କ୍ରାଉଡ୍‌ ଫଣ୍ଡିଂ ଉପରେ ମୋର ଭରସା ରହିଛି: ମନୀଷା

ଅମ୍ରିତକୁ ବଞ୍ଚାଇବା

ବ୍ରହ୍ମପୁର : ଲୋକଙ୍କ ପ୍ରାର୍ଥନା ଓ ସମର୍ଥନ ରହିଛି। କ୍ରାଉଡ୍‌ ଫଣ୍ଡିଂ ଉପରେ ମୋର ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ଚେନ୍ନାଇ ଆପୋଲୋ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତ୍‌ଙ୍କ ଭଉଣୀ ମନୀଷା ଆଜି କହିଛନ୍ତି। ଆଜି ସୁଦ୍ଧା ଏହି କ୍ରାଉଡ୍‌ ଫଣ୍ଡିଂ ଜରିଆରେ ୭୦ ଲକ୍ଷ ଟଙ୍କା ଆଦାୟ ହୋଇସାରିଲାଣି ବୋଲି ମନୀଷା ସୂଚନା ଦେଇଛନ୍ତି। ଗତକାଲି ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚେନ୍ନାଇ ଆପୋଲୋ ହସ୍‌ପିଟାଲରୁ ଆସିଥିବା ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସହ ଅମ୍ରିତ୍ ଚେନ୍ନାଇ ଯାଇଥିଲେ। ଆଜି ସକାଳୁ ତାଙ୍କ ଭଉଣୀ ମନୀଷା ଚେନ୍ନାଇରେ ପହଞ୍ଚିଛନ୍ତି। ଅମ୍ରିତ୍ ହସପିଟାଲରେ ଭର୍ତ୍ତି ହେବା ପରେ ନମୁନା ସଂଗ୍ରହ କରି କଲ୍‌ଚର କରିବାକୁ ପଠାଯାଇଛି। ଆସନ୍ତାକାଲି ଏହି ରିପୋର୍ଟ ଆସିବ ବୋଲି ମନୀଷା କହିଛନ୍ତି।

ଏହା ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଆମେ ସର୍ବନିମ୍ନ ଖର୍ଚ୍ଚ ଅର୍ଥାତ୍‌ ୧.୨ କୋଟିର ଟାର୍ଗେଟ୍‌ ନେଇ ଉଦ୍ୟମ ଆରମ୍ଭ କରିଛୁ ବୋଲି ମନୀଷା କହିଛନ୍ତି। ଇ‌କ୍‌ମୋ ଚିକିତ୍ସା ଓ ଲଙ୍ଗ୍‌ସ ପ୍ରତ୍ୟାରୋପଣ ଚିକିତ୍ସା ଅଧିକ ବ୍ୟୟବହୁଳ। ତେବେ ମୋ ଭାଇ ଅମ୍ରିତ୍ ପାଇଁ ଲୋକଙ୍କ ପ୍ରାର୍ଥନା ରହିଛି ବୋଲି ମନୀଷା କହିଛନ୍ତି। ଅମ୍ରିତ୍‌ କିଭଳି କରୋନାରେ ସଂକ୍ରମଣ ହେଲେ ବୋଲି ମନୀଷାଙ୍କୁ ପ୍ରଶ୍ନ କରିବାରେ ସେ କହିଲେ, ଆମେ ଏକ ମଧ୍ୟମବର୍ଗ ପରିବାରର ଲୋକ । ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ମା’ ଜଣେ ଶିକ୍ଷୟିତ୍ରୀ। ମନୀଷା ବିବାହିତା। ଭାଇ ଅମ୍ରିତ୍ ଇଂଜନିୟରିଂ ଛାଡ଼ି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଥିଲେ। ପ୍ରଥମେ ମା’ଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହ ସେ କରୋନାରେ ସଂକ୍ରମିତ ହୋଇଥିଲେ। ମା’ଙ୍କୁ ଭୁବନେଶ୍ବର ଆଣି ଚିକିତ୍ସା କରାଇବା ବେଳେ ବାପା ବି ଏଥିରେ ସଂକ୍ରମିତ ହୋଇଥିଲେ। ଏପରିକି ଆମେ ଦୁଇ ଭାଇଭଉଣୀ ବି କରୋନା ସଂକ୍ରମିତ ହୋଇଗଲୁ। ମୁଁ ଭଲ ହୋଇଗଲିଣି। ମାତ୍ର ଭାଇ ବାପା ଓ ମା’ଙ୍କ ପାଇଁ ବହୁତ ସେବା କରିଛି। କିନ୍ତୁ ସେ ସୁସ୍ଥ ହେବାକୁ ବହୁତ ଦିନ ଲାଗିଗଲାଣି ବୋଲି ମନୀଷା କହିଛନ୍ତି।

ଭାଇର ଏଭଳି ଅବସ୍ଥା ପରେ ଡାକ୍ତର ଇକ୍‌ମୋ ସହ ଲଙ୍ଗସ୍‌ ପ୍ରତ୍ୟାରୋପଣ ଚିକିତ୍ସା ନେଇ କହିଥିଲେ। ଏହାର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଥିବା ସତ୍ତ୍ବେ ଆମ ପରିବାରର ସଦସ୍ୟ, ସାଂଗସାଥୀ, ବନ୍ଧୁବାନ୍ଧବ ଏହି ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲୁ। କ୍ରାଉଡ୍‌ ଫଣ୍ଡିଂ ସଂପର୍କରେ ଧାରଣା କିଭଳି ଆସିଲା ବୋଲି ପ୍ରଶ୍ନ କରାଯିବାରେ ସେ କହିଲେ, ମୁଁ ବିଭିନ୍ନ ସମୟରେ ଏଭଳି ଭିଡିଓ ଚିତ୍ର ଦେଖିଲେ ନିଜେ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିଥାଏ। ମୋ ଭାଇ ଅମ୍ରିତ୍ ପାଇଁ ଭାରତ ସମେତ ବିଦେଶୀରୁ ବି ଅର୍ଥ ଆସିଛି। ୧୦ ଟଙ୍କାରୁ ଆରମ୍ଭ କରି ୨୫, ୫୦, ୧୫ ହଜାର, ୨୫ ହଜାର, ଏପରିକି ଡଲାରରେ ବି ସହାୟତା ମିଳିଥିବା ମନୀଷା କହିଛନ୍ତି। ଆଜି ବିଏମ୍‌ସି କମିସନର୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅମ୍ରିତ୍‌ଙ୍କ ପରିବାରକୁ ଯୋଗାଯୋଗ କରି ଯେ କୌଣସି ସହାୟତା ପାଇଁ ଯୋଗାଯୋଗ ରଖିବାକୁ କହିବା ସହ ବିଏମ୍‌ସି ପକ୍ଷରୁ ସହାୟତା ନେଇ ପ୍ରସ୍ତୁତି କରାଯାଉଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର