଗିନ ଅଭିଯୋଗ କରିଛନ୍ତି। ମୌଖିକ ଭାବେ ପୂରା ଘଟଣା କହିବା ସହ ଲିଖିତ ବୟାନ ପୁଲିସ ଓ ସିଡବ୍ଲୁସିଙ୍କୁ ଦେଇଥିଲି। ଗୋଟି ଗୋଟି କରି ନିର୍ଯାତନାର ସବୁ କଥା କହିବା ସତ୍ତ୍ୱେ ପୁଲିସ ୩ଜଣଙ୍କୁ ଗିରଫ କାହିଁକି କରୁନି। ନିଶ୍ଚିତ ରୂପେ ଏହା ଭିତରେ କିଛି ରହସ୍ୟ ରହିଥିବା ସେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର