୫୦୦ ରଖିବି ବୋଲି ଭାବି ନଥିଲି: ଶ୍ରେୟା

ଭୁବନେଶ୍ବର : ୫ଟି ବିଷୟରେ ମୋଟ ମାର୍କ ଥିଲା ୫୦୦। ସମସ୍ତ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ୫୦୦ ମାର୍କ ହାତେଇଛନ୍ତି। ଏଭଳି ସଫଳତାର ଅଧିକାରିଣୀ ହୋଇଛନ୍ତି ଭୁବନେଶ୍ବର ମଦର ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଶ୍ରେୟା ପଟ୍ଟନାୟକ। କୌଣସି ବି ବିଷୟରେ ଗୋଟିଏ ବି ନମ୍ବର କଟିନି। ଓଡ଼ିଶାର ୪୩ହଜାର ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ରାଜ୍ୟ ଟପର୍‌ ହେବା ସହ ଦେଶରେ ମଧ୍ୟ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ଆଉ କିଛି ଛାତ୍ରଛାତ୍ରୀଙ୍କ ସହ ମିଶି ଶତପ୍ରତିଶତ ସଫଳତା ପାଇଥିବା ହାତଗଣତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଓଡ଼ିଶା ପାଇଁ ଏଭଳି ଗୌରବ ଆଣିଥିବାରୁ ଆଜି ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ନିଜ ଫଳକୁ ନେଇ ଖୁସି ବ୍ୟକ୍ତ କରି ଶ୍ରେୟା କହିଛନ୍ତି ଯେ ପରୀକ୍ଷା ଭଲ ହୋଇଥିଲା। ଫଳ ବି ଭଲ ହେବ ବୋଲି ଆଶା ମଧ୍ୟ ଥିଲା। ମାତ୍ର ଶତପ୍ରତିଶତ ସଫଳତା ମିଳିବ ବୋଲି କେବେ ଭାବି ନଥିଲି। କରୋନା ଭିତରେ ବି ପରୀକ୍ଷା ଲାଗି କଠିନ ପରିଶ୍ରମ କରୁଥିଲି। ବିଭିନ୍ନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ସବୁ ବିଷୟରେ ବୁଝିବା ସହ ଯେଉଁଠି ଦ୍ବନ୍ଦ୍ବ ଉପୁଜୁଥିଲା, ତାହାକୁ ବାରମ୍ବାର ରିଭାଇଜ୍‌ କରି ପଢୁଥିଲି। ପରିବାରଲୋକ ମୋତେ ବହୁତ ସହଯୋଗ କରିଛନ୍ତି। ବିଶେଷକରି ମୋର ପଢ଼ିବା ପାଇଁ ମା’ ସବୁବେଳେ ଉତ୍ସାହିତ କରୁଥିଲେ। ଯେଉଁଥିପାଇଁ ୫୦୦ରୁ ୫୦୦ ମାର୍କ ପାଇବାରେ ସଫଳ ହେ‌ଲି।

ଘରେ ପାଠପଢ଼ା ସମ୍ପର୍କରେ ସେ କହିଛନ୍ତି ଯେ ବିଦ୍ୟାଳୟରେ ଯାହା ପଢ଼ାଯାଉଥିଲା ତାହାକୁ ଭଲ ଭାବେ ପଢ଼ୁଥିଲି। ଏହାପରେ ଘରକୁ ଆସି ପ୍ରତିଦିନ ୩ରୁ ୪ଘଣ୍ଟା ପାଠପଢ଼ା ପାଇଁ ସମୟ ଦେଉଥିଲି। ବିଶେଷକରି ସେଲ୍ଫ ଷ୍ଟଡି ମୋ ସଫଳତାର ରହସ୍ୟ। ଯେମିତିକି ସବୁଦିନ ପାଠପଢ଼ା ସମୟରେ କେମିତି ସେ ବିଷୟକୁ ସାରିବି, ସେଥିପ୍ରତି ଧ୍ୟାନ ଦେଉଥିଲି। ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବିଭିନ୍ନ ସମୟରେ ଦିଗ୍‌ଦର୍ଶନ ଦେଉଥିଲେ। ଫଳରେ ସଫଳତା ପାଇଛି। ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର