ଆଇକୋର ଚିଟଫଣ୍ଡ ଠକେଇ : ୩ ଦିନିଆ ରିମାଣ୍ଡରେ ସୁମନ

0

ଭୁବନେଶ୍ବର : ଆଇକୋର୍‌ ଗ୍ରୁପ ଚିଟଫଣ୍ଡ୍ ଠକେଇ ଘଟଣାରେ ଗିରଫ ହୋଇଥିବା ସାମ୍ବାଦିକ ସୁମନ ଚଟ୍ଟୋପାଧାୟଙ୍କୁ ସିବିଆଇ ଆଜି ୩ ଦିନିଆ ରିମାଣ୍ଡରେ ନେଇଛି। ଫଳରେ ଆଜି ସଂଧ୍ୟା‌ରୁ ସେ ସିବିଆଇ ହେପାଜତକୁ ଚାଲି ଯାଇଛନ୍ତି। ଗତକାଲି ତାଙ୍କୁ ସିବିଆଇ କୋଲାକାତାରୁ ଗିରଫ କରିଥିଲା। ସ୍ଥାନୀୟ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଥିଲା। ଚିଟଫଣ୍ଡ ଠକେଇ ସମ୍ପର୍କିତ ଅଧିକ ପଚରାଉଚରା କରାଯିବାକୁ ତାଙ୍କୁ ରିମାଣ୍ଡରେ ନିଆଯାଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ସୁମନ ହେଉଛନ୍ତି କୋଲକତାର ଜଣେ ଜଣାଶୁଣା ସାମ୍ବାଦିକ। ସେ ‘ଏଇ ସମୟ’ ନାମକ ଏକ ବଙ୍ଗଳା ଖବର କାଗଜର ସମ୍ପାଦକ। ଯାହା ସୂଚନା ମିଳିଛି ‘ଏଇ ସମୟ’ ଖବରକାଗଜ ଆଇକୋର୍‌ ଗ୍ରୁପ ଚିଟଫଣ୍ଡ ସଂସ୍ଥା ଟଙ୍କାରେ ଚାଲୁଥିଲା। ଏପରିକି ଆଇକୋର୍‌ ଗ୍ରୁପର ବ୍ୟାଙ୍କ ଆକାଉଣ୍ଟରୁ ସୁମନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ଟଙ୍କା କାରବାର ହୋଇଛି। ଏଥିପାଇଁ ସିବିଆଇ ପକ୍ଷରୁ ବିଭିନ୍ନ ସମୟରେ ସୁମନଙ୍କୁ ନୋଟିସ୍ କରାଯାଇଥିଲା। ଦୁଇ ଦିନ ତଳେ ସେ କୋଲକାତା ସିବିଆଇ କାର୍ଯ୍ୟାଳୟକୁ ଆସିଥିଲେ। ସିବିଆଇ ଆବଶ୍ୟକ କରୁଥିବା କାଗଜପତ୍ର ସେ ଦେଖାଇ ପାରିନଥିଲେ, ଯେଉଁଥି ପାଇଁ ତାଙ୍କୁ ଗିରଫ କରାଯାଇଛି।

ପ୍ରକାଶଥାଉକି, ଆଇକୋର୍‌ ଚିଟଫଣ୍ଡ ସଂସ୍ଥା ୨୦୦୭ରେ ଶାଖା କାର୍ଯ୍ୟାଳୟ ଖୋଲିଥିଲା। ସଂସ୍ଥା ବି‌ରୋଧରେ ପାଖାପାଖି ୩ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ସଂସ୍ଥାର ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଶାଖା ଥିଲା। ଜମାକାରୀଙ୍କୁ ଅଧିକ ସୁଧ ଦେବା ଲୋଭ ଦେଖାଇ ଆଇକୋର୍‌ ଚିଟଫଣ୍ଡ ସଂସ୍ଥା ଏଭଳି ଠକେଇ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.