ଜୟପୁର: ବ୍ରଜରାଜନଗର ଗାନ୍ଧୀଛକରେ ପୁଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଭୁବନେଶ୍ବର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗଭୀର ଶୋକ ପ୍ରକାଶ କରିବା ସହ ସେ ଘଟଣାକୁ ନେଇ ଅତ୍ୟନ୍ତଦୁଃଖୀତ, ମର୍ମାହତ କହିବାକୁ ଭାଷା ପାଉ ନାହିଁ ବୋଲି କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଛାତ୍ରକଂଗ୍ରେସ ସଭାପତି ଥିବା ସମୟରୁ ସେ ପୁଲିସ ସଂଘର ସଭାପତି ରହିବା ସମୟରୁ ଉଭୟଙ୍କର ସଂପର୍କ ରହିଥିଲା।
ଉଭୟ ବିଧାୟକ ଥିବା ସମୟରେ ପାରିବାରିକ ସଂପର୍କ ରହିଥିଲା। ସେ ସ୍ବପ୍ନରେ କେବେ ବି ଏଭଳି ଘଟଣା ସଂଘଟିତ ହେବ ବୋଲି ଭାବି ନଥିଲେ ବୋଲି କହିଛନ୍ତି ବିଧାୟକ। ତାଙ୍କର ଜଣେ ବନ୍ଧୁଙ୍କୁ ହରାଇଛନ୍ତି ବୋଲି କହିଛନ୍ତି ଜୟପୁର ବିଧାୟକ। ସେ ଜଣେ ପରୋପକାରୀ, ଜନସେବକ, ଜଗନ୍ନାଥ ଏବଂ ଭଗବତପ୍ରେମୀ , ଅଧ୍ୟାତ୍ମିକଚିନ୍ତାଧାରାର ବ୍ୟକ୍ତି ଥିଲେ। ରାଜନିତୀରୁ ଉର୍ଦ୍ଧ୍ବରେ ରହି ତାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ କଠୋରରୁ କଠୋର ଶାସ୍ତୀ ଦିଆଯାଉ। ମାମଲାର ଉପଯୁକ୍ତ ତଦନ୍ତ କରି କେଉଁ କାରଣ ପାଇଁ ଏଏସଆଇ ଏଭଳି କାଣ୍ଡ ଭିଆଇଲେ ତାହା ଲୋକଲୋଚନକୁ ଆସୁ। ପୁଲିସ ଉପରେ ଯେଉଁ ଆସ୍ଥା, ବିଶ୍ବାସ ରହିଥିଲା ତାହା ଏହି ସ୍ଥିତିରେ ରହିବ କି ବୋଲି ଜୟପୁର ବିଧାୟକ ପ୍ରଶ୍ନ କରିଛନ୍ତି। ଏଭଳି ଘଡିସନ୍ଧି ମୂହର୍ତ୍ତରେ ତାଙ୍କ ପରିବାରକୁ ମହାପ୍ରଭୁ ଜଗନ୍ନାଥ ସହାୟ ହେଉନ୍ତୁ ବୋଲି ସମ୍ବାଦକୁ ଫୋନ କରି କହିଛନ୍ତି ଜୟପୁର ବିଧାୟକ।