ଶାନ୍ତିକାନନର ଶାନ୍ତି କେଉଁଠୁ ପାଇନଥିଲି: ପ୍ରଣବ

ପ୍ରଣବ ପଟ୍ଟନାୟକଙ୍କୁ ‘ସଙ୍ଗୀତ ସୁଧାନିଧି’ ସମ୍ମାନ

ବାଲେଶ୍ବର: ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଗୁରୁବାର ଅପରାହ୍ନରେ ଶାନ୍ତିକାନନଠାରେ ଅନୁଷ୍ଠିତ ବିଷୁବ ମିଳନ ଅବକାଶରେ ଓଡ଼ିଶାର ବରିଷ୍ଠ ସଙ୍ଗୀତ ସାଧକଙ୍କ ଉପସ୍ଥିତିରେ ଏକ ସଙ୍ଗୀତାତ୍ମକ ପରିବେଶ ସୃଷ୍ଟି ହୋଇଥିଲା। ‘ମାଝୀରେ.. ଶେଷ ଶ୍ରାବଣ ପୂରୁବା ପବନ ବୋହି ଯାଏରେ..’ ସଙ୍ଗୀତର ତାଳେ ତାଳେ ଗୁରୁ ପ୍ରଦୀପ ବେହେରାଙ୍କ ନିର୍ଦ୍ଦେଶନାରେ ‘ନୃତ୍ୟାୟନ’ର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ଫକୀରମୋହନଙ୍କ ରଚିତ ଭାଷାବନ୍ଦନା ଗାନ କରାଯିବା ପରେ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ବାସନ୍ତୀ ଦେ, ସୁବ୍ରତା ମହାନ୍ତି, ସ୍ନିଗ୍ଧା ସାମନ୍ତରାୟ, ତୃପ୍ତିରାଣୀ ପାତ୍ର, ମମତା ଦାସ, ଶାନ୍ତିଲତା ବିଶି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଣବ ପଟ୍ଟନାୟକଙ୍କ ସଙ୍ଗୀତର ସୁରେ ସୁରେ ବାଲେଶ୍ବରର ସଙ୍ଗୀତ ଗାୟକମାନେ ସଙ୍ଗୀତ ପ୍ରସ୍ତୁତ କରିଥିଲେ। ବସନ୍ତ କୁମାର ଦାସ ‘କେଉଁ ନାମ ଧରି ଡାକିବି ତୁମକୁ.., ସୁଜିତ କୁମାର ଭୋଇ ମା ତୁମେ ଜଗତର.., ସନ୍ଦୀପ ଆଚାର୍ଯ୍ୟ ସୀମାହୀନ ଦରିଆ.., ଶ୍ବେତାଲିସା ପ୍ରିୟଦଶିର୍ନୀ ଏ ଜୀବନ ବାଲିଘର.., ଗୀତାଶ୍ରୀ ଜେନା ପାହାଡ଼ ସେପାଖେ.., ସୌରଭ ଭରଦ୍ବାଜ ଏମିତି ରାତି.., ଆକାଶ ପଣ୍ତା ନ କର ନ କର ମନ.. ଗୀତ ପରିବେଷଣ କରିଥିଲେ। ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ସମ୍ବର୍ଦ୍ଧନା ଓ ଉପାଧି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଫକୀରମୋହନ ସାହିତ୍ୟ ପରିଷଦର ବିଷୁବ ମିଳନ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା ବିଶିଷ୍ଟ ସଙ୍ଗୀତ ସାଧକ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡ.ପଟ୍ଟନାୟକଙ୍କୁ ପରିଷଦ ତରଫରୁ ‘ସଙ୍ଗୀତ ସୁଧାନିଧି’ ଉପାଧି ପ୍ରଦାନ କରାଯାଇଥିଲା। ଫକୀରମୋହନ ମାଟି‌ରୁ ଏହି ସମ୍ମାନ ପାଇବା ମୋ ପାଇଁ ସୌଭାଗ୍ୟର କଥା। ଶାନ୍ତିକାନନକୁ ଆସି ଯେତିକି ଶାନ୍ତି ପାଇଲି ମୋତେ ଆଜିପର୍ଯ୍ୟନ୍ତ କେଉଁଠୁ ମିଳିନଥିଲା। ଭବିଷ୍ୟତ ପିଢ଼ି ସଂସ୍କୃତିଭାବସଂପନ୍ନ ସଙ୍ଗୀତ ପରିବେଷଣରେ ମନ ଦେବାକୁ ଡ.ପଟ୍ଟନାୟକ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ପ୍ରଫେସର କିଶୋର କୁମାର ବାସା, ସମ୍ମାନିତ ଅତିଥି ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁଙ୍କୁ ମଧ୍ୟ ଉପାୟନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଶିକ୍ଷାଧିକାରୀ ନିର୍ମଳା ମହାନ୍ତି, ବରିଷ୍ଠ କବୟିତ୍ରୀ ମନୋରମା ବିଶ୍ବାଳ ମହାପାତ୍ର, ଶିକ୍ଷାବିତ ପୀତାମ୍ବର ପ୍ରଧାନ, ଆଇନଜୀବୀ ଶମ୍ଭୁନାଥ ମହାନ୍ତି, କବି ଓ ସମାଜସେବୀ ସନ୍ତୋଷ କୁମାର ଦାସ, ହାସ୍ୟାଭିନେତା ମନୋରଂଜନ ଦାସଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ ଅତିଥିଙ୍କୁ ମ‌ଞ୍ଚ ଆବାହନ କରିଥିବା ବେଳେ ସଂପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ।

ଡ.ଶିରୀଶ ଚନ୍ଦ୍ର ଜେନା ଅତିଥି ପରିଚୟ ଓ ଯୁଗ୍ମସଂପାଦକ ଡ.ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ କେବଳ ମହିଳାମାନଙ୍କ ଦ୍ବାରା ଅଭିନୀତ ଓ ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ରଚିତ ‘ହାୟ ହାୟ ହରକଳା’ ନାଟକ ମ‌ଞ୍ଚସ୍ଥ ହୋଇଥିଲା। ଛମାଣ ଆଠଗୁଣ୍ଠର କାହାଣୀକୁ ନାଟକରେ ରୂପାୟିତ କରାଯାଇଥିଲା। ନିରଞ୍ଜନ ରାଉତଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବାସନ୍ତୀ କର, ଅଞ୍ଜଳି ପଣ୍ତା, ଶାନ୍ତିଲତା ପଣ୍ତା, ସୁବ୍ରତା ମହାନ୍ତି, ସଙ୍ଗୀତା ବାରିକ, କୃଷ୍ଣା ପ୍ରଧାନ, ଅବନ୍ତୀ ପ୍ରଧାନ, ସୁଜାତା ପଣ୍ତା, ସ୍ନିଗ୍ଧା ସାମନ୍ତରାୟ, କଲ୍ୟାଣୀ ନନ୍ଦ, ବାସନ୍ତୀ ଦେ, ଚିତ୍ରାରାଣୀ ପାତ୍ର, ମମତା ଦାସ, ଶାନ୍ତି ବିଶି, ପ୍ରାଚୀ ପ୍ରଯୁକ୍ତା, ତୃପ୍ତିରାଣୀ ପାତ୍ର, ସୀମା ମହାଭୋଇ, ପ୍ରତିମା ପଣ୍ତା ଅଂଶଗ୍ରହଣ କରିଥିଲେ। ଜୟନ୍ତ ବେହେରା, ସୁବାସ ସିଂ, ତପନ ଓ ନନ୍ଦକିଶୋର ଦାସ ବାଦ୍ୟାଂଶରେ ସହଯୋଗ କରିଥିଲେ। ଦୀନବନ୍ଧୁ ଲେଙ୍କା, ନିବାରଣ ଜେନା, ରାଜେଶ ଗିରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର