ସଂଖ୍ୟାଲଘୁଙ୍କ ପାଇଁ ସ୍ବର ଉଠାଇ ଆଜି ବି ମୁଁ ସରକାରଙ୍କ ନିଶାଣରେ ଅଛି

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ

ଭୁବନେଶ୍ବର : ‘ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ’ରେ ‘ଇନ୍‌ ଫ୍ରି ଫଲ୍‌’ ଶୀର୍ଷକ ଆଲୋଚନାରେ ଭାଗ ନେଇଥିଲେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ମଲ୍ଲିକା ସାରାଭାଇ। ସାମ୍ବାଦିକା ବାଚି କରକରିଆଙ୍କ ସହ ସେ ଆଲୋଚନା କରି ନିଜର ଅନୁଭୂତି ବଖାଣିଥିଲେ।

ମଲ୍ଲିକା ସାରାଭାଇ କହିଥିଲେ, ୨୦୦୨ ମସିହାର କଥା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୋଲକାତା ଯାଇଥାଏ। ସେତିକିବେଳେ ଅହମ୍ମଦାବାଦରୁ ମୋର ଜଣେ ସାଙ୍ଗ ମୋତେ ଗୁଜରାଟ ଦଙ୍ଗାର କିଛି ଭିଡିଓ ପଠାଇଥିଲେ। ଭିଡିଓଗୁଡ଼ିକ ଜଣେ ସାଧାରଣ ଲୋକକୁ ବ୍ୟତିବ୍ୟସ୍ତ କରି ପକାଇବା ଭଳି ଥିଲା। ଘର, ଦୋକାନ ବଜାର, ରାସ୍ତା, ଅଫିସ୍‌ ସବୁଆଡ଼ ହୁତୁହୁତୁ ହୋଇ ଜଳୁଥାଏ। ଲୋକେ ଦୋକାନଗୁଡ଼ିକରୁ ଆଖିବୁଜା ଲୁଟ୍‌ କରୁଥା’ନ୍ତି। ମଧ୍ୟବିତ୍ତ ପରିବାର‌ର ଲୋକମାନଙ୍କ ପାଇଁ ଲୁଟ୍‌ କରିବାର ସତେଯେମିତି ଏହା ଏକ ମୌକା ପାଲଟି ଯାଇଥିଲା। କୋଉ ଦୋକାନ ଭଙ୍ଗା ହେଲା, କେମିତି ଲୁଟ୍‌ କରିବେ, ସେ ବିଷୟରେ ସେମାନେ ପରସ୍ପର ଭିତରେ କଥା ହେଉଥିଲେ। ଦଙ୍ଗାର ୫ଦିନ ପରେ ମୁଁ ଗୁଜରାଟରେ ପହଞ୍ଚିଲି। କିନ୍ତୁ ଏହି ଦଙ୍ଗାକୁ ନେଇ ସେଠାକାର ମୁସଲମାନମାନେ କୋର୍ଟକୁ ଯିବା ପାଇଁ ସାହସ ଜୁଟାଇ ପାରୁନଥିଲେ। ମୁଁ ସେମାନଙ୍କ ସ୍ବର ହେବାକୁ ଚେଷ୍ଟା କରିଥିଲି, ଯେଉଁଥିପାଇଁ ସେତେବେଳେ ମୋଦୀ ସରକାର, ପ୍ରଶାସନ ଓ ପୁଲିସ୍‌ ମୋତେ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଇଥିଲେ। ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି ବୋଲି କହି ସେ କ୍ଷୋଭ ପ୍ରକାଶ କରିଥିଲେ।

ସେ ଆହୁରି କହିଥିଲେ, ଭାରତର ସବୁ ସଂସ୍କୃତିରୁ କିଛି ନା କିଛି ଶିଖିବାର ଅଛି। ତେଣୁ ସବୁ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ବିଶେଷକରି ଦଳିତ, ଆଦିବାସୀ ଓ ମହିଳାଙ୍କୁ ପ୍ରତ୍ୟେକ ନାଗରିକ ସମ୍ମାନ ଓ ସୁରକ୍ଷା ଦେବା ଦରକାର।

ସମ୍ବନ୍ଧିତ ଖବର