ବାରିପଦା: ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀରୁ ଆସିଥିବା ଦୁଇ ବାଘୁଣୀ ‘ଜୀନତ୍’ ଓ ‘ଯମୁନା’କୁ ନେଇ ଅଡ଼ୁଆରେ ବନ ବିଭାଗ। ଶିମିଳିପାଳର ପ୍ରକୃତିକ ପରିବେଶ ସହ ନିଜକୁ ଖାପଖୁଆଇ ପାରୁନାହାନ୍ତି ଉଭୟ ବାଘୁଣୀ। ଏଥିପାଇଁ ‘ଜୀନତ୍’ ଶିମିଳିପାଳର ବିସ୍ତୀର୍ଣ୍ଣ ଜଙ୍ଗଲ ଛାଡ଼ି ପ୍ରଥମେ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗର ଜଙ୍ଗଲକୁ ପଳାଇଥିଲା। ୩ଟି ରାଜ୍ୟର ୨୫୦ରୁ ଅଧିକ ବନ କର୍ମଚାରୀଙ୍କ ଉଦ୍ୟମ ତଥା ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ପରେ ‘ଜୀନତ୍’କୁ ଗତ ଡିସେମ୍ବର ଶେଷରେ ଶିମିଳିପାଳ ଫେରାଇ ଅଣାଯାଇଥିଲା। ଏହାପରେ ଜେନାବିଲସ୍ଥିତ ସଫ୍ଟ ଏନ୍କ୍ଲୋଜର୍ରେ ରହୁଛି ‘ଜୀନତ୍’। ‘ଜୀନତ୍’କୁ କେବେ କୋର୍ ଅଞ୍ଚଳରେ ଛଡ଼ାଯିବ? ଏନ୍କ୍ଲୋଜର୍ ବାହାରକୁ ଆସିଲେ ପୁଣି ବାହାର ରାଜ୍ୟକୁ ମୁହାଁଇବ କି? ଏଭଳି ପ୍ରଶ୍ନ ବନ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସେହିପରି ୨ ମାସ ତଳୁ ଆସିଥିବା ‘ଯମୁନା’ ମଧ୍ୟ ଶିମିଳିପାଳକୁ ଆପଣାଇ ପାରିନାହିଁ। ଅଳ୍ପ କିଛିଦିନ ରହି ‘ଯମୁନା’ ବାଲେଶ୍ବର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟକୁ ପଳାଇଥିବା ବେଳେ ଏବେ କେନ୍ଦୁଝର ଜିଲ୍ଲାର ହଦଗଡ଼ ଅଭୟାରଣ୍ୟରେ ବୁଲୁଛି। ରାଜନୈତିକ କାରଣରୁ ପଡ଼ୋଶୀ ପଶ୍ଚିମବଙ୍ଗ ସହ ଓଡ଼ିଶାର ସଂପର୍କ ଭଲ ନଥିବାରୁ ବାଘକୁ ନେଇ ଦୁଇ ରାଜ୍ୟ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ଶିମିଳିପାଳରେ ବାଘବଂଶ ବୃଦ୍ଧି ପାଇଁ ହୋଇଥିବା ଯୋଜନାକୁ ଜୋର୍ଦାର ଝଟ୍କା ଲାଗିଥିବା କୁହାଯାଉଛି।
ବାଘବଂଶ ବୃଦ୍ଧି ଯୋଜନାକୁ ଝଟ୍କା
ଏସିଆର ଦ୍ବିତୀୟ ବୃହତ୍ ଜୈବମଣ୍ଡଳ ହେଉଛି ମୟୂରଭଞ୍ଜର ଶିମିଳିପାଳ। ୨୭୫୦ ବର୍ଗ କିମି ପରିବ୍ୟାପ୍ତ ଏହି ଅଭୟାରଣ୍ୟ ବିରଳ କଳାବାଘଙ୍କ ପାଇଁ ଉପଯୁକ୍ତ ସ୍ଥାନ ପାଲଟିଛି। ସାରା ଦେଶରେ ଥିବା ସମସ୍ତ କଳା ମହାବଳ ଏହି ଅଭାୟାରଣ୍ୟରେ ଥିବାର ସ୍ପଷ୍ଟ କରିଛି ବନ୍ୟପ୍ରାଣୀ ବିଭାଗ। ଏଠାରେ ଗତ କିଛିବର୍ଷ ହେବ କଳାରଙ୍ଗର ମହାବଳଙ୍କ ବଂଶବୃଦ୍ଧି ହେଉଥିବା ବେଳେ ଏହି ଅସ୍ବାଭାବିକ ପରିବର୍ତ୍ତନ ଚିନ୍ତାର କାରଣ ସାଜିଛି। ଜନ୍ମ ସମ୍ୱନ୍ଧୀୟ ବିକୃତି ଓ ଜେନେଟିକ୍ ପରିବର୍ତ୍ତନ ଯୋଗୁ ଏଭଳି ଘଟୁଥିବା ଉଚ୍ଚସ୍ତରୀୟ ଗବେଷଣାରୁ ଜଣାପଡ଼ିଛି। ମହାବଳ ବାଘ ନିଜ ବର୍ଗର ବାଘଙ୍କ ପରିଧି ବାହାରକୁ ଯାଇ ପ୍ରଜନନ କଲେ ଏଭଳି ଜନ୍ମ ସମ୍ୱନ୍ଧୀୟ ଅସାମଞ୍ଜସ୍ୟତା ଦେଖାଦେଇଥାଏ। ଆଉ ଏହି ଅନୁବଂଶୀୟ ବିବିଧତା ରୋକିବା ସହ ଶିମିଳିପାଳରେ ବାଘଙ୍କ ଲିଙ୍ଗଗତ ଅସଙ୍ଗତି ଦୂର କରିବା ଲକ୍ଷ୍ୟରେ ଗତବର୍ଷ ନଭେମ୍ବର ମାସରେ ଶିମିଳିପାଳକୁ ଅଣାଯାଇଥିଲା ୨ ବାଘୁଣୀ ‘ଯମୁନା’ ଓ ଜୀନତ୍’। ଏହା ପୂର୍ବରୁ ୨୦୧୮ ଜୁନ୍ ମାସରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଅନୁଗୁଳର ସାତକୋଶିଆ ଅଭୟାରଣ୍ୟକୁ ଆସିଥିଲା ମହାବଳ ବାଘ ‘ମହାବୀର’। ସେହିପରି ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିଲା ବାଘୁଣୀ ‘ସୁନ୍ଦରୀ’। ହେଲେ ପ୍ରାୟ ୫ ମାସ ପରେ ‘ମହାବୀର’ର ମୃତ୍ୟୁ ଘଟିଥିବା ବେଳେ ‘ସୁନ୍ଦରୀ’କୁ ଏଠାରୁ ଫେରାଇ ନିଆଯାଇଥିଲା।
ଫଳରେ ସାତକୋଶିଆରେ ବାଘବଂଶ ବୃଦ୍ଧି ଯୋଜନା ସେଠାରେ ଅଟକି ରହିଥିଲା। ୬ ବର୍ଷ ବ୍ୟବଧାନରେ ମହାରାଷ୍ଟ୍ରରୁ ‘ଜୀନତ୍’ ଓ ‘ଯମୁନା’କୁ ଶିମିଳିପାଳ ଆଣାଯାଇଛି। ତେବେ ଏଠାରେ ଉଭୟଙ୍କ ମନ ଲାଗୁନଥିବାରୁ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆର୍ସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି, ଦୁଇ ବାଘୁଣୀଙ୍କ ସୁରକ୍ଷା ଦାୟିତ୍ବ ଆମକୁ ଦିଆଯାଇଛି। ଉଭୟ ନିଶ୍ଚିତ ଭାବେ ଶିମିଳିପାଳର ପରିବେଶକୁ ଆପଣାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।