ସନ୍‌ସାଇନ୍‌ ସ୍କୁଲ୍‌ ସହ ମୋର ସମ୍ପର୍କ ନାହିଁ: ଦିବ୍ୟଶଙ୍କର

କେସିଙ୍ଗା : ମମିତା ମେହେର ହତ୍ୟାକାଣ୍ଡକୁ କେନ୍ଦ୍ରକରି ଚର୍ଚ୍ଚାରେ ରହିଆସିଛି ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌। ତେବେ ଏହି ସ୍କୁଲ୍‌ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ ସ୍କୁଲ୍‌ ନୁହେଁ ମହାଲିଙ୍ଗ କଲେଜ ସହ ତାଙ୍କର ସମ୍ପର୍କ ଥିଲା। ଗତକାଲି ଭବାନପାଟଣାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଏହା କହିଛନ୍ତି।

ଭବାନୀପାଟଣା ଅମଲା ଭବନରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସମୂହ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳନ ହୋଇଥିଲା। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମମିତା ହତ୍ୟାକାଣ୍ଡ ଘଟଣାରେ ନିଜ ପକ୍ଷ ରଖିଥିଲେ। ସେ କହିଥିଲେ, ‘ଗୃହ ବିଭାଗର ମୁଖ୍ୟ ଥିବାରୁ ପୁଲିସ ତଦନ୍ତ ପୂର୍ବରୁ ନିଜ ବୟାନ ରଖିବା ଉଚିତ ମଣି ନଥିଲି। ମୋ ସଂପୃକ୍ତି ଅଭିଯୋଗଗୁଡ଼ିକର ବିଭିନ୍ନ ଏଜେନ୍ସି ଯାଞ୍ଚ କରୁଛନ୍ତି। ବିରୋଧୀ ରାଜରାସ୍ତାରେ ମୋ ସଂପୃକ୍ତି ଓ ଚରିତ୍ରକୁ ନେଇ ଆକ୍ଷେପ କରୁଥିବାବେଳେ ମୋ ବିରୋଧରେ ନା ଏତଲା ଦାଏର ହୋଇଛି ନା ଲିଖିତ ଅଭିଯୋଗ ହୋଇଛି।’ ଏଥିସହିତ ସେ ଆହୁରି କହିଥିଲେ ଯେ ସାମ୍ବାଦିକମାନେ ନିଜ ମତକୁ ନେଇ ଖବର ପ୍ରସାରଣ କରିବା ଉଚିତନୁହେଁ, ଯାହା ମମିତା ହତ୍ୟା ଘଟଣାରେ କରାଯାଇଛି। ‘ କଳାହାଣ୍ଡିବାସୀ ଜାଣିଛନ୍ତି ମୋ ଚରିତ୍ର କ’ଣ ? ଏହାର ନ୍ୟାୟ ବି ମୋ ମାତୃଶକ୍ତି ଦେବେ। ଷ୍ଟୋର୍‌ ରୁମ୍‌କୁ ରଙ୍ଗଶାଳା ଦେଖାଇ ଗଣମାଧ୍ୟମ ମିଛ ଖବର ପ୍ରସାରଣ କରିଛି। ବିଧାୟକ ଭାବେ ମହାଲିଙ୍ଗ କଲେଜ୍‌ ସହିତ ସମ୍ପର୍କ ଥିଲା, କିନ୍ତୁ ସନସାଇନ୍‌ ସ୍କୁଲ୍‌ ସହ ମୋର କୌଣସି ସମ୍ପର୍କ ନାହିଁ ,’ ବୋଲି ସେ କହିଥିଲେ। ଗୋବିନ୍ଦ ସାହୁ ସମ୍ପର୍କରେ ମନ୍ତ୍ରୀ କହିଥିଲେ; ‘ କଲେଜ୍‌ ପରିଚାଳନା କମିଟି ସଭାପତି ଭାବରେ ଗୋବିନ୍ଦ ସାହୁ ସହିତ ମୋ ସମ୍ପର୍କ ରହିଛି, ତା’ ଠାରୁ ଅଧିକ କିଛ ନାହିଁ। ବିରୋଧୀଙ୍କ ପାଖରେ ମୋ ବିରୋଧରେ ଯଦି ଏତେ ଅଭିଯୋଗ ଥିଲା, ପୂର୍ବରୁ କାହିଁକି ସେମାନେ ନିରବ ଥିଲେ,’ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ମିଶ୍ର।

ସମ୍ବନ୍ଧିତ ଖବର