ଭଲ ଲେଖା ପ୍ରତି ମୋର ସବୁବେଳେ ଆତୁରତା ରହିଛି: ରାମଚନ୍ଦ୍ର ବେହେରା

କେନ୍ଦ୍ରାପଡ଼ା କଲେଜରୁ ସାରସ୍ବତ ଜୀବନ ଯାତ୍ରା

କେନ୍ଦ୍ରାପଡ଼ା : ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇଁ ପ୍ରଖ୍ୟାତ ସାହିତ୍ୟିକ ତଥା କଥାକାର ରାମଚନ୍ଦ୍ର ବେହେରାଙ୍କ ନାମ ଘୋଷଣା ହେଲା ପରେ ତାଙ୍କ ନିକଟକୁ ସାହିତ୍ୟ ଜଗତରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସାହିତ୍ୟ ଏକାଡେମିର ସର୍ବୋଚ୍ଚ ପୁରସ୍କାର ପାଇଁ ଖୁସି ଲାଗୁଛି। ଭାଗବତରେ ଏମିତି କେତେକ ଧାଡ଼ି ଅଛି, ଯେଉଁ ଧାଡ଼ିର ଉଚ୍ଚତା, ବ୍ୟାପ୍ତି, ଗଭୀରତା ଓ ଅନ୍ତର୍ଦୃଷ୍ଟି ଯାହା ଅଛି, ମୋର ସବୁଯାକ କୃତୀ ଯଦି ତାହା ପାଖାପାଖି ପହଞ୍ଚିଯିବ, ତା ହେଲେ ମୋ ଜୀବନ ଧନ୍ୟ ହେଇଯିବ ବୋଲି ସବୁବେଳେ ମନେ କରେ। ଏଭଳି ସ୍ଥିତିରେ ପୁଣି ତାଙ୍କ ନାଁରେ ପୁରସ୍କାର ମୋତେ ଆହୁରି ଉଲ୍ଲସିତ କରିଛି। ଯେତେବେଳେ ବି ମୋତେ ଯେଉଁ ସବୁ ପୁରସ୍କାର ମିଳିଛି, ତାହା ବିସ୍ମିତ କରିଛି। କାରଣ, ପୁରସ୍କାର ପ୍ରତି ମୋର କେବେ ଆତୁରତା ନାହିଁ କି କେବେ ଏଥିପ୍ରତି ଦୃଷ୍ଟି ଦେଇନାହିଁ। ଭଲ ଲେଖା ପ୍ରତି ସବୁବେଳେ ମୋର ଆତୁରତା ରହିଛି।

୧୯୪୫ ମସିହା ନଭେମ୍ବର ୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟ ବରାଟିପୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ବେହେରା ଆଜି ସୁଦ୍ଧା ପାଖାପାଖି ୩୫ରୁ ଅଧିକ ପୁସ୍ତକ ରଚନା କରି ସାରିଲେଣି। ତାଙ୍କ ସାରସ୍ବତ ଜୀବନ ଯାତ୍ରା କେନ୍ଦ୍ରାପଡ଼ା କଲେଜରୁ ହିଁ ଆରମ୍ଭ ହୋଇଥିଲା। ୧୯୬୯ ମସିହାରେ ଅଧ୍ୟାପକ ଭାବେ କଲେଜରେ ଯୋଗ ଦେଇଥିଲେ। ଏହାର ବର୍ଷକ ପରେ ବିଧିବଦ୍ଧ ଲେଖାଲେଖି ଆରମ୍ଭ କରିଥିବା ଶ୍ରୀ ବେହେରା ଆଉ ପଛକୁ କେବେ ଚାହିଁନାହାନ୍ତି। ୨୦୦୫ମସିହାରେ କଲେଜ ଅଧୢକ୍ଷ ପଦରୁ ଅବସର ନେବା ପରେ ସ˚ପୂର୍ଣ୍ଣ ଭାବେ ସେ ସାରସ୍ବତ ସାଧନାରେ ନିଜକୁ ନିୟୋଜିତ ରଖିଛନ୍ତି। ଗଳ୍ପ, ନାଟକ, ଉପନ୍ୟାସ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଲେଖନୀ ଚାଳନା କରି କେବଳ ସାରସ୍ବତ ଭଣ୍ତାରକୁ ରୁଦ୍ଧିମନ୍ତ କରିଛନ୍ତି ତା ନୁହେଁ, ଜଣେ ସଫଳ ସାହିତ୍ୟିକ ଓ କଥାକାର ରୂପେ ସାରା ରାଜ୍ୟରେ ଖୁବ୍‌ ନାଁ କମାଇଛନ୍ତି। ଚର୍ଚ୍ଚିତ ଗଳ୍ପ ପୁସ୍ତକ ‘ଗୋପପୁର’ ପାଇଁ ୨୦୦୫ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିବା ବେଳେ ୧୯୯୧ରେ ‘ଓଁକାର ଧ୍ବନି’ ଗଳ୍ପ ପାଇଁ ସାରଳା ପୁରସ୍କାର ଏବ˚ ୧୯୯୩ରେ ‘ଅଭିନୟ ପରିଧି’ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ ହୋଇଥିଲେ।  କେବଳ ସେତିକି ନୁହେଁ, ୨୦୧୦ରୁ ୨୦୧୩ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ରୂପେ ସଫଳତାର ସହିତ ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର