ପୁଅ ପ୍ରାର୍ଥୀ ହେଉଥିବାରୁ ମୁଁ ଖୁସି: ପ୍ରତିଭା ମହାରଥୀ

ଦିନତମାମ ଚାଲିଲା ଛକାପଞ୍ଝା

ଭୁବନେଶ୍ବର : ପିପିଲିରେ ରୁଦ୍ର ମହାରଥୀଙ୍କ ପ୍ରାର୍ଥିତ୍ବକୁ ନେଇ ମା’ ପ୍ରତିଭା ମହାରଥୀ ଖୁସି ତ? ଏଇ ପ୍ରଶ୍ନ କାଲି ଠାରୁ ରାଜ‌େନୖତିକ ମହଲ‌ରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ଥିଲା। ଭୁବନେଶ୍ବରରୁ ପିପିଲି ଯାଏ ଏହାକୁ ନେଇ ନାନା କଥା ଚର୍ଚ୍ଚା ଚାଲିଥିଲା। ଆଜି ରାତିରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ନିଜେ ପ୍ରତିଭା ମହାରଥୀ। କହିଛନ୍ତି ଯେ ଆମ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ମୁଁ କୃତଜ୍ଞତା ଜଣାଉଛି। ଏହା ଠାରୁ ବଡ଼ ଖୁସି ଖବର ଆଉ କିଛି ନାହିଁ। ମୋ ପୁଅ ପ୍ରାର୍ଥୀ ହେବାକୁ ଯାଉଥିବାରୁ ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ ନିର୍ବାଚନମଣ୍ଡଳୀର ଭୋଟର୍‌ଙ୍କ ଆଶୀର୍ବାଦ ନେଇ ମୋ ପୁଅ ନିର୍ବାଚନରେ ବିଜୟ ଲାଭ କରିବ।

ଉପନିର୍ବାଚନ ପୂର୍ବରୁ ମା’- ପୁଅଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଜୋର୍‌ଦାର୍‌ ଆଲୋଚନା ଚାଲିଥିଲା। ଗତକାଲି ରୁଦ୍ରଙ୍କ ନାମ ଘୋଷଣା ହେଲା ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ମା’ଙ୍କ ଆଶୀର୍ବାଦ ସବୁବେଳେ ତାଙ୍କ ସହ ଅଛି। ତାଙ୍କର ଏହି ମନ୍ତବ୍ୟ ପରେ ବି ଚର୍ଚ୍ଚା ଥମି ନ ଥିଲା। କାରଣ ନିଜେ ମା’ ପ୍ରତିଭା ମହାରଥୀ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ।

ଆଜି ସକାଳୁ ଏହି ଚର୍ଚ୍ଚା ଆହୁରି ଜୋର୍‌ ଧରିଥିଲା। ପୁରୀ ବିଜେଡି ସଭାପତି ମହେଶ୍ୱର ମହାନ୍ତି, ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ପ୍ରତିଭା ମହାରଥୀଙ୍କ ଘରକୁ ଯାଇଥିଲେ। ସେମାନେ ତାଙ୍କୁ ମନାଇବାକୁ ଯାଇଛନ୍ତି ବୋଲି କୁହାଯାଇଥିଲା। ଅବଶ୍ୟ ସେମାନେ ଏ ସମ୍ପର୍କରେ କିଛି କହି ନ ଥ‌ିଲେ। ମଧ୍ୟାହ୍ନ ୧୨ଟାରେ ଶ୍ରୀମତୀ ମହାରଥୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କୁହାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତାଙ୍କ ଭୁବନେଶ୍ବର ବାସଭବନରେ ପହଞ୍ଚିଥିଲେ। ପରେ କୁହାଗଲା ଯେ ସେ ପିପିଲି ଫାର୍ମ ହାଉସ୍‌ରେ ପ୍ରତିକ୍ରିୟା ଦେବେ। ଏମିତି ଛକାପଞ୍ଝା‌ ଦିନତମାମ ଚାଲିଲା। ସନ୍ଧ୍ୟାରେ ଶ୍ରୀମତୀ ମହାରଥୀଙ୍କ ପାଖରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପହଞ୍ଚି କଥାବାର୍ତ୍ତା କରିଥିଲେ। ଶେଷରେ ରାତିରେ ଶ୍ରୀମତୀ ମହାରଥୀ ଭିଡିଓ ଜାରି କରି ନିଜ ପ୍ରତିକ୍ରିୟା ରଖିଲେ।

ସମ୍ବନ୍ଧିତ ଖବର