ଭୁବନେଶ୍ବର: ରାଜ୍ୟ ସରକାର ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ଖରିଫରେ ୭୩ ଲକ୍ଷ ଓ ରବିରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ପଞ୍ଜୀକୃତ ଚାଷୀଙ୍କଠାରୁ କିଣାଯିବ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ ଧାନ, ମେ’ରୁ ଜୁନ୍ ପର୍ଯ୍ୟନ୍ତ ରବି ଧାନ କିଣାଯିବ। ଏହି ସମୟ ସୀମା ମଧ୍ୟରେ ଜିଲ୍ଲାଗୁଡ଼ିକ ସେମାନଙ୍କ ଧାନ ସଂଗ୍ରହ ଅବଧି ସ୍ଥିର କରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ‘ଖରିଫ ବିପଣନ ବର୍ଷ, ୨୦୨୫-୨୬ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି’କୁ ଅନୁମୋଦନ କରିଛି। ଏହାସହ ମୋଟ୍ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଧାନ ସଂଗ୍ରହ ପାଇଁ ନୀତି ପ୍ରସ୍ତୁତ ହୋଇଥିଲେ ବି ଏକ କ୍ୟାବିନେଟ ଉପକମିଟି/ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସଂଗ୍ରହଣ ନୀତିର କାର୍ଯ୍ୟାନ୍ବୟନ ସମୀକ୍ଷା କରିବେ। ଆବଶ୍ୟକ ପଡ଼ିଲେ ସାମଗ୍ରିକ ଧାର୍ଯ୍ୟ ଲକ୍ଷ୍ୟ ସଂଶୋଧନ କରିବେ। ସେହିପରି ସରକାରଙ୍କୁ ଧାନ ବିକ୍ରି ପାଇଁ ଆଧାର ହେବ ଏକମାତ୍ର ପରିଚୟପତ୍ର। ପଞ୍ଜୀକରଣ ସମୟରେ ଚାଷୀମାନେ ଆଧାର ଆଧାରିତ ଇ-କେୱାଇସି ପଞ୍ଜୀକରଣ ଏବଂ ଆଇଆର୍ଆଇଏସ୍ ମାଧ୍ୟମରେ ଆଧାର ଇ-କେୱାଇସି ଆଧାରିତ ଦେୟ ପାଇଁ ସମ୍ମତି ଦେବେ। ଏହାସହ ଉପଗ୍ରହ ଚିତ୍ର ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ଚାଷ ଜମିଗୁଡ଼ିକର ଶତପ୍ରତିଶତ କ୍ଷେତ୍ର ଯାଞ୍ଚ ଏବଂ ଜମି ବିବରଣୀର ବୈଧତା ଯାଞ୍ଚ କରାଯିବ। ଏହାର ସତ୍ୟତା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ନିର୍ଦ୍ଧାରିତ ନୀତି ଅନୁଯାୟୀ ଯାଞ୍ଚ କରାଯିବ। ପଞ୍ଜୀକୃତ ଚାଷୀଙ୍କୁ ଧାନ ସଂଗ୍ରହ, ଧାନର ପରିମାଣ ନେଇ ଆଗୁଆ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ। ସାଧାରଣ ଧାନ ପାଇଁ କ୍ବିଣ୍ଟାଲ୍ ପିଛା ଏମ୍ଏସ୍ପି ୨୩୬୯ ଟଙ୍କା ଏବଂ ଗ୍ରେଡ୍-ଏ ଧାନ ପାଇଁ କ୍ବିଣ୍ଟାଲ୍ ପିଛା ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ହେବ। ଧାନର ଧାର୍ଯ୍ୟ ମୂଲ୍ୟଠାରୁ କମ୍ ମୂଲ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ।
ଓଡ଼ିଶା ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବ। ଏହା ପ୍ୟାକ୍ସ, ଲ୍ୟାମ୍ପସ୍, ମହିଳା ଏସ୍ଏଚ୍ଜି, ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରିବ। ଚାଷୀଙ୍କୁ ଧାନ ଦେବାର ୨୪ରୁ ୪୮ଘଣ୍ଟା ମାଧ୍ୟମରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯିବ। ସେହିପରି ବାହାର ରାଜ୍ୟରୁ ଯେପରି ଧାନ ଆସିବନି ସେଥିପାଇଁ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ ହେବ। ଏଥିପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ସିସିଟିଭି କ୍ୟାମେରା ଲଗାଯିବ। ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବାର୍ଷିକ ୨୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆବଶ୍ୟକ। ବଳକା ଚାଉଳ ଏଫ୍ସିଆଇ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ। ଏହାସହ ନିଷ୍ପତ୍ତି ହୋଇଛି ଯେ ଖରିଫ ବିପଣନ ବର୍ଷ ୨୦୨୪-୨୫ (ରବି ଋତୁ ବ୍ୟତୀତ) କିମ୍ବା ଏହାର ପୂର୍ବ ବର୍ଷଗୁଡ଼ିକରେ ଯଦି କୌଣସି ମିଲରଙ୍କ ବକେୟା ଦେୟ ଅଛି ତେବେ ଉକ୍ତ ମିଲରଙ୍କୁ ଆଗାମୀ ଧାନ କିଣା ପ୍ରକ୍ରିୟାରେ ସାମିଲ୍ କରାଯିବନି।
ସେହିପରି ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟ ସରକାର ସମସ୍ତ ବର୍ଗର ବିଦ୍ୟାଳୟ ଯଥା ସରକାରୀ, ଘରୋଇ ଏବଂ ଅଣସହାୟତାପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜାତୀୟକରଣ ପୁସ୍ତକ ଯୋଗାଇଦେବେ। ଏଥିପାଇଁ ଯେଉଁ ବହି ଛପାଯିବ ସେଥିପାଇଁ କାଗଜ କିଣା ବାବଦକୁ ୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କିତ କାଗଜ କିଣା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୧୮୫୦୦ ମେଟ୍ରିକ ଟନ୍ (ଟିବିପିଏଏମ୍ ପାଇଁ ୧୬୫୦୦ ମେଟ୍ରିକ ଟନ୍ ଏବଂ ବିଏସ୍ଇ ପାଇଁ ୨ ହଜାର ମେଟ୍ରିକ ଟନ୍) ୭୦ ଜିଏସ୍ଏମ୍ ମାପଲିଥୋ ରିଲ୍ ପେପର ଏବଂ ୧୩୦୦ ମେଟ୍ରିକ ଟନ୍ (ଟିବିପିଏମ୍ ପାଇଁ ୧୧୦୦ ମେଟ୍ରିକ ଟନ୍ ଏବଂ ବିଏସ୍ଇ ପାଇଁ ୨୦୦ ମେଟ୍ରିକ ଟନ୍ ) ୧୭୦ ଜିଏସ୍ଏମ୍ ଗ୍ଲସି ଆର୍ଟ କଭର୍ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କାଗଜ ସବୁ ପଞ୍ଜାବର ସାଥିଆ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ନୂଆଦିଲ୍ଲୀର ଶ୍ରେୟାନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ରାୟଗଡ଼ାର ଜେ.କେ ପେପର ଲିମିଟେଡ୍ଠାରୁ କିଣାଯିବ।
‘ସ୍ବଚ୍ଛ ଓଡ଼ିଶା’ ପାଇଁ ୧୬ଶହ କୋଟି, ନୂଆ ନିୟମରେ ଜନ୍ମ-ମୃତ୍ୟୁ ପଞ୍ଜୀକରଣ
ଭୁବନେଶ୍ବର: ‘ସ୍ବଚ୍ଛ ଭାରତ’ କାର୍ଯ୍ୟକ୍ରମର ପରିପୂରକ ଭାବେ ରାଜ୍ୟ ସରକାର ‘ସ୍ବଚ୍ଛ ଓଡ଼ିଶା’ ଯୋଜନା ପ୍ରସ୍ତୁତ କରିଛନ୍ତି। କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବହୃତ ଜଳ ପରିଚାଳନା, ସହରାଞ୍ଚଳ ସେପ୍ଟେଜ୍ ବ୍ୟବସ୍ଥା ଭିତରେ ସମନ୍ବୟ ଓ ଏକତ୍ରୀକରଣ ଜରିଆରେ ସୁଚାରୁରୂପେ କାମ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ପାଇଁ ୧୬ଶହ କୋଟି ଖର୍ଚ୍ଚ ହେବ। ଆଜି ରାଜ୍ୟ କ୍ୟାବିନେଟ୍ରେ ନଗର ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ରାଜ୍ୟରେ ସ୍ବଚ୍ଛତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ଏହା ମୁଖ୍ୟତଃ ବର୍ଜ୍ୟବସ୍ତୁ ପରିଚାଳନା ଓ ବର୍ଜ୍ୟ ଜଳ ପରିଚାଳନା ଉପରେ ପର୍ଯ୍ୟବସିତ। ‘ସ୍ବଚ୍ଛ ଓଡ଼ିଶା’ ଯୋଜନା ରାଜ୍ୟ ସରକାରଙ୍କ ଏହି ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଏଥିରେ ସମସ୍ତ ସହରାଞ୍ଚଳକୁ ବର୍ଜ୍ୟମୁକ୍ତ ଓ ସ୍ବଚ୍ଛ କରିବା ସହ ପୌର ସଂସ୍ଥାମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପରିମଳ କ୍ଷେତ୍ରରେ ସଫଳତା ହାସଲ କରିବାରେ ଏହା ସହାୟକ ହେବ। ସେହିପରି ରାଜ୍ୟରେ ହେଉଥିବା ସମସ୍ତ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଏଣିକି ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ, ୨୦୨୫ ଅନୁଯାୟୀ କରାଯିବ। ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପ୍ରସ୍ତାବିତ ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ନିୟମ, ୨୦୨୫ ଅନୁଯାୟୀ ନାଗରିକଙ୍କୁ ଦିଆଯିବ। ରାଜ୍ୟ କ୍ୟାବିନେଟ୍ରେ ଏହି ନିୟମକୁ ଅନୁମୋଦନ ମିଳିଛି।
ଓଡ଼ିଶାରେ ବର୍ତ୍ତମାନ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ-୨୦୦୧ ଅନୁଯାୟୀ କରାଯାଉଛି। ଏହି ନିୟମଟି କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଅଧିନୟମ, ୧୯୬୯ ଉପରେ ପର୍ଯ୍ୟବେସିତ ଥିଲା। କେନ୍ଦ୍ର ସରକାର ଏହି ନିୟମରେ ସଂଶୋଧନ କରି ଜନ୍ମ ଓ ମୃତ୍ୟୁ ଅଧିନିୟମ(ସଂଶୋଧନ)-୨୦୨୩ ନୂତନଭାବେ ପ୍ରଣୟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ଜନ୍ମ ଓ ମୃତ୍ୟୁ(ସଂଶୋଧନ)-୨୦୨୩ର ବିଭିନ୍ନ ଧାରା ଓ ଉପଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ନିୟମ, ୨୦୨୫ର ପ୍ରଣୟନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ରେ ଓଡ଼ିଶା ଜିଲ୍ଲା ଓ ଦେୱାନୀ କୋର୍ଟର ବିଚାର ବିଭାଗୀୟ କର୍ମଚାରୀ ସେବା(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ ୨୦୦୮ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅଧିକ ଅଭିଜ୍ଞ ପ୍ରାର୍ଥୀଙ୍କୁ ସୁଯୋଗ ଦେବା, ପୂର୍ବରୁ ସରକାରୀ ଚାକିରିରୁ ବାଦ୍ ଦିଆଯାଇଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାରେ ଏହା ସହାୟକ ହେବ।
କାରଖାନା(ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ୨୦୨୫ ପ୍ରଣୟନ, ଓଡ଼ିଶା ଟିକସ ଓ ହିସାବ ସେବା ନିୟମ (ସଂଶୋଦନ) ନିୟମ, ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ ୨୦୨୫ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ ୨୦୨୫ ପ୍ରଣୟନ ପ୍ରସ୍ତାବକୁ ଆଜିର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ଏଥି ସହିତ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପରୀକ୍ଷାଗାର ଟେକ୍ନିସିଆନ୍ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୫କୁ ମଧ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ ଦେଇଛନ୍ତି। ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ ୨୦୨୫ରେ ଅନେକ ଛୋଟମୋଟ ଭୁଲକୁ ଅପରାଧମୁକ୍ତ କରାଯାଇଛି। କେନ୍ଦ୍ର ସରକାରଙ୍କ ଜନ ବିଶ୍ବାସ (ସଂଶୋଧନ ବ୍ୟବସ୍ଥା) ନିୟମ ୨୦୨୩ ଅନୁସାରେ ପ୍ରସ୍ତୁତ କରାଯାଇଥିବା ଏହି ଅଧ୍ୟାଦେଶରେ ଛୋଟମୋଟ ଭୁଲ, ପ୍ରକ୍ରିୟାଗତ ନିୟାମକ ଅପରାଧ ଆଦିକୁ ଅପରାଧମୁକ୍ତ କରାଯାଇଛି। ଜରିମାନା କୋହଳ କରାଯିବା ସହ ଅନାବଶ୍ୟକ ନିୟମ ପାଳନ ଚାପକୁ ଦୂର କରାଯାଇଛି। ଏହି ଅଧ୍ୟାଦେଶ ଅଧୀନରେ ୧୬ଟି ନିୟମକୁ ସାମିଲ କରାଯାଇଛି। ନର୍ସ ଓ ମିଡ୍ୱାଇଭ୍ସ ପଞ୍ଜୀକରଣ, ମୁନସିପାଲିଟି ନିୟମ, କୃଷି ଉତ୍ପାଦ ବଜାର ନିୟମ, ସହରୀ ଯୋଜନା ଓ ଉନ୍ନତି ଟ୍ରଷ୍ଟ ନିୟମ ଆଦିକୁ ଏଥିରେ ସାମିଲ କରାଯାଇଛି।
କାରଖାନା (ଓଡ଼ିଶା ସଂଶୋଧନ) ଅଧ୍ୟାଦେଶ ୨୦୨୫ରେ କାର୍ଯ୍ୟ ସମୟକୁ ୧୦ ଘଣ୍ଟାକୁ ବୃଦ୍ଧି କରିବା, ସାପ୍ତାହିକ କାର୍ଯ୍ୟ ସମୟ ସୀମା ପୂର୍ବ ଭଳି ୪୮ ଘଣ୍ଟା ରଖିବା, ଓଭର ଟାଇମ୍ ପାଇଁ ମଜୁରିର ଦୁଇଗୁଣା ପ୍ରାପ୍ୟ, କୌଣସି ଦିନରେ ମୋଟ୍ କାର୍ଯ୍ୟ ସମୟ ୧୨ ଘଣ୍ଟାରୁ ଅଧିକ ନ ହେବା ଭଳି ବ୍ୟବସ୍ଥା ରହିଛି। ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ଅଧ୍ୟାଦେଶ ୨୦୨୫କୁ ୨୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ପାଇଁ ଲାଗୁ କରାଯିବ। ପ୍ରତିଷ୍ଠାନଗୁଡ଼ିକ ଚାହିଲେ ଦିନରାତି ଚବିଶ ଘଣ୍ଟା ଓ ବର୍ଷତମାମ ୩୬୫ ଦିନ ଖୋଲାରହିପାରିବ। ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରୁ ପ୍ରତିବନ୍ଧକ ହଟିବ। ଉଭୟ ଅଧ୍ୟାଦେଶକୁ ଉଚିତ ସମୟରେ ବିଧାନସଭାରେ ଉପସ୍ଥାପନ କରି ଆଇନରେ ପରିଣତ କରାଯିବ।