ରାଉରକେଲା: ମୁଁ ବିଜେପିରେ ଅଛି। ହେଲେ ଏଯାଏଁ ଟିକେଟ ଫାଇନାଲ ହୋଇନାହିଁ। ରାଉରକେଲା ବିମାନବନ୍ଦରରୁ ବାହାରିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ ବୁଧବାର ଏହା କହିଛନ୍ତି। କେବଳ ସେତିକି ନୁହେଁ ଅନୁଗତ ଓ କର୍ମୀଙ୍କୁ ଦେଖି ଦିଲୀପ ଭାବବିହ୍ୱଳ ହୋଇପଡିଥିଲେ। କେଉଁକେଉଁ ପ୍ରସଙ୍ଗକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି ଗଣମାଧ୍ୟମ ପ୍ରଶ୍ନରେ କହିଥିଲେ, ଏଯାଏଁ କିଛି ଯୋଜନା ପ୍ରସ୍ତୁତ ହୋଇନାହିଁ।

Advertisment

ଦିଲ୍ଲୀପ ରାୟ ଆଜି ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ପଛୋଟି ନେଇଥିଲେ। ଏହା ପରେ ଏକ ବିଶାଳ ରାଲି କରି ଆଗକୁ ବଢିଥିଲେ।

୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ପୁଣି ବିଜେପିକୁ ଫେରିଛନ୍ତି। ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଙ୍ଗଳବାର  ଇସାରା ଦେଇଥିଲେ ଯେ, ରାଉରକେଲାରୁ ଦିଲୀପ ରାୟ ବିଧାନସଭା ଆସନ ପ୍ରାର୍ଥୀ ହୋଇପାରନ୍ତି। ଏସବୁ କଳ୍ପନା ଜଳ୍ପନା ଭିତରେ ଦିଲ୍ଲୀରୁ ଆସି ରାଉରକେଲା ପହଂଚିଥିଲେ ଦିଲ୍ଲୀପ ରାୟ। ବିମାନବନ୍ଦରରେ ଜୁଏଲ ଓରାମ ନିଜେ ଉପସ୍ଥିତ ରହି ଦିଲ୍ଲୀପଙ୍କୁ ସ୍ୱାଗତ କରିଥିଲେ। ସେଠାରେ ଜୁଏଲ ଓ ଦିଲୀପ ହାତ ହଲାଇ କର୍ମୀ ଓ ଅନୁଗତମାନଙ୍କୁ ଉତ୍ସାହିତ କରିଥିଲେ।

ଦିଲ୍ଳୀପ ରାୟ ରାଉରକେଲା ବିମାନବନ୍ଦରରେ ପହଂଚିବା ପୂର୍ବରୁ ବିମାନବନ୍ଦର ଚାରିପଟେ ବିଜେପି ତରଫରୁ ପଦ୍ମ ପତାକା ଓ ହୋଡିଂ ବିଛାଇ ଦିଆଯାଇଥିଲା। ଏହାସହ ହଜାର ହଜାର ସମର୍ଥକ ଓ ବିଜେପି କର୍ମୀ ତାଙ୍କୁ ସ୍ୱାଗତ କରିବାକୁ ଭିଡ଼ ଲଗାଇଥିଲେ। ଦିଲ୍ଲୀପ ରାୟଙ୍କୁ ବିଜେପି ଟିକେଟ ମିଳିବା ନେଇ ଜୁଏଲ ଓରାମ ସଂକେତ ଦେବା ପରେ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।