ରାୟଗଡ଼ାରୁ ଅନୁଜ ଦାସଙ୍କ ରିପୋର୍ଟ

Advertisment

‘ମୁଁ ମିଞ୍ଜାଲି, ମାଓବାଦୀ ନୁହେଁ।’ ନିୟମଗିରି ପାହାଡ଼ର ପାଦଦେଶରୁ ଶୁଭୁଛି ଏହି ସ୍ୱର। ବଣପାହାଡ଼ ଘେରା ରାୟଗଡ଼ା ଜିଲ୍ଲା ଲାକପଦର ଗାଁରେ ରୁହନ୍ତି ମିଞ୍ଜାଲି। ଚାରିପଟେ ନିୟମଗିରି ପାହାଡ଼ ଆଉ ମଝିରେ ଡଙ୍ଗରିଆ କନ୍ଧଙ୍କ ଲାକପଦର ଗାଁ। ଏହି ଗାଁରେ ମିଞ୍ଜାଲିଙ୍କ ଘର। ଘର କହିଲେ ମାଟି କାନ୍ଥ ଓ ମୁଣ୍ଡ ଉପରେ ଭଙ୍ଗା ଟିଣ। ନିୟମଗିରି ପାହାଡ଼ରେ ହିଁ ବିତିଯାଏ ଦିନ ଓ ରାତି । ନିୟମଗିରିର ସୁରକ୍ଷା ପାଇଁ କରିଛନ୍ତି ଆନ୍ଦୋଳନ। ନିୟମଗିରିକୁ ନଷ୍ଟ କରିବାକୁ ଆସିଥିବା ଲୋକଙ୍କୁ ଅଟକାଇବା ପାଇଁ ଟାଙ୍ଗିଆ ବି ଧରିଛନ୍ତି । କିନ୍ତୁ ଏବେ ନିଜ ଗାଁରେ ଥାଇ ଲୁଚିଛପି ଭୟରେ ବଞ୍ଚିବାକୁ ପଡ଼ୁଛି। କାରଣ ପୁଲିସ ଫାଇଲ୍‌ରେ ସେ ମୋଷ୍ଟ୍‌ ୱାଣ୍ଟେଡ୍‌ ମାଓବାଦୀ ।

ମିଞ୍ଜାଲି କିଏ? ପୁଲିସ ତାଙ୍କୁ କାହିଁକି ମାଓବାଦୀ କହୁଛି? ସେ ବିଷୟରେ ଜାଣିବା ପାଇଁ ନିୟମଗିରିର ପାଦଦେଶରେ ଥିବା ଲାକପଦର ଗାଁରେ ପହଂଚିଥିଲେ ଆମ ପ୍ରତିନିଧି । ୨୦-୨୫ଟି ଘରକୁ ନେଇ ଲାକପଦର ଗାଁ। ଗାଁରେ ରୁହନ୍ତି ଡଙ୍ଗରିଆ କନ୍ଧ। ନିୟମଗିରି ପାହାଡ଼ ହିଁ ଏମାନଙ୍କ ଜୀବନଜୀବିକା। ଏହାରି ସହ ବଞ୍ଚନ୍ତି। ଆଉ ଏହାରି ପାଇଁ ହିଁ ବଞ୍ଚନ୍ତି। ନିୟମଗିରି ପାହାଡ଼ରେ ଫଳୁଥିବା ଫଳମୂଳ ଖାଇ ଜୀବନ ବଞ୍ଚାନ୍ତି। ଆଉ ଏହାର ସୁରକ୍ଷା ପାଇଁ ଜୀବନ ଦେବାକୁ ବି ପଛାଇ ନାହାନ୍ତି ଏହି ଡଙ୍ଗରିଆ କନ୍ଧ। ଏହି ଗାଁରେ ଥିବା ମିଞ୍ଜାଲିଙ୍କୁ ଭେଟିଥିଲେ ଆମ ପ୍ରତିନିଧି। ୨ରୁ ୩ ବର୍ଷ ହେବ ତାଙ୍କ ନାଁରେ ଲାଗିଛି ମାଓବାଦୀର ଅପବାଦ। ଅନେକ ବର୍ଷ ଧରି ସେ ମାଓ ସଙ୍ଗଠନରେ ସକ୍ରିୟ ଥିଲେ ବୋଲି ପୁଲିସ ରେକର୍ଡ କହୁଛି। ସ୍ଥାନୀୟ ଅଂଚଳର ଅନେକ ଲୋକଙ୍କୁ ମାଓବାଦୀ ସଙ୍ଗଠନରେ ମିଶାଇଥିବା ଭଳି ସଙ୍ଗିନ୍‌ ଅଭିଯୋଗ ବି ହୋଇଛି। ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଆସିବା ପାଇଁ ପ୍ରସ୍ତାବ ଦେଇଛି ପୁଲିସ। ଆତ୍ମସମର୍ପଣ କଲେ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ସହ ରୋଜଗାର ପାଇଁ ଦକ୍ଷତା ବିକାଶ କରାଯିବ ବୋଲି ପୁଲିସ କହୁଛି। କିନ୍ତୁ ମିଞ୍ଜାଲିଙ୍କ କହିବା କଥା, ଯେଉଁ ଭୁଲ୍‌ ସେ କରିନାହାନ୍ତି, ସେ ଭୁଲ୍‌କୁ କାହିଁକି ସ୍ୱୀକାର କରିବେ। ୨ ଲକ୍ଷ ଟଙ୍କାର ଆବଶ୍ୟକତା ନାହିଁ। ନିୟମଗିରିର ପାହାଡ଼ ପାଦଦେଶରୁ ଯାହା ମିଳିବ ସେଥିରୁ ଜୀବନ ବଂଚିଯିବ, ପୁଲିସର ସହାୟତା ଦରକାର ନାହିଁ। ମିଞ୍ଜାଲି ବନ୍ଧୁକ ଧରିଥିବା ଏକ ଫଟୋ କିଛି ଦିନ ତଳେ ଭାଇରାଲ୍‌ ହୋଇଥିଲା। ସେହି ଫଟୋ ବିଷୟରେ ମିଞ୍ଜାଲି ବି ଶୁଣିଛନ୍ତି କିନ୍ତୁ ସେହି ଫଟୋ ଏଡିଟ୍‌ ହୋଇଥିବା ସେ କହିଛନ୍ତି । ମାଓବାଦୀଙ୍କୁ କେବେ ବି ଭେଟି ନାହିଁ। ବନ୍ଧୁକ ଚଳାଇବା ଜାଣି ନାହିଁ । ମୋ ନାଁରେ ମିଛ ମାମଲା କରି ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

ନିୟମ ରାଜାଙ୍କ ସୁରକ୍ଷା ପାଇଁ ଯେତେବେଳେ ବି ଆଦିବାସୀମାନେ ବାହାରି ଆସିଛନ୍ତି ସେମାନଙ୍କ ଭିତରେ ଅଲଗା ହୋଇ ବାରି ପଡ଼ନ୍ତି ମିଞ୍ଜାଲି। ଜଙ୍ଗଲ, ଜମି ଓ ପାହାଡ଼ର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ମିଞ୍ଜାଲିଙ୍କୁ କେତେବେଳେ କେମିତି ଲାଲବାହିନୀର ସଦସ୍ୟ ସଜାଇ ଦିଆଗଲା, ସେ କଥା ସେ ବି ଜାଣିନାହାନ୍ତି। ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି। ନିୟମଗିରିର ସୁରକ୍ଷା ପାଇଁ ଲଢ଼ୁଥିବା ଆଦିବାସୀଙ୍କୁ ଏମିତି ମିଛ ମାମଲାରେ ଫସାଇ ଦିଆଯାଉଥିବା ସେ କହିଛନ୍ତି। ମିଞ୍ଜାଲି ଆମ ଗାଁର ଝିଅ। ସେ ମାଓବାଦୀ ନୁହନ୍ତି । ପୁଲିସ ବିନା ପ୍ରମାଣରେ ଏମିତି ମିଛ ମାମଲା ନ କରୁ ବୋଲି କହିଛନ୍ତି ଲଦ ସିକକା।

ଗତ ତିନି ବର୍ଷ ହେବ ତାଙ୍କୁ ଖୋଜୁଛି ରାୟଗଡ଼ା ପୁଲିସ। ଆତ୍ମସମର୍ପଣ ପାଇଁ ପ୍ରସ୍ତାବ ବି ଦେଇଛି। ତେବେ କେଉଁଠି ଅଛନ୍ତି ମିଞ୍ଜାଲି, ସେ ଖବର ପୁଲିସ ପାଖରେ ନାହିଁ। ପୁଲିସ ସହ ଆଲୋଚନା କରିବା ପାଇଁ ଲାଖପଦର ଗାଁର ଲୋକଙ୍କୁ ନିବେଦନ କରିଛନ୍ତି ରାୟଗଡ଼ା ଏସ୍‌ପି। ନିୟମଗିରି ସୁରକ୍ଷା ପାଇଁ ସ୍ୱର ଉଠାଉଥିବା ଆଦିବାସୀଙ୍କ ନାଁରେ ମିଛ ମାମଲାର ଲମ୍ବା ତାଲିକା ରହିଛି। ଆଉ ସେହି ତାଲିକାରେ ଅଛନ୍ତି ଜୀବନ ଯୌବନକୁ ନେଇ ସ୍ୱପ୍ନ ଦେଖୁଥିବା ଡଙ୍ଗରିଆ ଯୁବତୀ ମିଞ୍ଜାଲି। ମିଞ୍ଜାଲିଙ୍କ ଭବିଷ୍ୟତ କଣ ହେବ?, ତାହାର ଖବର ପୁଲିସ କି ମିଞ୍ଜାଲିଙ୍କ ପାଖରେ ନାହିଁ ।